୨୦୨୧ରେ ରେକର୍ଡ ଭାଙ୍ଗିଲା ରାଜ୍ୟରେ ଶିଶୁ ନିଖୋଜ
ଭୁବନେଶ୍ୱର : ଓଡ଼ିଶାରେ ଶିଶୁ ନିଖୋଜର ଉଦ୍ବେଗଜନକ ଚିତ୍ର ଏବେ ସାମନାକୁ ଆସିଛି। ଗଲା ୫ ବର୍ଷ ଭିତରେ ୧୪ ହଜାର ୭୫୩ ଶିଶୁ ନିଖୋଜ ହୋଇଯାଇଛନ୍ତି। ୨୦୨୧ ବର୍ଷରେ ଶିଶୁ ଗାଏବ ମାମଲା ପୂର୍ବବର୍ଷମାନଙ୍କ ରେକର୍ଡ ଭାଙ୍ଗିଛି। ସବୁଠୁ ଉଦ୍ବେଗଜନକ ତଥ୍ୟ ହେଲା, ମୋଟ୍ ନିଖୋଜ ଶିଶୁଙ୍କ ମଧ୍ୟରେ ଅଛନ୍ତି ୧୨ ହଜାର ୧୯୯ ଜଣ ଶିଶୁ କନ୍ୟା। ଶିଶୁ କନ୍ୟାଙ୍କୁ ମୁଖ୍ୟତଃ ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଚାଲାଣ କରାଯାଉଥିବା କୁହାଯାଉଛି।
ରାଜ୍ୟରେ ମାନବ ଚାଲାଣ ରୋକିବା ଉଦ୍ଦେଶ୍ୟରେ ୩୬ ପୁଲିସ ଜିଲାରେ ଇଣ୍ଟିଗ୍ରେଟେଡ୍ ଆଣ୍ଟି-ହ୍ୟୁମାନ ଟ୍ରାଫିକିଂ ୟୁନିଟ୍ ଖୋଲିଥିବା ବେଳେ କ୍ରାଇମବ୍ରାଞ୍ଚ ସମାନ୍ତରାଳ ଭାବେ ୨୦୧୫ରୁ ୨୦୧୯ ଭିତରେ ଅପରେସନ୍ ସ୍ମାଇଲ୍, ମୁସ୍କାନ ଓ ପରୀ ଯୋଜନା ଆରମ୍ଭ କରିଛି। ଏସବୁ ସତ୍ତ୍ବେ ଶିଶୁ କନ୍ୟା ନିଖୋଜ ମାମଲା ଦ୍ରୁତ ବୃଦ୍ଧି ପାଉଛି। ୨୦୧୭ରୁ ୨୦୨୧ ଏହି ୫ ବର୍ଷ ଭିତରେ ସର୍ବାଧିକ ୨୦୨୧ରେ ଶିଶୁ ଗାଏବ୍ ମାମଲା ସାମନାକୁ ଆସିଛି। ସର୍ବାଧିକ ଶିଶୁ କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଜିଲ୍ଲାରେ ଗାଏବ ହୋଇଥିବା ଦେଖିବାକୁ ମିଳିଛି।
ଓଡ଼ିଶା ପୁଲିସର ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ୨୦୨୧ ମସିହାରେ ଶିଶୁ ନିଖୋଜ ମାମଲା ଗଲା ୫ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ୨୦୨୧ ମସିହାରେ ୪ ହଜାର ୧୩୩ ଶିଶୁ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରୁ ନାବାଳକ ୪୭୭ ଓ ନାବାଳିକା ୩ ହଜାର ୬୫୬ ଜଣ ଅଛନ୍ତି। ୨୦୨୧ ବର୍ଷ ଶେଷ ସୁଦ୍ଧା ପୂର୍ବ ବର୍ଷର ବଳକା ନିଖୋଜ ମାମଲାକୁ ମିଶାଇ ରାଜ୍ୟରେ ୭ ହଜାର ୪୦୪ ଶିଶୁଙ୍କ ନିଖୋଜ ମାମଲା। ଏହି ବର୍ଷ ୪ହଜାର ୫୯୬ ଜଣଙ୍କୁ ଠାବ କରାଯାଇଥିବା ବେଳେ ଅବଶିଷ୍ଟ ୨ ହଜାର ୮୦୮ଜଣଙ୍କ ପତ୍ତା ମିଳୁନାହିଁ। ଏଥିରେ ନାବାଳକ ୩୫୨ ଜଣ ଓ ନାବାଳିକା ୨ ହଜାର ୪୫୬ଜଣ ଅଛନ୍ତି। ଏହାପୂର୍ବରୁ, ୨୦୨୦ରେ ୨ହଜାର ୮୯୯ ଜଣ ଶିଶୁ ନିଖୋଜ ହୋଇଛନ୍ତି। ଏଥିରେ ନାବାଳକ ୩୪୩ ଓ ନାବାଳିକା ୨୫୫୬ ଜଣ ଅଛନ୍ତି। ପୂର୍ବ ବର୍ଷର ବଳକା ମାମଲାକୁ ମିଶାଇ ୬ ହଜାର ୯୧୨ ଜଣ ନିଖୋଜ ଅଛନ୍ତି। ଏହି ବର୍ଷ ୩ ହଜାର ୬୪୧ ଜଣ ଉଦ୍ଧାର ହୋଇଥିବା ବେଳେ ୩ ହଜାର ୨୭୧ ଜଣଙ୍କ ପତ୍ତା ମିଳୁନାହିଁ।
୨୦୧୯ରେ ୩ ହଜାର ୧୫୧ ଜଣ ଶିଶୁ ନିଖୋଜ ଅଛନ୍ତି। ନାବାଳକ ୫୬୦ ଜଣ ଓ ନାବାଳିକା ୨୫୯୧ ଜଣ। ପୂର୍ବ ବର୍ଷକୁ ମିଶାଇଲେ ୫ହଜାର ୫୦୩ ଜଣ ନିଖୋଜ ଅଛନ୍ତି। ଏହି ବର୍ଷ ୧ହଜାର ୪୯୦ ଜଣ ଉଦ୍ଧାର ହୋଇଛନ୍ତି। ଅବଶିଷ୍ଟ ୪ ହଜାର ୧୩ ଜଣଙ୍କ ପତ୍ତା ମିଳୁନି। ୨୦୧୮ରେ ୨ହଜାର ୩୨୬ ଜଣ ଶିଶୁ ନିଖୋଜ ହୋଇଛନ୍ତି। ଏଥିରେ ନାବାଳକ ୪୫୧ ଓ ନାବାଳିକା ୧୮୭୫ ଜଣ ଅଛନ୍ତି। ପୂର୍ବ ବର୍ଷକୁ ମିଶାଇ ୩ ହଜାର ୪୯୧ ନିଖୋଜ ଅଛନ୍ତି। ସେଥିରୁ ନାବାଳକ ୭୯୩ ଓ ନାବାଳିକା ୨ ହଜାର ୬୯୮। ଏହି ବର୍ଷ ୧୧୩୯ ଜଣ ଉଦ୍ଧାର ହୋଇଛନ୍ତି। ଅବଶିଷ୍ଟ ୨ ହଜାର ୩୫୨ଙ୍କ ପତ୍ତା ନାହିଁ। ୨୦୧୭ରେ ୨ ହଜାର ୨୪୪ ନିଖୋଜ ହୋଇଛନ୍ତି। ଏଥିରେ ନାବାଳକ ୭୨୩ ଓ ନାବାଳିକା ୧ହଜାର ୫୨୧ ଜଣ ଅଛନ୍ତି। ପୂର୍ବ ବର୍ଷକୁ ସଂଖ୍ୟାକୁ ମିଶାଇଲେ ୨୦୧୭ ସୁଦ୍ଧା ୭ ହଜାର ୪୪୬ ଜଣ ନିଖୋଜ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ନାବାଳକ ୨ ହଜାର ୮୯ ଓ ନାବାଳିକା ୫ ହଜାର ୩୫୭ ଅଛନ୍ତି। ସେହି ବର୍ଷ ୬ ହଜାର ୨୮୧ ଜଣ ଉଦ୍ଧାର ହୋଇଛନ୍ତି। ଅବଶିଷ୍ଟ ୧୧୬୫ ଜଣଙ୍କ ପତ୍ତା ମିଳୁ ନଥିବା ସଂକ୍ରାନ୍ତ ରିପୋର୍ଟ ସାମନାକୁ ଆସିଛି।