ଇତିହାସ ରଚିଲା ଭାରତ, ଜହ୍ନରେ ଓହ୍ଲାଇଲା ‘ଚନ୍ଦ୍ରଯାନ-୩’
- ସଫଳ ହେଲା ଭାରତର ମୁନ୍ ମିଶନ
- ଦକ୍ଷିଣ ମେରୁରେ ଲ୍ୟାଣ୍ଡରର ସଫଳ ଅବତରଣ
ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତ। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ନରମ ଅବତରଣ କରିବାରେ ସଫଳ ହୋଇଛି। ଏଥିସହ ବିଶ୍ଵର ପ୍ରଥମ ଦେଶ ହିସାବରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ନୂଆ କିର୍ତ୍ତୀମାନ ରଚିଛି। ମୋଟାମୋଟି ବିଶ୍ଵର ଚତୁର୍ଥ ଦେଶ ହିସାବରେ ଭାରତ ଏହି ସଫଳତା ହାସଲ କରିଛି। ୧୪୦ କୋଟି ଦେଶବାସୀଙ୍କ ପ୍ରାର୍ଥନା ଏବଂ ଇସ୍ରୋର ସାଢେ ୧୬ ହଜାର ବୈଜ୍ଞାନିକଙ୍କ ଚାରି ବର୍ଷର ପରିଶ୍ରମ ଶେଷରେ ସଫଳ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରାଇବାରେ ସଫଳ ରହିଛି ଭାରତୀୟ ମହାକାଶ ଗବେଷଣକାରୀ ସଂଗଠନ(ଇସ୍ରୋ)। ସଫଳ ଅବତରଣ ନେଇ ଘୋଷଣା କରିଛନ୍ତି ଇସ୍ରୋ ମୁଖ୍ୟ କେ ସୋମନାଥ।
ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଲ୍ୟାଣ୍ଡର୍ ବିକ୍ରମ। ଭାରତର ଏହି ମୁନ୍ ମିଶନକୁ ସାରା ବିଶ୍ୱ କରିଥିଲା ଅପେକ୍ଷା। ବୈଜ୍ଞାନିକମାନେ ଶତ ପ୍ରତିଶତ ନିଶ୍ଚିତ ଥିଲେ ଯେ, ଚୂଡ଼ାନ୍ତ ପରୀକ୍ଷାରେ ବି ଉତ୍ତୀର୍ଣ୍ଣ ହେବ ଚନ୍ଦ୍ରଯାନ-୩। ସମୟ ଯେତିକି ପାଖେଇ ଆସୁଥିଲା, ଦେଶବାସୀଙ୍କ ଉତ୍କଣ୍ଠା ସେତିକି ବଢ଼ି ଚାଲିଥିଲା। ସନ୍ଧ୍ୟା ୫ଟା ୪୫ରୁ ଆରମ୍ଭ ହୋଇଥିଲା ପାୱାର ଡିସେଣ୍ଟ। ପାଖାପାଖି ୨୫ କି.ମି. ଉଚ୍ଚତାରୁ ତଳକୁ ଖସିଥିଲା ଲ୍ୟାଣ୍ଡର। ସେହି ସମୟରେ ବିକ୍ରମର ବେଗ ପ୍ରତି ସେକେଣ୍ଡରେ ଥିଲା ୧.୬୮ କି.ମି। ଅବତରଣ ସ୍ଥାନରୁ ପ୍ରାୟ ୭୪୫ କି.ମି ଦୂରରେ ରହିଥିଲା ଲ୍ୟାଣ୍ଡର। ଚନ୍ଦ୍ରର ଗୁରୁତ୍ୱାକର୍ଷଣ ବଳ ଲ୍ୟାଣ୍ଡରକୁ ଟାଣିଥିଲା। ସନ୍ଧ୍ୟା ୫ଟା ୪୫ରୁ ୬ଟା ୪, ପ୍ରାୟ ୨୦ ମିନିଟ୍ ଚନ୍ଦ୍ରଯାନ ପାଇଁ ବିପଦପୂର୍ଣ୍ଣ ସମୟ ଥିଲା, ଯାହାକୁ ‘୨୦ ମିନିଟ୍ ଅଫ୍ ଟେରର୍’ ବୋଲି କୁହାଯାଇଥିଲା। ଚନ୍ଦ୍ରଯାନ-୨ରେ ଶେଷ ଅଢେଇ କିଲୋମିଟରରେ ତ୍ରୁଟି ଦେଖା ଦେଇଥିଲା। ଏଥର ଇସ୍ରୋ କିନ୍ତୁ ଦୃଢ଼ ଆଶାବାଦୀ ଥିଲା।
ଚନ୍ଦ୍ରର ଦକ୍ଷିଣ ମେରୁରେ ନିରାପଦ ଅବତରଣ ବା ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩, ଯାହାକୁ ୧୪୦ କୋଟି ଭାରତୀୟଙ୍କ ସମେତ ସାରା ବିଶ୍ୱର ବୈଜ୍ଞାନିକମାନେ ଚାହିଁ ବସିଥିଲେ। ୨୦୧୯ରେ ଭାରତର ଚନ୍ଦ୍ରଯାନ-୨ ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବାର ମାତ୍ର କିଛି ଦୂରତାରୁ ହିଁ କ୍ରାସ୍ ହୋଇଯାଇଥିଲା। ଏହାପରେ ‘ମିଶନ ଚନ୍ଦ୍ରଯାନ-୩’ ଘୋଷଣା କରାଯାଇଥିଲା। ଭାରତର ଏହି ମୁନ୍ ମିଶନ ସଫ୍ଟ ଲ୍ୟାଣ୍ଡିଂ ଦୃଷ୍ଟିରୁ ବି ଆହୁରି ଖାସ୍ ଥିଲା। କାରଣ, ଚନ୍ଦ୍ରପୃଷ୍ଠରେ ଆଜି ପର୍ଯ୍ୟନ୍ତ କେବଳ ଚୀନ, ଆମେରିକା ଓ ରୁଷ୍ ହିଁ ସଫ୍ଟ ଲ୍ୟାଣ୍ଡିଂ କରିପାରିଛନ୍ତି। ହେଲେ କେହି ବି ଦକ୍ଷିଣ ମେରୁରେ ପହଞ୍ଚି ନାହାନ୍ତି। ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ସହିତ ଭାରତ ଏହି ଉପଲବ୍ଧି ହାସଲ କରିବାରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହୋଇଛି। ସେହିପରି ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହୋଇଛି ବିଶ୍ୱର ପ୍ରଥମ ରାଷ୍ଟ୍ର।
ଇସ୍ରୋ ଓ୍ବେବସାଇଟ୍ ଅନୁଯାୟୀ, ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପରେ ରୋଭର ପ୍ରଜ୍ଞା ଚନ୍ଦ୍ରର ରସାୟନିକ ବିଶ୍ଳେଷଣ କରିବ। ଅବତରଣ କରିବାର ୨୦ ମିନିଟ୍ ପରେ ଲ୍ୟାଣ୍ଡରର ଦ୍ଵାର ଖୋଲିବ, ଯେଉଁଥିରୁ ରୋଭର ପ୍ରଜ୍ଞା ବାହାରିବ। ତ୍ରିରଙ୍ଗା ଓ ଇସ୍ରୋ ଲୋଗୋ ସହିତ ୬ ଚକ ବିଶିଷ୍ଟ ପ୍ରଜ୍ଞା ରୋଭର ଚନ୍ଦ୍ରରେ ସେକେଣ୍ଡ ପ୍ରତି ଏକ ସେମି ଗତି କରିବ। ବିକ୍ରମ ଲ୍ୟାଣ୍ଡରର ଦ୍ରବ୍ୟମାନ ୧୭୦୦ କିଲୋଗ୍ରାମରୁ ଅଧିକ ହେବ। ଏଥିରେ ଆମେରିକା ମହାକାଶ ଏଜେନ୍ସି ନାସାର ପେଲୋଡ ମଧ୍ୟ ରହିଛି।
ରୋଭର ପ୍ରଜ୍ଞା ଚନ୍ଦ୍ରରେ ଗୋଟିଏ ଦିନ କାମ କରିବ ଯାହା ପୃଥିବୀର ୧୪ ଦିନ ସହ ବରାବର। ଇସ୍ରୋର ବିଶେଷଜ୍ଞ ଲ୍ୟାଣ୍ଡର ଓ ରୋଭରରେ ଥିବା ୫ ବୈଜ୍ଞାନିକ ଉପକରଣରୁ ଆସିବାକୁ ଥିବା ତଥ୍ୟର ବିଶ୍ଳେଷଣ କରିବେ। ଲ୍ୟାଣ୍ଡର ଓ ରୋଭର ଆଖପାଖର ପରିବେଶର ଅଧ୍ୟୟନ କରିବା ପାଇଁ ଗୋଟିଏ ଚନ୍ଦ୍ର ଦିବସ ଅର୍ଥାତ ପୃଥିବୀର ୧୪ ଦିନ ମିଶନରେ ରହିବେ। ଏହି ସମୟରେ ଲ୍ୟାଣ୍ଡର-ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରରେ ରାତିରେ ବିଯୁକ୍ତ ୨୩୮ ଡିଗ୍ରୀ ସେଲସିୟସ ଥଣ୍ଡା ତାପମାତ୍ରାରେ କାମ କରିବ।
ସୂଚନା ଯେ, ଜୁଲାଇ ୧୪ ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା ୪ ମିନିଟ୍ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଛି। ଏହି ଐତିହାସିକ ମିଶନର ସଫଳତା ଉପରେ ପୂରା ଦେଶର ଆଶା ଏବଂ ନଜର ରହିଥିଲା।