ଆଜି ଠାରୁ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ
- ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ପ୍ରତ୍ୟାବର୍ତନ ଆଶାରେ ଘରୋଇ ଟିମ୍
ନୂଆଦିଲ୍ଲୀ : ଆଜିଠୁ ଭାରତ-ଘରୋଇ ଇଂଲଣ୍ଡ ତୃତୀୟ ଟେଷ୍ଟ୍ । ବୁଧବାର ଠାରୁ ହେଡିଂଲିର ଲିଡ୍ସ ଗ୍ରାଉଣ୍ଡରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତ ସୁବିଧାଜନକ ସ୍ଥିତିରେ ଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଥିଲା। ପରେ ଲର୍ଡସରେ ନାଟକୀୟ ବିଜୟ ହାସଲ ପରେ ଆତ୍ମବିଶ୍ବାସରେ ଥିବା ବିରାଟ କୋହଲିଙ୍କ ଦଳ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ଖେଳିବ। ଭାରତ ୧-୦ରେ ଆଗୁଆ ଥିବାରୁ ଶୃଙ୍ଖଳାରେ ପ୍ରଧାନ୍ୟ ଜାରି ରଖିବାକୁ ଚାହିଁବ ଟିମ୍ ଇଣ୍ଡିଆ । ଆଉ ଏକ ବିଜୟ ପାଇଲେ ଭାରତ ମଧ୍ୟ ଶୃଙ୍ଖଳାରେ ସୁରକ୍ଷିତ ରହିପାରିବ। ସେହିପରି ଏହି ମ୍ୟାଚରେ ପ୍ରତ୍ୟାବର୍ତନ ଆଶା ରଖିଛି ଘରୋଇ ଇଂଲଣ୍ଡ ଟିମ୍। ଅନ୍ୟପକ୍ଷରେ ଆହତ ସମସ୍ୟା ଭିତରେ ଯୁଝୁଥିବା ଘରୋଇ ଜୋ ରୁଟ୍ ଙ୍କ ଦଳ ପ୍ରତ୍ୟାବର୍ତନ କରିବାକୁ ଆଶା ରଖିଛି। ପ୍ରଥମ ଦୁଇ ଟେଷ୍ଟରେ ଭାରତ ସବୁ ଦିଗରୁ ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା। ଏପରିକି ଭାରତର ଶୀର୍ଷ ମଧ୍ୟକ୍ରମରେ ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଲମ୍ବା ପାଳି ଖେଳିପାରିନଥିଲେ ମଧ୍ୟ ଦଳ ବିଜୟୀ ହୋଇଛି। ୨୦୧୯ ନଭେମ୍ବର ମାସ ପରଠାରୁ ବିରାଟ କୋହଲିଙ୍କ ବ୍ୟାଟରୁ ଅନ୍ତର୍ଜାତୀୟ ଶତକ ମିଳିନାହିଁ। ପ୍ରଥମ ଦୁଇ ଟେଷ୍ଟ୍ ରେ କୋହଲି ଭଲ ବ୍ୟାଟିଂ କରିପାରି ନାହାନ୍ତି । ତୃତୀୟ ଟେଷ୍ଟରେ ତାଙ୍କଠାରୁ ଦଳ ଅଧିକ ଆଶା ରଖିଛି । ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଜରିଆରେ ଭାରତର ବ୍ୟାଟିଂ ଦୃଢ଼ ରହିଛି। ଲିଡ୍ ସର ହେଡିଙ୍ଗଲେ ପିଚ୍ ମଧ୍ୟ ଦ୍ରୁତ ବୋଲରଙ୍କୁ ସୁହାଇବ। ଏହି କାରଣରୁ ଭାରତ ଏହାର ୪ ଜଣିଆ ପେସ୍ ଆକ୍ରମଣ ଯୋଜନାରେ ଅଟଳ ରହିପାରେ । ଫଳରେ ଯଶପ୍ରୀତ୍ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ ଖେଳିବା ନିଶ୍ଚିତ।
ସୂଚନା ଯେ, ୨୦୦୨ରେ ଶେଷଥର ପାଇଁ ଲିଡ୍ସ ପଡ଼ିଆରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ସଚିନ ତେନ୍ଦୁଲକରଙ୍କ ୧୯୩, ରାହୁଲ ଦ୍ରାବିଡ଼ଙ୍କ ୧୪୮ ଓ ସୌରଭ ଗାଙ୍ଗୁଲିଙ୍କ ୧୨୮ ରନ୍ ବଳରେ ଭାରତ ଇନିଂସ ବିଜୟ ହାସଲ କରିଥିଲା। ଏବେ ଉପରୋକ୍ତ ୩ ମହାରଥୀଙ୍କ ପରି ବ୍ୟାଟ୍ସମ୍ୟାନ୍ ଭାରତୀୟ ଦଳରେ ନାହାନ୍ତି ସତ; ଏବେ ଭାରତୀୟ ଦଳରେ ପେସ୍ ଆକ୍ରମଣ ଯେତେ ଶକ୍ତିଶାଳୀ ଅଛି; ୧୯ ବର୍ଷ ତଳେ ସେପରି ନଥିଲା। ଏହି କାରଣରୁ ୩ୟ ଟେଷ୍ଟରେ ଭାରତ ଜିତିବାର ସମ୍ଭାବନା ଅଧିକ। ୨୦୧୧, ୨୦୧୪ ଓ ୨୦୧୮ରେ ଇଂଲଣ୍ଡ ଗସ୍ତରେ ଭାରତ ୧ରୁ ଅଧିକ ଟେଷ୍ଟମ୍ୟାଚ୍ ଜିତି ପାରିନଥିଲା।
ସମ୍ଭାବିତ ଇଂଲଣ୍ଡ: ଜୋଏ ରୁଟ (କ୍ୟାପଟେନ), ଜୋସ ବଟଲର (ୱିକେଟକିପର), ରୋରୀ ବୁର୍ନସ, ହସୀବ ହମୀଦ, ଦାୱିଦ ମଲାନ, ଜନି ବେୟାରଷ୍ଟୋ, ମୋଇନ ଅଲୀ, ସାମ କୁରାନ, ଓଲି ରବିନସନ, ସାକିବ ମହମ୍ମଦ, ଜେମ୍ସ ଆଣ୍ଡରସନ, କ୍ରାଇଗ ଓଭରଟନ, ଡାନିଏଲ ଲରେନ୍ସ ଓ ଓଲି ପୋପ ।
ସମ୍ଭାବିତ ଭାରତ: ବିରାଟ କୋହଲି (କ୍ୟାପଟେନ), ଋଷଭ ପନ୍ତ (ୱିକେଟକିପର), ରୋହିତ ଶର୍ମା, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଜସପ୍ରୀତ ବୁମାରା, ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ ଓ ଉମେଶ ଯାଦବ ।