ପଂଚାୟତ ନିର୍ବାଚନ ତୃତୀୟ ପର୍ଯ୍ୟାୟରେ ୭୧% ମତଦାନ
ଗଣମାଧ୍ୟମ ପ୍ରତିନିଧିଙ୍କ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ପଂଚାୟତ ନିର୍ବାଚନର ୩ୟ ପର୍ଯ୍ୟାୟ ପାଇଁ ମତଦାନ ପ୍ରକ୍ରିୟା ସରିଛି । ତୃତୀୟ ପର୍ଯ୍ୟାୟରେ ୭୧% ମତଦାନ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ନିନ୍ଦନୀୟ । ଏହି ଘଟଣାରେ ତୁରନ୍ତ ଦୋଷୀମାନଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ୍ ଡିଜି ଓ ଯାଜପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ମାଲକାନଗିରି ଜିଲ୍ଲାର ମାଥିଲି ଓ ପୋଡିଆ ବ୍ଲକ୍ , କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ମାଓ ପ୍ରବଣ ହୋଇଥିଲେ ହେଁ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । କିଛି ସ୍ଥାନରେ ବିଶୃଙ୍ଖଳା ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି । ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି । ଏହା ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି ।
ସୂଚନା ଯେ, ରବିବାର ସକାଳ ୭ଟାରୁ ମତଦାତାମାନେ ଭୋଟ ଦେଇଛନ୍ତି । ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଜାରି ରହିଥିଲା । ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫% ମତଦାନ ହୋଇଥିଲା । ମତଦାନ ସମୟରେ ସୁରକ୍ଷା ପାଇଁ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ସେହିପରି ୧୬୨୫ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ମୁତୟନ ହୋଇଥିଲେ । ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ୧୭୧ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଂଚାୟତରେ ଉଭୟ ସରପଂଚ ଓ ସମିତି ସଭ୍ୟ ପଦବୀ ନିମନ୍ତେ ରାଜ୍ୟର ୫୬୫୩୪୦୫ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୮୪୯୫ଟି ବୁଥ୍ ଚୂଡ଼ାନ୍ତ ହୋଇଥିବାବେଳେ ସେଥିରୁ ୨୭୭୩ଟି ଉତେଜନାପ୍ରବଣ ବୋଲି ଚିହ୍ନଟ ହୋଇଛି । ଏହି ବ୍ଲକଗୁଡ଼ିକରେ ୧୭୧ଟି ଜିଲ୍ଲା ପରିଷଦ ଜୋନରେ ମୋଟ ୬୭୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ମୋଟ ୫୬.୫୪ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।
ଉଲ୍ଲେଖଯୋଗ୍ୟ,ଏପର୍ଯ୍ୟନ୍ତ ପଂଚାୟତ ନିର୍ବାଚନର ୨ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବୁଧବାର ୭୭.୨% ମତଦାତା ମତଦାନ କରିଛନ୍ତି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮.୩ ପ୍ରତିଶତ ମତଦାନ ହୋଇଛି ।