ମସ୍କୋରୁ ନିରାଶ ହୋଇ ଫେରିଲେ ଇମରାନ୍ ଖାନ୍
ମସ୍କୋ: ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଇମରାନ୍ ଖାନଙ୍କୁ ମଧ୍ୟ ମସ୍କୋରୁ ଖାଲି ହାତରେ ଫେରିବାକୁ ପଡ଼ିଛି । ସୂଚନା ଅନୁଯାୟୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଦେଶ ପରେ ୟୁକ୍ରେନ ଉପରେ ଋଷ ସୈନ୍ୟଙ୍କ ଆକ୍ରମଣ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ମସ୍କୋରେ ପହଁଚିଥିଲେ । କିନ୍ତୁ ସେହି ସମୟ ବେଳକୁ ପୁଟିନ୍ ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା କରିଦେଇଥିଲେ । ଯେଉଁ କାରଣରୁ ଇମରାନ୍ ଖାନଙ୍କୁ ମସ୍କୋରୁ ନିରାଶ ହୋଇ ଫେରିବାକୁ ପଡ଼ିଛି । ବିଶେଷଜ୍ଞଙ୍କ ମତରେ ଇମରାନ୍ ଭୁଲ୍ ସମୟରେ ଋଷ ଗସ୍ତ କରିଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପୁଟିନଙ୍କ ସହ ଇମରାନଙ୍କ ସାକ୍ଷାତ ନେଇ କୌଣସି କାର୍ଯ୍ୟକ୍ରମର ସୂଚନା ଦେଇପାରିନାହାଁନ୍ତି । କାରଣ ପୁଟିନ ବର୍ତ୍ତମାନ ୟୁକ୍ରେନ ଉପରେ ଆକ୍ରମଣ କରିବାରେ ବ୍ୟସ୍ତ ଅଛନ୍ତି ।
୨୦ରୁ ଅଧିକ ବର୍ଷ ପରେ ଯାଇ ପାକିସ୍ତାନ ନେତାଙ୍କ ଏହା ପ୍ରଥମ ଋଷ ଯାତ୍ରା ଥିଲା । ଏମିତିରେ ପାକିସ୍ତାନର ଜନତା ଏବଂ ପାକିସ୍ତାନୀ ମିଡିଆ ଏହାକୁ ନେଇ ବହୁତ ଉତ୍ସୁକ ଥିଲେଯେ, ଇମରାନ୍ ଖାନଙ୍କ ଋଷ ଯାତ୍ରା ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା । ପାକିସ୍ତାନ ପାଇଁ ଏହା ବେଶ ଫଳପ୍ରଦ ହେବ ବୋଲି କୁହାଯାଉଥିଲା । ଏହି ସମୟରେ ପାକିସ୍ତାନ ମହଙ୍ଗା ମାଡରେ ହନ୍ତସନ୍ତ ହେଉଛି । ମାତ୍ର ଯେଉଁ ସମୟରେ ଇମରାନ ଖାନ ଋଷ ମାଟିରେ ପହଞ୍ଚିଲେ, ସେହି ସମୟରେ ପୁଟିନ୍ ୟୁକ୍ରେନ ଉପରେ ଆକ୍ରମଣର ଘୋଷଣା କରିସାରିଥିଲେ । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ୟୁକ୍ରେନ ଏବଂ ଋଷ ମଧ୍ୟରେ ଜାରି ଉତ୍ତେଜନା ସମୟରେ ଦୁଇ ଦିନିଆ ଋଷ ଗସ୍ତ କରିଥିଲେ । କିନ୍ତୁ ପାକିସ୍ତାନ ଗଣମାଧ୍ୟମ ଏହା ଦର୍ଶାଉଛନ୍ତି, ଇମରାନ୍ ଖାନଙ୍କ ଋଷ ଗସ୍ତ ଦୁଇ ବର୍ଷ ପୂର୍ବରୁ ପ୍ରସ୍ତାବିତ ଥିଲା । ମାତ୍ର କରୋନା ମହାମାରୀ କାରଣରୁ ସମ୍ଭବ ହୋଇ ପାରିନଥିଲା । ମାତ୍ର ଇମରାନ୍ ଖାନ ମସ୍କୋରୁ ପୁଟିନଙ୍କୁ ନଭେଟି ନିରାଶ ହୋଇ ସ୍ୱଦେଶ ଫେରୁଛନ୍ତି ।