ମହାରାଷ୍ଟ୍ରରେ ବର୍ଷା, ବନ୍ୟା ଓ ଭୂସ୍ଖଳନ ପାଇଁ ବର୍ତ୍ତମାନ ସୁଦ୍ଧା ୧୨୯ ମୃତ
ମୁମ୍ବାଇ : ମହାରାଷ୍ଟ୍ରରେ ବୁଧବାର ଠାରୁ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବର୍ଷାଜନିତ ବିପତ୍ତି ଦେଖିବାକୁ ମିଳିଛି । ବର୍ଷା, ବନ୍ୟା ଓ ଭୂସ୍ଖଳନ ପାଇଁ ବର୍ତ୍ତମାନ ସୁଦ୍ଧା ୧୨୯ ଜଣଙ୍କର ମୃତ୍ୟୁ ହୋଇସାରିଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ରାୟଗଡ଼ ଏବଂ ସତାରା ଜିଲ୍ଲା ନିବାସୀ ଥିଲେ । ସତାରା ଜିଲ୍ଲାରେ ଏବେବି ୩୦ ଜଣ ନିଖୋଜ ଅଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଭାରତୀୟ ତଟରକ୍ଷୀ ବାହିନୀ, ଏନଡିଆରଏଫର ଯବାନ ଏବଂ ଏସ୍ଡିଆରଏଫ ନିୟୋଜିତ ଅଛନ୍ତି । ପୁଣେ ଅଂଚଳରେ ୮୪ ହଜାର ୪୫୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ପୁଣେ ଏବଂ କୋହ୍ଲାପୁର ସହିତ ପୁଣେ ମଣ୍ଡରେ ସାଂଗଲୀ ଏବଂ ସତାରା ଜିଲ୍ଲା ଆସିଥାଏ । ସତାରାରେ ବର୍ଷା ଏବଂ ଭୂସ୍ଖଳନ ସାଧାରଣ ଜନତାଙ୍କ ପାଇଁ କାଳ ସାଜିଛି ।
କେବଳ ରାଇଗଡ଼ ଜିଲ୍ଲା ତଲଇ ଗାଁରେ ପାହାଡ଼ ଅତଡ଼ା ଧସିବା ଯୋଗୁ ୩୫ଟି ଘର ପୋତି ହୋଇଯାଇଛି । ଫଳରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି। ମୃତକଙ୍କ ମଧ୍ୟରେ ତଲଇରେ ୩୨ଜଣ ଅଛନ୍ତି। ଏନଡିଆରଏଫ ମିଳିତ ଉଦ୍ଧାର କାର୍ଯ୍ୟରେ ଲାଗିଛି। ହେଲିକପ୍ଟର ନିୟୋଜିତ କରାଯାଇଛି। ସ୍ଥିତି ଉପରେ କେନ୍ଦ୍ର ନଜର ରଖିଛି। ମହାରାଷ୍ଟ୍ର ସରକାରଙ୍କ ସହିତ ଅନ୍ୟ ରାଜ୍ୟମାନେ ମଧ୍ୟ କାନ୍ଧ ମିଳାଇଛନ୍ତି । ଓଡ଼ିଶାରୁ ଓଡ୍ରାଫ ଟିମ୍ ମହାରାଷ୍ଟ୍ର ଗସ୍ତ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଏମାନେ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛି ରାଇଗଡ଼, ରତ୍ନଗିରି, କୋହ୍ଲାପୁର, ଥାନେ ଓ ପାଲଘରର ଭଳି ଜିଲ୍ଲା। ରାଇଗଡ଼ ଜିଲ୍ଲାର ୪ଟି ସ୍ଥାନରେ ଭୂ-ସ୍ଖଳନ ହୋଇଛି। କୋଙ୍କଣ ଡିଭିଜନରେ ବର୍ଷା ଜନିତ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୮ ଜଣ ପ୍ରାଣ ହରାଇଥିବା ବେଳେ ୭୦୦ ଲୋକେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି। କୋହ୍ଲାପୁରର ଚିଖାଲୀରେ ଫଶି ରହିଥିବା ଲୋକଙ୍କୁ ବାହାରକୁ ଆଣିବା ଲାଗି ଏନଡିଆରଏଫର ୨ ଟିମ୍ ଲଗାତାର ପ୍ରୟାସ ଜାରି ରଖିଛନ୍ତି। ତେବେ ୨୪ ଘଣ୍ଟା ପାଇଁ ଅନେକ ଜିଲ୍ଲାକୁ ବର୍ଷା ଆଲର୍ଟ ଥିବାରୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି । ଜଳବାୟୁ ପରିବର୍ତ୍ତନକୁ ହିଁ ବିଶେଷ ଭାବେ ଦାୟି କରାଯାଉଛି। କାରଣ ଗତ କିଛି ବର୍ଷ ଧରି ମହାରାଷ୍ଟ୍ରରେ କରାଳ ବନ୍ୟା ସ୍ଥିତି ସୃଷ୍ଟିହେବାରେ ଲାଗିଛି।