୫ ମାସରେ ୨୩,୯୧୭ ଅବକାରୀ ମାମଲା ରୁଜୁ ଓ ୧୯,୨୭୮ ଗିରଫ
ଭୁବନେଶ୍ୱର : ବେଆଇନ୍ ନିଶା କାରବାର ମାମଲାରେ ଚଳିତ ଆର୍ଥିକ ବର୍ଷର ପାଂଚ ମାସ ମଧ୍ୟରେ ୨୩ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୧୯ହଜାରରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ଆଜି କରିଥିବା ସମୀକ୍ଷାରୁ ଏହା ଜଣାଯାଇଛି ।
ସମୀକ୍ଷାରୁ ଜଣାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ଶେଷ ସୁଦ୍ଧା ବେଆଇନ୍ ଅବକାରୀ ଚଢଉ ଯୋଗୁଁ ମୋଟ୍ ୨୩,୯୧୭ ମାମଲା ରୁଜୁ ହୋଇଥିବାବେଳେ ଏଥିରେ ୧୯,୨୭୮ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଗତ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ମାମଲା ରୁଜୁ କ୍ଷେତ୍ରରେ ୬୧ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଗିରଫଦାରୀ କ୍ଷେତ୍ରରେ ୫୯ ପ୍ରତିଶତ ବୃଦ୍ଧି ହୋଇଛି । ସେହିଭଳି ଏହି ୫ମାସ ମଧ୍ୟରେ ୬୭୯୧ କିଲୋ ଭାଙ୍ଗ ଜବତ ହୋଇଛି । ଗତବର୍ଷ ୨୬୪୫ କିଲୋ ଭାଙ୍ଗ ଜବତ ହୋଇଥିଲା । ସେହିଭଳି ଏହି ୫ମାସ ମଧ୍ୟରେ ୭,୩୩,୧୬୫ ଲିଟର କାରଖାନା ପ୍ରସ୍ତୁତ ଦେଶୀ ମଦ, ୮୨,୧୯,୭୨୬ ଲିଟର ମଦ ପ୍ରସ୍ତୁତ ସାମଗ୍ରୀ, ୧୨,୪୮୩ ଲିଟର ମହୁଲି ମଦ, ୬୨୦୨ ଲିଟର ଦେଶୀ ମଦ ଓ ଟିକସ ଫାଙ୍କିଥିବା ୩୦୦ ଲିଟର ଭାରତ ତିଆରି ବିଦେଶୀ ମଦ ଜବତ ହୋଇଛି । ଏହି ସମୟରେ ଦେଶୀମଦ, ମଦପ୍ରସ୍ତୁତ ସାମଗ୍ରୀ ସହିତ ୧୧୧୭ଟି ଦୁଇ ଓ ଚାରି ଚକିଆ ଯାନ ଜବତ ହୋଇଛି ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ ରହିଛି ।
ସେହିଭଳି ଅଗଷ୍ଟ ଶେଷସୁଦ୍ଧା ୭୩୯ଟି ଏନଡିପିଏସ୍ ମାମଲା ରୁଜୁ ହୋଇଛି । ଏଥିରେ ୮୬୫ ଜଣ ଗିରଫ ହୋଇଛନ୍ତି । ଗତବର୍ଷ ଏହି ସଂଖ୍ୟା ଯଥାକ୍ରମେ ୨୦୪ ଓ ୧୯୩ ପ୍ରତିଶତ ଅଧିକ ରହିଛି । ଏହି ସମୟରେ ରାଜ୍ୟରୁ ୨୧,୬୯୦ କିଲୋ ଗଞ୍ଜେଇ, ୯୮୭୪ ଗ୍ରାମ ବ୍ରାଉନସୁଗାର ଓ ୪୧୦ ଲିଟର କଫସିରପ ଜବତ ହୋଇଛି । ସେହିଭଳି ଚଳିତ ଆର୍ଥିକ ବର୍ଷରେ ୪୦୦୦ ନାଇଟ୍ରାଜେପାମ ବଟିକା ଜବତରେ ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ଜବତ ଏନଡିପିଏସ ସାମଗ୍ରୀର ମୂଲ୍ୟ ୮୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।
ସେହିପରି ମଦ ଦୋକାନ ବିରୁଦ୍ଧରେ ୬୪୦ଟି ଅଭିଯୋଗ ଦାଖଲ ହେବା ସହିତ ସେମାନଙ୍କ ଠାରୁ ୭୦ଲକ୍ଷରୁ ଅଧିକ ଅର୍ଥ ଆଦାୟ ହୋଇଛି । ସେହିଭଳି ଓକାକ ସହାୟତାରେ ଗତ ଦଶବର୍ଷର ଅବକାରୀ ତଥ୍ୟର ଚାଲିଥିବା ଡିଜିଟାଇଜେସନ କାର୍ଯ୍ୟକୁ ତ୍ୱରାନ୍ୱିତ ଲାଗି ଅବକାରୀ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରତି ମାସରେ ମାମଲା ପରିଚାଳନା ଓ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଉଥିବାବେଳେ ବିଭିନ୍ନ ଅବକାରୀ ରେଞ୍ଜରେ ଦପ୍ତର ନିର୍ମାଣ ସହିତ ଗାଡି ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ ଲାଗି କମିଶନର ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷରେ ଅବକାରୀ ବିଭାଗ ପକ୍ଷରୁ ବେଆଇନ ନିଶା କାରବାର ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଅବକାରୀ କମିଶନର ସିଂହ ପ୍ରଶଂସା କରିବା ସହିତ ବେଆଇନ ନିଶା ସାମଗ୍ରୀ ପ୍ରସ୍ତୁତି, ପରିବହନ, ବିକ୍ରି ବିଶେଷକରି ଟିକସଫାଙ୍କି ମଦ କାରବାର ବିରୁଦ୍ଧରେ ନିୟମିତ ଚଢାଉ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।
ଶ୍ରୀ ସିଂହ ଭର୍ଚୁଆଲ ମୋଡରେ କରିଥିବା ଏହି ସମୀକ୍ଷାରେ ଅତିରିକ୍ତ କମିଶନର ରାମ ଚନ୍ଦ୍ର ପାଲଟା, ଯୁଗ୍ମ କମିଶନର ଡକ୍ଟର ଦିବ୍ୟ ଲୋଚନ ମହାନ୍ତ ଓ ଶରତ ଚନ୍ଦ୍ର ମହାପାତ୍ର, ଏନଫୋର୍ସମେଂଟ ଇଡିସି ରାମ ଚନ୍ଦ୍ର ମିଶ୍ର, ଇଡିସି ରଜତ କୁମାର ପ୍ରହରାଜ, ଦଣ୍ଡପାଣି ବେହେରା ଓ ଡମ୍ବରୁଧର ଖଣ୍ଡାଙ୍କ ସମେତ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।