ସଙ୍କଟରେ ଗଜରାଜ; କୁଲଡ଼ିହାରୁ ମାଈହାତୀର ମୃତଦେହ ଠାବ
ବର୍ଷକ ମଧ୍ୟରେ ଗଲାଣି ୫ ଜୀବନ
ନୀଳଗିରି : ସଙ୍କଟରେ ଗଜରାଜ । ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରେ ଶନିବାର ପୁଣି ଏକ ମାଇ ହାତୀର ମୃତଦେହ ଠାବ ହୋଇଛି । ହାତୀଟିର ବୟସ ୨୦ରୁ ୨୨ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରୁଛି । ମାଈ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗତ ଏକବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ୫ ହାତୀର ମୃତ୍ୟୁ ହେବା ଘଟଣା ବନବିଭାଗର ନିଦ ହଜାଇ ଦେଇଛି ।
ସୂଚନା ଯେ, ନୀଳଗିରି କୁଲଡ଼ିହା ଅଭୟାରଣ୍ୟର ବାବନ୍ଧ ଫରେଷ୍ଟ ବିଟ୍ ଅଧିନ ସିଆଡ଼ିମାଳ ପଞ୍ଚାୟତ କଦମଶୋଳ ଠାରେ କୁଲଡ଼ିହା ବନ ବିଭାଗ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରିଛି । ଗତ ଶୁକ୍ରବାର ରାତିରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ଶନିବାର ପୂର୍ବାହ୍ନରେ ବନବିଭାଗ ଖବର ପାଇ ବାଲେଶ୍ୱର ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ଆୟୁଷ ଜୈନ, ଏସିଏଫ୍ ସୋଭେନ୍ଦ ଦିଗନ୍ତ ଚାନ୍ଦ, କୁଲଡିହା ରେଞ୍ଜର ଅନନ୍ତ କୁମାର ଜେନା, ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର ଭାଗ୍ୟଶ୍ରୀ ଦିୱେଦୀ, ପ୍ରାଣୀ ଚିକିତ୍ସକ, ସବୁଜ ବାହୀନି ଘଟଣା ସ୍ଥଳରେ ପହଞ୍ôଚ ହାତୀ ମୃତ୍ୟୁର ପ୍ରାଥମିକ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରାଇଥିଲେ । ହାତୀ ମୃତ୍ୟୁର ଖବର ପାଇ ପାଖ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ôଚ ଦେଖିବା ସହ କେହି କେହି ମୁଣ୍ଡିଆ ମାରି ସମ୍ମାନ ଜଣାଇ ଥିଲେ । ପ୍ରାଥମିକ ତଦନ୍ତରୁ ହାତୀର ମୃତ୍ୟୁ ପଛର କାରଣ ଡିଏଫଓ ବୟସାଧିକ ପ୍ରାକୃତିକ ମୃତ୍ୟୁ କହୁଥିବା ବେଳେ ରେଞ୍ଜର ଗର୍ଭ ଯନ୍ତ୍ରଣା ସହିନପାରି ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରୁଛନ୍ତି । ଫଳରେ ଦୁଇ ଅଧିକାରୀଙ୍କ କଥାରେ କୌଣସି ତାଳ ମେଳ ନଥିବାର ଦେଖା ଦେଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ । ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଥିଲା । ସେହିପରି କ୍ରମାଗତ ଭାବେ କୁଲଡ଼ିହା ଅଭୟାରଣ୍ୟରେ ଚଳିତବର୍ଷ ମୋଟ ୫ଟି ହାତୀର ମୃତ୍ୟୁ ଘଟଣାରେ ହାତୀ ବଂଶ ଲୋପ ପାଉଥିବାରୁ ପରିବେଶବିତ୍, ପ୍ରକୃତିପ୍ରେମୀଙ୍କ ଓ ବନାଞ୍ଚଳବାସୀଙ୍କୁ ବ୍ୟଥିତ କରିଛି । ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ବନବିଭାଗର ନିଦ ହଜାଇ ଦେଇଛି । ସ୍ଥାନୀୟ ଲୋକେ ବନବିଭାଗର ଅପାରଗତାକୁ ପ୍ରଶ୍ନ କରିଛନ୍ତି ।
୧- ନୀଳଗିରି- ଶନିବାର- ମୃତ ମାଈ ହାତୀ