ବିଶ୍ୱର ଟପ ୫ କରୋନା ସଂକ୍ରମିତ ଦେଶ ତାଲିକାରେ ଭାରତ
ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ଦୈନିକ ମାମଲାରେ ପୁଣି ବଡ଼ ବୃଦ୍ଧି ରେକର୍ଡ କରାଯାଇଛି । ଗତ କିଛି ଦିନ ଧରି ଦୈନିକ କରୋନା ସଂକ୍ରମଣ ୩ ହଜାର ପାର୍ କରୁଛି। ସେହିପରି ମୃତ୍ୟୁ ସଂଖ୍ୟା ବି ଧୀରେ ଧୀରେ ବଢୁଛି । ସଂକ୍ରମଣ ବୃଦ୍ଧିକୁ ଦେଖି ବିଭିନ୍ନ ରାଜ୍ୟରେ କରୋନା ଗାଇଡ୍ଲାଇନ କଡ଼ାକଡ଼ି କରାଯାଇଛି। କେରଳରେ ଡାକ୍ତରକାନାରେ ମାସ୍କ ବାଧ୍ୟତାମୁଳକ କରାଯାଇଥିବା ବେଳେ ୟୁପିରେ ସବୁ ପଜିଟିଭ୍ର ଜେନୋମ ସିକ୍ୟୁଏନ୍ସ ଟେଷ୍ଟ କରିବାକୁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦିଲ୍ଲୀରେ ସ୍କୁଲ୍ ଅନ୍ଲାଇନ୍ କରିବାକୁ ଦାବି ହୋଇଛି। ନହେଲେ ସ୍କୁଲ୍ରେ ମାସ୍କ ବାଧ୍ୟତାମୁଳ କରିବା ପାଇଁ ଅବିଭାବକମାନେ ଦାବି କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଓ୍ବାର୍ଲଡୋ ମିଟରର ସଂଖ୍ୟା ଅନୁଯାୟୀ, ଭାରତ ପୁଣିଥରେ ସଂକ୍ରମିତ ଥିବା ଟପ ୫ ଦେଶ ତାଲିକାରେ ସାମିଲ ହୋଇଛି। ରବିବାର ସୁଦ୍ଧା ସବୁଠାରୁ ଅଧିକ ସଂକ୍ରମିତ ଦେଶ ମଧ୍ୟରେ ରହିଛି ଦକ୍ଷିଣ କୋରିଆ୯୭୨୪, ଦ୍ୱିତୀୟରେ ରୁଷିଆ ୯,୫୯୧ ସଂକ୍ରମିତ, ଜପାନରେ ୬,୨୯୦, ଫ୍ରାନ୍ସରେ ୬୦୨୭ କରୋନା ସଂକ୍ରମିତ ଥିବା ବେଳେ ଏହା ପଛକୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୩,୬୪୧ ରହିଛି।
ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ ୩,୬୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ସକ୍ରିୟ ସଂଖ୍ୟା ୨୦,୨୧୯ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଆଜି ଚଳିତ ମାସରେ ପ୍ରଥମ ଥର ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ଦିନକରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। ମୃତକଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ୩, ଦିଲ୍ଲୀ ଓ କେରଳ, କର୍ଣ୍ଣାଟକ ଓ ରାଜସ୍ଥାନରେ ଜଣେ ଲେଖାଏ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୦,୮୯୨ ହୋଇଛି। ୪ ଜଣ କେରଳ କରୋନା ମୃତ୍ୟୁ ହୋଇଥିବା ପରେ ଜଣାପଡ଼ିଛି। ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ୍ ହାର୍ ୬.୧୨ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭ୍ ହାର ୨.୪୫ ପ୍ରତିଶତ ରହିଛି। ନୂଆ ସଂକ୍ରମଣକୁ ମିଶାଇଲେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪.୪୭କୋଟି(୪,୪୭,୨୬,୨୪୬) ହୋଇଛି। ସକ୍ରିୟ ହାର ୦.୦୫ ପ୍ରତିଶତରେ ପହଞ୍ଚିଥିବା ବେଳେ ଜାତୀୟ ସୁସ୍ଥ ହାର ୯୮.୭୬ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବ୍ସାଇଟ୍ରୁ ସୂଚନା ମିଳିଛି। ଦେଶରେ ମୋଟ ସୁସ୍ଥ ସଂଖ୍ୟା ୪. ୪୧ କୋଟି(୪,୪୧,୭୪,୧୩୫) ହୋଇଥିବା ବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୨୨୦,୬୬ କୋଟି କୋଭିଡ୍ ଭ୍ୟାକ୍ସିନ୍ ଡୋଜ୍ ଦିଆଯାଇସାରିଥିବା ବେଳେ ଟିକାକରଣ ଜାରି ରହିଛି।