ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟି-୨୦: ଦେଖିବାକୁ ମିଳିବ ୩ ବଡ଼ ଡେବ୍ୟୁ
ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ । ଏହି ମ୍ୟାଚ୍ ମାଧ୍ୟମରେ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ୮ ବର୍ଷ ପରେ କ୍ରିକେଟ୍ ଫେରିବ । କିନ୍ତୁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହେବାର ଏହା ଏକମାତ୍ର କାରଣ ହେବ ନାହିଁ । ଏହି ମ୍ୟାଚରେ ୩ଟି ବଡ଼ ଡେବ୍ୟୁ ଦେଖିବା ସହ ସ୍ପେଶାଲ ହେବାକୁ ଯାଉଛି ।
ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ମାଧ୍ୟମରେ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚର ଡେବ୍ୟୁ ହେବ । ଅର୍ଥାତ ଏହି ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହା ପ୍ରଥମ ଟି-୨୦ ମ୍ୟାଚ୍ ହେବ । ଭାରତୀୟ ଦଳ ପୂର୍ବରୁ ସୱାଇ ମାନସିଂହ ଷ୍ଟାଡିୟମରେ ୧୩ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛି, ଯେଉଁଥିରେ ୧୨ଟି ଦିନିକିଆ ଓ ଗୋଟିଏ ଟେଷ୍ଟ ମ୍ୟାଚ୍ ସାମିଲ ଅଛି । ଏହି ୧୩ଟି ମ୍ୟାଚରେ ଭାରତର ରେକର୍ଡ ଏହି ଗ୍ରାଉଣ୍ଡରେ ଚମତ୍କାର ରହିଛି । ଏହି ୧୨ଟି ଦିନିକିଆ ମଧ୍ୟରୁ ୮ଟି ଜିତିଥିବାବେଳେ ଏଠାରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ଡ୍ରରେ ଶେଷ ହୋଇଛି । ଅବଶ୍ୟ ଏସବୁ ୮ ବର୍ଷ ପୂର୍ବେ ଘଟିଥିଲା । ଏଥର କ୍ରିକେଟର ଫର୍ମାଟ୍ ନୂଆ ଓ ଉଭୟ ଦଳ ମଧ୍ୟ ବହୁତ ପରିବର୍ତ୍ତନ କରିଛି । ତେଣୁ, ବିଜୟ ପାଇଁ ଲଢ଼େଇ ଜୋରଦାର ହୋଇପାରେ । ସେହିପରି ଜୟପୁରରେ ଖେଳାଯିବାକୁ ଥିବା ଭାରତ-ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଟି-୨୦ ମ୍ୟାଚ୍ ମାଧ୍ୟମରେ ରାହୁଲ ଦ୍ରାବିଡ ମଧ୍ୟ ହେଡ୍ କୋଚ୍ ଭାବରେ ଟିମ୍ ଇଣ୍ଡିଆ ପାଇଁ ଅଫିସିଆଲ୍ ଡେବ୍ୟୁ କରିବେ । ଏହି ପଦରେ ସେ ରବି ଶାସ୍ତ୍ରୀ ଙ୍କ ସ୍ଥାନ ନେଇଛନ୍ତି, ଯାହାଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ ୨୦୨୧ରେ ଭାରତୀୟ ଦଳର ଯାତ୍ରା ସମାପ୍ତି ହେବା ମାତ୍ରେ ଶେଷ ହୋଇଯାଇଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ରୋହିତ ଶର୍ମାଙ୍କୁ ଭାରତର ପୂର୍ଣ୍ଣକାଳୀନ ଟି-୨୦ ଅନ୍ତର୍ଜାତୀୟ ଅଧିନାୟକ କରାଯାଇଛି । ବିରାଟ କୋହଲି ପଦ ଛାଡିବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ଏଭଳି ପରିସ୍ଥିତିରେ ଆଜି ଖେଳାଯିବାକୁ ଥିବା ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-୨୦ ମ୍ୟାଚ ମଧ୍ୟ ପୂର୍ଣ୍ଣକାଳୀନ ଟି-୨୦ ଅନ୍ତର୍ଜାତୀୟ ଅଧିନାୟକ ହୋଇଥିବା ରୋହିତ ଶର୍ମାଙ୍କ ପ୍ରଥମ ଟି-୨୦ ମ୍ୟାଚ ହେବ । ଅର୍ଥାତ୍ ଏହି ମ୍ୟାଚ୍ ତାଙ୍କର ସମ୍ପୂର୍ଣ୍ଣ ଫ୍ଲେଞ୍ଜ୍ ଟି-୨୦ ଅଧିନାୟକତ୍ୱ କ୍ୟାରିୟରର ଡେବ୍ୟୁ ହେବ ।