୨୦୨୨-୨୩ରେ ଅଢ଼େଇ ଗୁଣା ବଢ଼ିଛି ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ବିକ୍ରି
ନୂଆଦିଲ୍ଲୀ : ଦେଶରେ ଇଲେକ୍ଟ୍ରିକ୍ ବାହନ (ଇଭି)ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଇଭିର ଚାହିଦା ମଧ୍ୟ ବଢ଼ିଛି। ଏହାରି ମଧ୍ୟରେ ଦୁଇଚକିଆ ଇଭି ଯାନର ବିକ୍ରି ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ଅଢ଼େଇ ଗୁଣା ବଢ଼ିଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଶରେ ଦୁଇଚକିଆ ଇଭି ଯାନର ବିକ୍ରି ଅଢ଼େଇ ଗୁଣା ହୋଇଥିବା ନେଇ କୁହାଯାଇଛି।
ରିପୋର୍ଟ ଅନୁଯାୟୀ, ଗତ ଆର୍ଥିକ ବର୍ଷରେ ଦୁଇଚକିଆ ଇଭି ଯାନ ବିକ୍ରି ବଢ଼ି ୮,୪୬,୯୭୬ ୟୁନିଟ୍ରେ ପହଞ୍ଚିଛି। ଇଲେକ୍ଟ୍ରିକ୍ ଯାନ ନିର୍ମାତାଙ୍କ ସଙ୍ଗଠନ ସୋସାଇଟି ଅଫ୍ ମ୍ୟାନୁଫ୍ୟାକଚରିଂ ଅଫ୍ ଇଲେକ୍ଟ୍ରିକ୍ ଭେଇକିଲ୍ (ଏସଏମଇଭି) ସୋମବାର ଆର୍ଥିକ ବର୍ଷ ୨୦୨୨-୨୩ରେ ବିକ୍ରି ତଥ୍ୟ ଜାରି କରିଛି। ଏସଏମଭିଇ କହିଛି ୨୦୨୨-୨୩ରେ ଇଭି ବିକ୍ରି ୨୦୨୧-୨୨ ତୁଳନାରେ ଅଢ଼େଇ ଗୁଣାରୁ ଅଧିକ ହୋଇଛି। ୨୦୨୧-୨୨ରେ ଦେଶରେ ୩,୨୭,୯୦୦ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ବିକ୍ରି ହୋଇଥିଲା।
ଏସଏମଇଭି କହିଛି ଗତ ବର୍ଷରେ ୨୫ କିମି ବେଗର ୧.୨ ଲକ୍ଷ ଇ-ସ୍କୁଟର ବିକ୍ରି ହୋଇଥିଲା। ସେହିଭଳି ୨୫ କିଲୋମିଟରରୁ ଅଧିକ ବେଗର ୭,୨୬,୯୭୬ ୟୁନିଟ୍ ବିକ୍ରିହୋଇଥିଲା। ତେବେ ଦ୍ରୁତ ବୃଦ୍ଧି ପରେବି ଇଭି ଦୁଇଚକିଆ ଯାନ ବିକ୍ରି ନୀତି ଆୟୋଗଙ୍କ ଲକ୍ଷ୍ୟ ଠାରୁ ୨୫ ପ୍ରତିଶତ ପଛରେ ରହିଛି।