ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ନଦୀରେ ୩୦ ଗୋଟି ଆଇଏସଏସ ନିର୍ମାଣ ହେବାକୁ ଯାଉଛି
ଭୁବନେଶ୍ବର: ରାଜ୍ୟରେ କେଉଁ ନଦୀରେ କେତେ ଜଳ ପ୍ରବାହିତ ହେଉଛି? ରାଜ୍ୟର ବିଭିନ୍ନ ନଦୀ ଗୁଡିକରେ ବଳକା ଜଳର ବିନିଯୋଗ ନେଇ ରାଜ୍ୟ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ? କେଉଁ ନଦୀରେ ବର୍ଷ ସାରା କେତେ ଜଳ ପ୍ରବାହିତ ହେଉଛି,କେତେ ଜଳ କେଉଁ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି ଗୁରୁବାର ବିଧାନସଭାରେ ଲିଖିତ ପ୍ରଶ୍ନ ଜରିଆରେ ଜାଣିବା ପାଇଁ ଚାହିଁଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହମିଶ୍ର ।
ଜବାବରେ ଜଳ ସମ୍ପଦ ମନ୍ତ୍ରୀ ଉତ୍ତର ଦେଇ କହିଥିଲେ ରାଜ୍ୟରେ ପ୍ରବାହିତ ହେଉଥିବା ପ୍ରମୁଖ ନଦୀ ଗୁଡିକ ହେଉଛି ମହାନଦୀ , ବ୍ରାହ୍ମଣୀ, ବୈତରଣୀ , ବୁଢାବଳଙ୍ଗ, ଋଷିକୁଲ୍ୟା , ବଂଶଧାରା , ନାଗାବଳୀ , ଇନ୍ଦ୍ରାବତୀ , କୋଲାବ , ସୁବର୍ଣ୍ଣରେଖା ଓ ବାହୁଦା । ରାଜ୍ୟରେ ଥିବା ନଦୀ ଗୁଡିକରେ ବର୍ଷସାରା କେତେ ଜଳ ପ୍ରବାହିତ ହେଉଛି , କେତେଜଳ କେଉଁ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି ଏବଂ କେତେ ବଳକା ଜଳ ବ୍ୟବହୃତ ନ ହୋଇ ସମୁଦ୍ରକୁ ବହି ଯାଉଛି ତାର ସବିଶେଷ ତଥ୍ୟ ଲିଖିତ ଆକାରରେ ମନ୍ତ୍ରୀ ଦେଇଛନ୍ତି ।
ଏହାବାଦ ନଦୀ ଅବବାହିକାରେ ଜଳର ଉପଲବ୍ଧତା ଓ ଏହାର ବିନିଯୋଗର ସବିଶେଷ ତଥ୍ୟ ମଧ୍ୟ ମନ୍ତ୍ରୀ ଲିଖିତ ଆକାରରେ ଗୃହରେ ଦେଇଛନ୍ତି । ସେହିପରି ବଳକା ଜଳର ସଦ ବିନିଯୋଗ ନିମନ୍ତେ ପର୍ଯ୍ୟାୟକ୍ରମେ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ନଦୀରେ ୩୦ ଗୋଟି ଆଇଏସଏସ ନିର୍ମାଣ ହେବାକୁ ଯାଉଛି । ଏତତ ବ୍ୟତୀତ ୨୦୨୨-୨୩ ଆର୍ଥିକ ବର୍ଷରେ ୧୬ ଟି ଆଇଏସଏସ ନିର୍ମାଣ କରାଯିବାର ପ୍ରସ୍ତାବ ଅଛି । ଏତଦ ବିଭିନ୍ନ ନଦୀ ମାନଙ୍କରେ ବ୍ୟାରେଜ , ନଦୀବନ୍ଧ ଯୋଜନା ପ୍ରଭୃତି କରିବାପାଇଁ ସର୍ଭେ ଓ ଅନୁସନ୍ଧାନ ଚାଲୁଥିବା ମନ୍ତ୍ରୀ କହିଛନ୍ତି ।