ପାକିସ୍ତାନରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ସ୍ପାଇସ୍ଜେଟ୍ ବିମାନ
ନୂଆଦିଲ୍ଲୀ: ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସ୍ଜେଟ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଉକ୍ତ ବିମାନକୁ ପାଇଲଟ୍ ଜରୁରୀ ଅବତରଣ କରାଇଛନ୍ତି । ପାକିସ୍ତାନର କରାଚିରେ ଏହି ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି । ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ସ୍ପାଇସ୍ଜେଟ୍ ବିମାନ ପ୍ରବକ୍ତାଙ୍କ କହିବା ମୁତାବକ, ସ୍ପାଇସ୍ଜେଟ୍ ବି୭୩୭ ବିମାନଟି ମଙ୍ଗଳବାର ସକାଳୁ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିଲା । ତେବେ ଅଧାବାଟରେ ବିମାନର ଇଣ୍ଡିକେଟର ଲାଇଟ୍ରେ ତ୍ରୁଟି ଯୋଗୁ ଏହାକୁ କରାଚି ବିମାନ ବନ୍ଦରରେ ପାଇଲଟ ଏମରଜେନ୍ସି ଲ୍ୟାଣ୍ଡିଂ କରାଇଥିଲେ । ତେବେ ପୂର୍ବରୁ ବିମାନରେ କୌଣସି ବି ଯାନ୍ତ୍ରିକ ତ୍ରୁଟି ଥିବା ନେଇ ସୂଚନା ନଥିଲା । ଏବେ ଆଉ ଏକ ବିମାନ କରାଚି ପଠାଯାଇଛି । ଏହି ବିମାନ ଉକ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଦୁବାଇ ଅଭିମୁଖେ ଉଡାଣ ଭରିବ ।
ତିନି ଦିନ ପୂର୍ବେ ମଧ୍ୟ ସ୍ପାଇସ୍ଜେଟ୍ର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଜବଲପୁର ଯାଉଥିବା ଏକ ବିମାନରେ ୫ ହଜାର ଫୁଟ ଉଚ୍ଚତାରେ କ୍ୟାବିନ୍ ଭିତରୁ ଧୂଆଁ ବାହାରୁଥିବା ନେଇ ପାଇଲଟ ଦେଖିଥିଲେ । ଏହାପରେ ବିମାନଟି ଶନିବାର ଦିଲ୍ଲୀ ଫେରି ଆସିଥିଲା । ଗତ ଦୁଇ ସପ୍ତାହ ମଧ୍ୟରରେ ସ୍ପାଇସ୍ଜେଟ୍ରେ ଏଭଳି ଘଟଣା ୫ମ ଥର ପାଇଁ ଘଟିଛି । ଏସମସ୍ତ ଘଟଣାର ଯାଂଚ ଚାଲିଛି ।