ଦୀପାବଳିରେ ଅଘଟଣ; ବାଣ ନିଆଁରେ ଜଳିଗଲା ୪ ବଖରା
ବସ୍ତା : ଦୀପାବଳି ପର୍ବରେ ସବୁଠି ଖୁସିର ମାହୋଲ ଚାଲିଥିବା ବେଳେ ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ପଣ୍ଡରୁଙ୍ଗୀ ଓ ଦତ୍ତପୁର ଗ୍ରାମରେ ସୋମବାର ଅଘଟଣ ଘଟିଛି । ବାଣ ନିଆଁରେ ପଣ୍ଡରୁଙ୍ଗୀ ଗ୍ରାମର ବିନୋଦ ଜେନା ଓ କାହ୍ନୁଚରଣ ଜେନାଙ୍କ ୪ ବଖରା ବାସଗୃହ ଭସ୍ମିଭୂତ ହୋଇଯାଇଛି । ଖବର ପାଇ ବସ୍ତା ଓ ରାସଗୋବିନ୍ଦପୁର ଦମକଳ ବାହିନୀ ପହଞ୍ôଚବା ବେଳକୁ ଘର ସହ ସମସ୍ତ ଆସବାବପତ୍ର, ଧାନ ଚାଉଳ, ବାସନକୁସନ, ଲୁଗା ପଟା ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଥି ସହ ନିଆଁରେ ପୋଡ଼ି ୩ଟି ଛେଳି,୧୨ଟି କୁକୁଡ଼ା ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ଟି ଗୋରୁ ଆହତ ହୋଇଥିବା ଜଣାପଡ଼ିଛି । ରାତିରେ ପିଲାମାନେ ବାଣ ଫୁଟାଉଥିବା ସମୟରେ ଘର ଛପରରେ ନିଆଁ ଲାଗିଥିଲା । ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ସେହିପରି ଦତ୍ତପୁର ଗ୍ରାମର ରମାକାନ୍ତ ବେହେରାଙ୍କ ଘରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟିଥିଲା । ଦମକଳ ବାହିନୀ ପହଞ୍ôଚବା ପୂର୍ବରୁ ସଙ୍ଗେ ସଙ୍ଗେ ଗ୍ରାମବାସୀ ନିଆଁ କୁ ଆୟତ୍ତ କରିବାରେ ସମର୍ଥ ହୋଇଥିଲେ । ଅଗ୍ନିକାଣ୍ଡରେ ବାସହରା ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।