ଭାରତ ଚୀନ ସମ୍ପର୍କ ସବୁଠାରୁ କଠିନ ପରିସ୍ଥିତି ଦେଇ ଗତି କରୁଛି : ବିଦେଶ ମନ୍ତ୍ରୀ
ନୂଆଦିଲ୍ଲୀ : ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ ଭାରତ ଏବଂ ଚୀନ୍ ସମ୍ବନ୍ଧ ବର୍ତମାନ ସବୁଠାରୁ କଠିନ ସମୟ ଦେଇ ଗତି କରୁଛି । ଏହାର ମୁଖ୍ୟ କାରଣ ଚୀନର ସୀମାରେ ବଡ଼ ସଂଖ୍ୟାରେ କରାଯାଇଥିବା ସୈନ୍ୟ ଜମା ଅଟେ । ଏହା ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣାର ଉଲ୍ଲଂଘନ ଅଟେ । ମ୍ୟୁନିଖ ସୁରକ୍ଷା ସମ୍ମିଳନୀ(ଏମ୍ଏଲ୍ଲି)- ୨୦୨୨ର ପ୍ୟାନେଲ ଡିସ୍କସନରେ ବିଦେଶ ମନ୍ତ୍ରୀ ଏହି ବିଷୟରେ ଜୋର ଦେଇ କହିଛନ୍ତି ଯେ ସୀମାରେ ସ୍ଥିତି ସମ୍ବନ୍ଧର ସ୍ଥିତି ନିର୍ଦ୍ଧାରଣ କରେ । ସେ କହିଛନ୍ତି ଯେ ବାସ୍ତବିକ ନିୟନ୍ତ୍ରଣ ରେଖାକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ଗତିରୋଧ ହୋଇଛି । ଏକ ପ୍ରଶ୍ନର ଉତରରେ ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ସୀମାରେ ୪୫ବର୍ଷ ପର୍ଯ୍ୟନ୍ତ ଶାନ୍ତି ରହିଛି । ୧୯୭୫ ପରେ ସୀମାରେ କୌଣସି ଘଟଣା ହୋଇନାହିଁ । ଏହି ସ୍ଥିତି ଏବେ ବଦଳୁଛି, କାହିଁକି ନା ଚୀନ ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ବୁଝାମଣାର ଉଲ୍ଲଂଘନ କରିଛି ଯେଉଁଥିରେ ଏହା ନିଶ୍ଚିତ କରାଯାଇଥିଲା ଯେ ସୀମାରେ ସୈନ୍ୟ ଛାଉଣୀ ହେବନାହିଁ ।
ଜର୍ମାନୀର ମ୍ୟୁନିଚ ସୁରକ୍ଷା ସମ୍ମିଳନୀ ୨୦୨୨ ଆଲୋଚନାକୁ ସମ୍ବୋଧିତ କରିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତ ଓ ଚାଇନା ମଧ୍ୟରେ ଥିବା ସମ୍ପର୍କ ବିଷୟରେ ସୂଚନା ଦେଇଛନ୍ତି । ଗୋଟିଏ ପ୍ରଶ୍ନର ଉତରରେ ସେ କହିଛନ୍ତି, “ଚାଇନା ସହିତ ଭାରତର ଗୋଟିଏ ସମସ୍ୟା ରହିଛି । ଆଉ ସେହି ସମସ୍ୟା ହେଉଛି ୧୯୭୫ରୁ ୪୫ ବର୍ଷ ଧରି ସୀମାରେ ଶାନ୍ତି ଥିଲା, ସେଠାରେ ସ୍ଥାୟୀ ସୀମା ପରିଚାଳନା ଥିଲା, କୌଣସି ସାମରିକ କ୍ଷୟକ୍ଷତି ହୋଇ ନଥିଲା । ବର୍ତମାନ ଏହା ବଦଳି ଯାଇଛି । କାରଣ ସୀମାରେ ବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ କୌଣସି ସାମରିକ ବାହିନୀକୁ ନିୟୋଜିତ ନ କରିବା ପାଇଁ ଦୁଇ ଦେଶ ଚୁକ୍ତି କରିଥିଲେ । କିନ୍ତୁ ଚାଇନା ଏବେ ସେହି ଚୁକ୍ତି ଗୁଡ଼ିକର ଉଲ୍ଲଂଘନ କରିଛି । ସ୍ୱାଭାବିକ ଭାବେ ସୀମା ସ୍ଥିତି, ସମ୍ପର୍କର ସ୍ଥିତି ସ୍ଥିର କରିବ । ବର୍ତମାନ ଚାଇନା ସହ ସମ୍ପର୍କ ଅତ୍ୟନ୍ତ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି । ପାଙ୍ଗଙ୍ଗ ହ୍ରଦ ଅଂଚଳରେ ହିଂସାତ୍ମକ ସଂଘର୍ଷ ପରେ ପୂର୍ବ ଲଦାଖରେ ଭାରତ ଓ ଚାଇନାର ଯବାନଙ୍କ ମଧ୍ୟରେ ସୀମାକୁ ନେଇ ତିକ୍ତତା ଆରମ୍ଭ ହୋଇଥିଲା । ଉଭୟ ପକ୍ଷ ଧୀରେଧୀରେ ସୀମାରେ ନିଜର ନିଜର ସୈନ୍ୟ ଓ ଅସ୍ତ୍ରଶସ୍ତ୍ରର ସହଖ୍ୟାକୁ ବଢ଼ାଇଥିଲେ । ଏସବୁ ଭିତରେ ୨୦୨୦ ଜୁନ୍ ୧୫ରେ ଗଲୱାନ୍ ଘାଟିରେ ଦୁଇ ଦେଶ ମଧ୍ୟରେ ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏହି ଘଟଣା ଉତ୍ତେଜନାକୁ ଆହୁରି ବୃଦ୍ଧି କରିଥିଲା । ଯେତେବେଳେ ଗୋଟିଏ ଦେଶ ନିଜର ଲିଖିତ ପ୍ରତିଶ୍ରୁତିକୁ ପୂରଣ ନ କରିବ ସେତେବେଳେ ତିକ୍ତତା ଦେଖାଯିବା ସ୍ୱାଭାବିକ । ଏହା କେବଳ ଭାରତ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ ଚିନ୍ତାର ବିଷୟ ।”