ବିହାରରେ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ମନ୍ତ୍ରୀ କୋରୋନା ସଂକ୍ରମିତ ଚିହ୍ନଟ
ପାଟନା: ବିହାର ସରକାରରେ କୋରୋନା ବିସ୍ଫୋରଣ । ବିହାର ମନ୍ତ୍ରୀମଣ୍ଡଳରେ କିଛି ମନ୍ତ୍ରୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ନୀତିଶ ସରକାରରେ ୪ ମନ୍ତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାମଧ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ଓ ରେଣୁ ଦେବୀଙ୍କ ସମେତ ମନ୍ତ୍ରୀ ଅଶୋକ ଚୌଧୁରୀ ଏବଂ ସୁନୀଲ କୁମାର ରହିଛନ୍ତି ।
ସୂଚନା ଯେ, ଏହା ପୂର୍ବରୁ ପାଟନା ଜେଡିୟୁ କାର୍ଯ୍ୟାଳୟରେ ମଧ୍ୟ କୋରୋନା ବିସ୍ଫୋରଣ ଘଟିଥିଲା । ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଡାକ୍ତରୀ ପରାମର୍ଶ ପରେ ସେ ନିଜକୁ ଆଇସୋଲେସନରେ ରଖିଥିଲେ । ଅଫିସର ଜଣେ କର୍ମଚାରୀ କୋରୋନା ପଜିଟିଭ ଥିବା ଜଣାପଡିବା ପରେ ସମସ୍ତ ଗାର୍ଡ ଏବଂ ଷ୍ଟାଫ୍ଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ଆସିବା ପରେ ସେମାନଙ୍କ ମଧ୍ୟରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଜିତନ ରାମଙ୍କ ସହ ତାଙ୍କ ପତ୍ନୀ଼ ଓ ଝିଅଙ୍କ ସମେତ ପରିବାର ଏବଂ ସୁରକ୍ଷା ଦାୟିତ୍ବରେ ଥିବା ମୋଟ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।