ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦, ଦାଉ ସାଜିପାରେ ବର୍ଷା
ଥିରୁଅନନ୍ତପୁରମ୍: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଥିରୁବନନ୍ତପୁରମ୍ର ଗ୍ରୀନ୍ଫିଲ୍ଡ ଷ୍ଟାଡିୟମରେ ଖେଳାଯିବ। ଦିନିକିଆ ଫାଇନାଲ୍ର ଦୁଃଖକୁ ଭାରତୀୟ ଦଳ ଟି-୨୦ ଶୃଙ୍ଖଳା ପ୍ରଥମ ମ୍ୟାଚ୍ରେ କିଛିଟା ଭୁଲାଇବାରେ ସକ୍ଷମ ହୋଇଛି। ବରିଷ୍ଠ ଖେଳାଳିମାନଙ୍କ ଉପରେ ଲାଗିଥିବା ଦାଗକୁ ଲିଭାଇବାରେ ଯୁବ ଖେଳାଳିମାନେ କେତେକାଂଶରେ ସଫଳ ହୋଇଛନ୍ତି। ଏବେ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ପାଇଁ ଦୁଇ ଦଳ ଅଣ୍ଟା ଭିଡ଼ିଛନ୍ତି। ଥିରୁଅନନ୍ତପୁରମ୍ର ଗ୍ରିନ୍ଫିଲ୍ଡ ଷ୍ଟାଡିୟମ୍ରେ ରବିବାର ସନ୍ଧ୍ୟା ବେଳେ ଏହି ମ୍ୟାଚ୍ ଆରମ୍ଭ ହେବ। କିନ୍ତୁ ଏଠାକାର ପାଣିପାଗ ଦର୍ଶକମାନଙ୍କୁ ନିରାଶ କରିପାରେ। ପ୍ରବଳ ବର୍ଷା ଯୋଗୁଁ ଅପରାହ୍ଣରେ ଅଭ୍ୟାସ କରିବା ସମ୍ଭବ ହୋଇନାହିଁ। ରବିବାର ସନ୍ଧ୍ୟାରେ ମଧ୍ୟ ବର୍ଷା ହେବା ପୂର୍ବାନୁମାନ କରାଯାଇଛି।
ସେଠାକାର ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଉପକୂଳ ଅଞ୍ଚଳରେ ରବିବାର ସକାଳ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ ପ୍ରଶଂସକ ଖେଳକୁ ଭରପୂର ଉପଭୋଗ କରିପାରିବେ। ତେବେ ଗ୍ରୀନ୍ଫିଲ୍ଡ ଷ୍ଟାଡିୟମରେ ପାଣିକୁ କିପରି ଡ୍ରେନେଜ୍ କରାଯିବ, ତାହା ଏବେ ଚାଲେଞ୍ଜ ହେବ। ତେବେ ବର୍ଷା କାରଣରୁ ଗ୍ରାଉଣ୍ଡକୁ ପାଲରେ ଆଚ୍ଛାଦିତ କରାଯାଇଛି। ତେବେ ସବୁଠୁ ବଡ଼ କଥା ହେଲା ଭାରତ ପ୍ରଥମ ମ୍ୟାଚ ଜିତିବା ସହ ୧-୦ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ଏହି ମ୍ୟାଚ୍କୁ ଜିତିବା ପାଇଁ ସବୁ କୌଶଳ ବିନିଯୋଗ କରିବ।
ପ୍ରଥମ ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନକୁ ଦେଖିଲେ ଦ୍ବିତୀୟ ମ୍ୟାଚ୍ ସେମାନଙ୍କ ପାଇଁ ପରୀକ୍ଷା ସଦୃଶ ହେବ। କାରଣ ଦ୍ରୁତ ବୋଲର ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ସ୍ପିନର ରବି ବିଷ୍ଣୋଇ ଠିକ୍ ଲୟ ପାଇବାକୁ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଏହି ତିନିଜଣ ବ୍ୟୟବହୁଳ ହୋଇଥିଲା ବେଳେ ମୁକେଶ କୁମାର ଓ ଅଭିଜ୍ଞ ସ୍ପିନର ଅକ୍ଷର ପଟେଲ ପ୍ରତିପକ୍ଷଙ୍କୁ ନିୟନ୍ତ୍ରଣରେ ରଖିପାରିଥିଲେ। ବ୍ୟାଟର୍ଙ୍କ ମଧ୍ୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ ଅର୍ଦ୍ଧଶତକୀୟ ପାଳି ଖେଳି ବିଶ୍ବକପ୍ ଅଭିଯାନକୁ ଜାରି ରଖିଥିଲେ। ଦିନିକିଆ କ୍ରିକେଟ୍ରେ ସଂଘର୍ଷ କରୁଥିବା ସୂର୍ଯ୍ୟ, ଟ୍ବେଣ୍ଟି-୨୦ରେ ମିଷ୍ଟର ୩୬୦ ଟ୍ୟାଗ୍କୁ ଯଥାର୍ଥ ପ୍ରମାଣିତ କରିଥିଲେ। ଈଶାନ ଓ ସୂର୍ଯ୍ୟ ରନ୍ ବର୍ଷା କରି ଭାରତକୁ ବିଜୟ ଦ୍ବାର ନିକଟରେ ପହଞ୍ଚାଇଥିଲେ। ଅନ୍ୟପକ୍ଷରେ ରିଙ୍କୁ ସିଂହ, ଯଶସ୍ବୀ ଜୟସ୍ବାଲଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ କରିଥିଲା। କେବଳ ଋତୁରାଜ ଗାଏକ୍ବାଡ ଦୁର୍ଭାଗ୍ୟବସତଃ ରନ୍ଆଉଟ୍ ହୋଇଯାଇଥିଲେ। ତଥାପି ଦ୍ବିତୀୟ ମ୍ୟାଚ୍ରେ ଭାରତକୁ ଅଗ୍ରଣୀ ପାଇବାକୁ ହେଲେ ପୂର୍ବ ପ୍ରଦର୍ଶନକୁ ଦୋହରାଇବାକୁ ପଡ଼ିବ।
ଅଷ୍ଟ୍ରେଲିଆ ଶିବିରରେ କେବଳ ଜୋସ୍ ଇଂଲିସ ଓ ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ହିଁ ଭାରତୀୟ ବୋଲରଙ୍କୁ ଖେଳିପାରିଥିଲେ। ସ୍ମିଥ୍ ତାଙ୍କ ସ୍ଥାନ ବଦଳାଇ ପାଳି ଆରମ୍ଭ କରିବାକୁ ଆସିଥିଲେ। ତେଣୁ ଦ୍ବିତୀୟ ମ୍ୟାଚ୍ରେ ମଧ୍ୟ ଏହି ପରୀକ୍ଷା ଜାରି ରଖିପାରନ୍ତି। କିନ୍ତୁ ତାଙ୍କୁ ଯେଉଁ ଦାୟିତ୍ବ ଦିଆଯାଇଥିଲା, ତାହାକୁ ସେ ଶତପ୍ରତିଶତ ହାସଲ କରିଥିବା କୁହାଯାଇପାରିବନି। କାରଣ ପ୍ରାରମ୍ଭିକ ବ୍ୟାଟର୍ ଭାବେ ଦ୍ରୁତ ରନ୍ ବାହାର କରିବା ପାଇଁ ତାଙ୍କୁ ଉପରେ ପଠାଯାଇଥିଲା, ହେଲେ ଦଳ ଯେଉଁ ଗତି ଆବଶ୍ୟକ କରୁଥିଲା ତାହା ସେ ଦେଇପାରି ନଥିଲେ। ତଥାପି ଇଂଲିସ୍ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ୨୦୦ ଅତିକ୍ରମ କରିପାରିଥିଲା। ବୋଲରଙ୍କ ମଧ୍ୟରେ ଜାସନ ବେହରେନଡର୍ଫଙ୍କୁ ଛାଡ଼ିଦେଲେ ଅନ୍ୟମାନେ ବ୍ୟୟବହୁଳ ହୋଇଥିଲେ। ତେଣୁ ଏସବୁ ତ୍ରୁଟିରୁ ନିଜକୁ ସୁଧାରି ନେଇ ଅଷ୍ଟ୍ରେଲିଆ ଖେଳାଳିମାନେ ଗ୍ରିନଫିଲ୍ଡ ଷ୍ଟାଡିୟମ୍ରେ ବିଜୟ ଖାତା ଖୋଲିବାକୁ ଚାହିବେ। ପ୍ରଥମ ମ୍ୟାଚ୍ରେ ବିଶ୍ବକପ୍ ଦଳର ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଥିଲା। କେବଳ ସ୍ମିଥ୍ ଓ ଇଂଲିଶ ଏକାଦଶରେ ଖେଳିଥିଲେ। ତେଣୁ ଦ୍ବିତୀୟ ମ୍ୟାଚ୍ରେ ଭ୍ରମଣକାରୀ ଦଳ କିଛିଟା ପରିବର୍ତ୍ତନ କରିପାରେ। ଅନ୍ୟପଟେ ଭାରତୀୟ ଦଳ ତାହାର ବିଜୟୀ ଦଳକୁ ଅପରିବର୍ତ୍ତିତ ରଖିବା ଯଥେଷ୍ଟ ସମ୍ଭାବନା ରହିଛି।
ସମ୍ଭାବ୍ୟ ଭାରତୀୟ ଏକାଦଶ : ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ଯଶସ୍ବୀ ଜୟସ୍ବାଲ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ରିଙ୍କୁ ସିଂହ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ମୁକେଶ କୁମାର।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ : ମାଥ୍ୟୁ ସର୍ଟ, ମାଥ୍ୟୁ ୱେଡ, ଷ୍ଟିଭ୍ ସ୍ମିଥ୍/ଟ୍ରାଭିସ ହେଡ୍, ଜୋସ ଇଂଲିସ, ଗ୍ଲେନ୍ ମ୍ୟାକ୍ସେୱେଲ, ମାର୍କସ ଷ୍ଟୋଇନିସ, ଟିମ୍ ଡେଭିଡ୍, ନାଥନ ଏଲିସ୍, ସିନ୍ ଆବୋଟ, ଜାସନ ବେହରେନଡର୍ଫ, ଆଡ଼ାମ ଜାମ୍ପା/ତନବୀର ସଂଘ।