ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ : ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫୨-୧
ନଟିଂହାମ : ଭାରତ-ଇଂଲଣ୍ଡ ମଧ୍ୟରେ ନଟିଂହାମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ଜାରି ରହିଛି । ଶନିବାର ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୧ ଓ୍ୱିକେଟ୍ ହରାଇ ୫୨ ରନ୍ ସଂଗ୍ରହ କରିଛି । କ୍ରିଜରେ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ଉଭୟ ୧୨ ରନ୍ କରି ଅପାରେଜୟ ରହିଛନ୍ତି । ସେହିପରି କେଏଲ ରାହୁଲ ୨୬ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି । ଭାରତକୁ ଜିତିବାକୁ ଆଉ ମାତ୍ର ୧୫୭ ରନ୍ ଆବଶ୍ୟକ ରହିଛି ।
ଶୁକ୍ରବାର ଭାରତ ୨୭୮ ରନରେ ଅଲଆଉଟ ହେବା ପରେ ଇଂଲିଶ ଟିମ୍ ତା’ର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିଲା। ଗତକାଲି ଦଳ ବିନା କୌଣସି ୱିକେଟ ହରାଇ ବେଶ ସତର୍କତାର ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲା। ଶନିବାର ମଧ୍ୟ ଆରମ୍ଭରୁ ଦଳର ଦୁଇ ଓନପର ରୋରୀ ବର୍ନସ ଓ ଡମ ସିବଲେ ଚମତ୍କାର ବ୍ୟାଟିଂ କରିଥିଲେ। ତେବେ ଦଳୀୟ ସ୍କୋର ୩୭ ଥିବା ବେଳେ ମହମ୍ମଦ ସିରାଜ ୧୮ ରନ୍ କରିଥିବା ବର୍ନସଙ୍କୁ ଆଉଟ କରିଥିଲେ। ଜ୍ୟାକ କ୍ରଉଲୀ(୬) ମଧ୍ୟ ବେଶୀ ସମୟ କ୍ରିଜରେ ରହି ପାରି ନଥିଲେ। ତାଙ୍କ ୱିକେଟ ବୁମ୍ରା ନେଇଥିଲେ। ତେବେ ସିବଲେ ଓ ରୁଟ୍ ଦମଦାର ବ୍ୟାଟିଂ କରିଥିଲେ। ବିଶେଷ କରି ରୁଟ୍ ନିଜର ବ୍ୟାଟିଂ ଯାଦୁ ଦେଖାଇଥିଲେ। ପ୍ରଥମେ ସେ ସିବଲେ(୨୮)ଙ୍କ ସହ ମିଶି ୮୯ ରନର ଭାଗିଦାରୀ କରିଥିଲେ। ସିବଲେଙ୍କୁ ବୁମ୍ରା ଆଉଟ କରିବା ପରେ ରୁଟ୍ ଜନ୍ନି ବେୟାରଷ୍ଟୋଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତେବେ ୩୦ ରନ୍ କରିଥିବା ବେୟାରଷ୍ଟୋଙ୍କୁ ସିରାଜ ଆଉଟ କରି ଟିମ୍ ଇଣ୍ଡିଆକୁ କମବ୍ୟାକ୍ର ସୁଯୋଗ ଦେଇ ଥିଲେ। ଡାନିଏଲ ଲାୱରେନ୍ସ(୨୫) ଓ ଜୋଶ ବଟଲର(୧୭) ମଧ୍ୟ ବେଶୀ ସମୟ ବ୍ୟାଟିଂ କରିବାକୁ ଅକ୍ଷମ ହୋଇଥିଲେ। ଉଭୟଙ୍କ ୱିକେଟ ଶାର୍ଦ୍ଦୁଲ ଠାକୁରଙ୍କ ଖାତାକୁ ଯାଇଥିଲା। ଗୋଟିଏ ପଟେ ୱିକେଟ ଖସୁ ଥିଲେ ମଧ୍ୟ ଅନ୍ୟପଟେ ରୁଟ ଚମତ୍କାର ଶଟ୍ ଖେଳି ନିଜ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜ ଟେଷ୍ଟ କ୍ୟାରିୟରରେ ଆଉ ଏକ ଶତକ ଯୋଡ଼ିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୧ ତମ ଶତକ । ସେ ୧୦୯ ରନ୍ କରିଥିବା ବେଳେ ବୁମ୍ରା ତାଙ୍କୁ ଆଉଟ କରି ଘରୋଇ ଟିମ୍କୁ ବଡ଼ ଝଟକା ଦେଇଥିଲେ। ଆଉଟ ହେବା ପୂର୍ବରୁ ସେ ୧୪ଟି ଚୌକା ସହ ୧୦୯ ରନ୍ର ଇନିଂସ୍ ଖେଳିଥିଲେ। ଶେଷ ଭାଗରେ ସାମ କରାନ ୩୨ ଓ ରବିନସନ ୧୫ ରନ୍ କରିବାରୁ ଇଂଲଣ୍ଡ ତା’ ଦ୍ୱିତୀୟ ଇନିଂସ୍ରେ ୩୦୦ ରନ୍ ପାର କରିଥିଲା। ଏଥିସହ ଭାରତକୁ ବିଜୟ ପାଇଁ ଚ୍ୟାଲେଞ୍ଜିଂ ୨୦୯ ରନ୍ର ଟାର୍ଗେଟ ଦେବାକୁ ସକ୍ଷମ ହୋଇଥିଲେ। କରନାଙ୍କ ୱିକେଟ ବୁମ୍ରା ନେଇଥିବା ବେଳେ ରବିନସନଙ୍କ ୱିକେଟ ମହମ୍ମଦ ଶାମିଙ୍କ ଖାତାକୁ ଯାଇଛି। ଷ୍ଟୁଆର୍ଟ ବ୍ରଡ(୦)ଙ୍କୁ ମଧ୍ୟ ବୁମ୍ରା ଆଉଟ କରିଥିଲେ। ଭାରତ ପକ୍ଷରୁ ବୁମ୍ରା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ସିରାଜ ଓ ଶାର୍ଦ୍ଦୁଲ ଠାକୁର ଦୁଇଟି ଲେଖାଏ ୱିକେଟ ନେଇଛନ୍ତି। ଶାମିଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।