ବାଲେଶ୍ୱର ଜିଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ସରକାରୀ ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା କମିଟି ପକ୍ଷରୁ ଜିଲାରେ ସ୍ୱାସ୍ଥ୍ୟସେବା ସଂପର୍କିତ ଏକ ଦାବିପତ୍ର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରାଯାଇଛି । ଫକୀରମୋହନ ମେଡିକାଲ୍ କଲେଜ୍ ହସପିଟାଲରେ ହୃଦରୋଗ, ସ୍ନାୟୁ ରୋଗ, ମୁତ୍ରାଶୟଜନିତ ରୋଗ ପ୍ରଭୃତିର ବିଶେଷଜ୍ଞ ଡାକ୍ତର ନଥିବାରୁ ପ୍ରତିଦିନ ଏହି ରୋଗଗୁଡ଼ିକର ଚିକିତ୍ସାପାଇଁ ରୋଗୀମାନେ କଟକ କିମ୍ବା ଭୁବନେଶ୍ୱରକୁ ଚିକିତ୍ସାପାଇଁ ଯିବାକୁ ବାଧ୍ୟ ହେଉଛନ୍ତି । ଏପରିକି ଅନେକ ରୋଗୀ ସ୍ଥାନାନ୍ତର ସମୟରେ ବାଟରେ ମୃତ୍ୟୁବରଣ କରୁଛନ୍ତି । ମଂଜୁରୀପ୍ରାପ୍ତ ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଉନାହିଁ । ଆୟୁଷ ହସପିଟାଲ୍, ନର୍ସିଂ କଲେଜ୍ ନିର୍ମାଣ କାର୍ଯ୍ୟ ହୋଇପାରିନାହିଁ । ନିର୍ମାଣାଧିନ ମେଡିକାଲ୍ କଲେଜ୍କୁ ଜାତୀୟ ରାଜପଥ ସହ ସଂଯୋଗ ରାସ୍ତାର ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ବହୁ ଦାବିପରେ ମଧ୍ୟ ଇକୋକାର୍ଡ଼ିଓଗ୍ରାମ୍ ମେସିନ୍ ପ୍ରତିଷ୍ଠା ଓ ଆନୁଷଙ୍ଗିକ ଯନ୍ତ୍ରପାତି ସହ ବିଶେଷଜ୍ଞ ନିଯୁକ୍ତି ଦିଆଯାଇନାହିଁ । ଏମ୍ସ ବହିର୍ବିଭାଗ କାର୍ଯ୍ୟ ଗତ ଛଅମାସ ପୂର୍ବରୁ ହୋଇଥିଲେ ମଧ୍ୟ ଏହାକୁ ରୋଗୀସେବାରେ ବ୍ୟବହାର କରାଯାଉନାହିଁ । ନିର୍ମାଣ ଦାୟିିତ୍ୱରେ ଥିବା ସଂସ୍ଥା, ସ୍ୱାସ୍ଥ୍ୟବିଭାଗ ଓ ଜିଲ୍ଲା ପ୍ରଶାସନର ସମନ୍ୱୟ ଅଭାବରୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି ।
ମୁଖ୍ୟମନ୍ତ୍ରୀ କ୍ରିୟାନୁଷ୍ଠାନ କମିଟି ପ୍ରତିନିଧିଙ୍କୁ ଏକ ଆଲୋଚନାର ସୁଯୋଗ ଦେବାକୁ ଏହି ଦାବିପତ୍ରରେ ଅନୁରୋଧ କରାଯାଇଛି । ଅନୁରୂପଭାବେ ବାଲେଶ୍ୱର ସଦରବ୍ଲକ୍ ସମେତ ବିଭିନ୍ନ ବ୍ଲକ୍ରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି ଓ ସମସ୍ୟାଗୁଡ଼ିକ ସମାଧାନ ନହେଲେ ଚନ୍ଦନେଶ୍ୱରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା ଓ ବିଧାନସଭା ସମ୍ମୁଖରେ ଗଣଧାରଣା ପାଇଁ ଚେତାବନୀ ଦିଆଯାଉଛି । ଜିଲା କମିଟି ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନବେଳେ ସଭାନେତ୍ରୀ ମମତା ମହାପାତ୍ର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ଓ ସାଧାରଣ ସଂପାଦକ ପ୍ରଦୀପ ଦାସଙ୍କ ସମେତ ନିରଞ୍ଜନ ରାଉତ, ପ୍ରଭାକର ସାହୁ, ଯୋଗେଶ ଚନ୍ଦ୍ର ପ୍ରଧାନ, ରବିନାରାୟଣ ଭୋଳ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ବେଣୁଧର ବାରିକ, ବନମାଳି ନାୟକ, କାମିନୀକାନ୍ତ ମାଝୀ, ଶଶାଙ୍କ ଶେଖର ଦତ୍ତ, ମିନତୀ ରାୟ, କ୍ରୀଷ୍ଣା ସାହା, ଅର୍ଚ୍ଚନା ନନ୍ଦୀ, ମୀନାରାଣୀ ବିଶ୍ୱାଳ, ଭବେଶ ଚନ୍ଦ୍ର ପଣ୍ଡା, ଦୀନବନ୍ଧୁ ଲେଙ୍କା, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶ୍ୟାମସୁନ୍ଦର ଜେନା, ଶଚିନ୍ଦ୍ର ଦାସ, ସନ୍ତୋଷ ମିଶ୍ର ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସଦରବ୍ଲକ୍ରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ ବେଳେ ରାଧାକୃଷ୍ଣ ଜେନା, ଭଗବାନ ରାଉତ, ଭାରତୀ ପଣ୍ଡା, ଯତୀନ ପାତ୍ର, ଯଶୋଦା ନନ୍ଦନ ଆଶ୍ ଓ ସେକ୍ କରିମ୍ ପ୍ରମୁଖ ଉପସ୍ଥିତ ଥିଲେ ।