ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର; ହିଂସାର ୬ ଦିନ ପରେ ଯାନବାହାନ ପ୍ରବେଶ ପାଇଁ ଅନୁମତି
ଗୁଆହାଟି : ଆସାମ-ମେଘାଳୟ ସୀମା ବିବାଦ ମଧ୍ୟରେ ମେଘାଳୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସାମାନ୍ୟ ସୁଧାର ପରେ ଆସାମ ପୋଲିସ ଯାନବାହନ ଚଳାଚଳ ଉପରେ ଥିବା କଟକଣା ହଟାଇଛି । ସମସ୍ତ ଯାନବାହାନକୁ ମେଘାଳୟରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଗୁଆହାଟି ଡିସିପି ସୁଧାକର ସିଂ ଏହି ସୂଚନା ଦେଇଛନ୍ତି ।
ଆସାମ-ମେଘାଳୟ ସୀମାର ବିବାଦୀୟ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବଳ ମୁତୟନ କରାଯିବା ସହ ଧାରା ୧୪୪ ଲାଗୁ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଆସାମ-ମେଘାଳୟ ସୀମାରେ ହିଂସାତ୍ମକ ସଂଘର୍ଷ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ରବିବାର କ୍ରମାଗତ ଷଷ୍ଠ ଦିନ ପାଇଁ ଦୁଇ ରାଜ୍ୟ ମଧ୍ୟରେ ଯାତ୍ରା କଟକଣା ଜାରି ରହିଛି ବୋଲି ଅଧିକାରୀମାନେ କହିଛନ୍ତି। ମଙ୍ଗଳବାର ଘଟିଥିବା ଉକ୍ତ ଘଟଣା ପରେ ଆସାମ ପୋଲିସ ଲୋକଙ୍କୁ ପଡୋଶୀ ରାଜ୍ୟକୁ ଯାତ୍ରା ନ କରିବାକୁ କହିଛି । ତେବେ ଟ୍ରକ୍, ଲଗେଜ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଯାନ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ ବୋଲି ଅଧିକାରୀ କହିଛନ୍ତି। ହିଂସା ଘଟିଥିବା ସ୍ଥାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଧାରା ୧୪୪ ଅନୁଯାୟୀ କଟକଣା ବଳବତ୍ତର ରହିଛି |
ସୂଚନା ଯେ, ଆସାମର ବନ କର୍ମଚାରୀମାନେ ବେଆଇନ ଭାବେ କାଠ ଚାଲାଣ କରୁଥିବା ଏକ ଟ୍ରକକୁ ଅଟକାଇବା ପରେ ମଙ୍ଗଳବାର ସକାଳେ ପଶ୍ଚିମ କରବି ଆଙ୍ଗ୍ଲୋଙ୍ଗ ଜିଲାରେ ଦୁଇ ରାଜ୍ୟ ମଧ୍ୟରେ ବିବାଦୀୟ ସୀମା ନିକଟସ୍ଥ ମୁକ୍ରୋ ଗ୍ରାମରେ ହିଂସାକାଣ୍ଡ ଘଟିଥିଲା।