ବଉଳ ଅମାବାସ୍ୟା କାହିଁକି ଓ କେଉଁ କାରଣ ପାଇଁ ପାଳନ କରାଯାଏ ? ଜାଣନ୍ତୁ ଏହାର ମହତ୍ତ୍ଵ ଓ ବାସ୍ତୁ ପ୍ରତିକାର
ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳିତ ହୋଇଥାଏ । ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ । ଲୋକମାନଙ୍କ ମନରେ ବିଶ୍ୱାସ ଯେ ବଉଳ ଅମାବାସ୍ୟା ଦିନ ବିଧି ଅନୁସାରେ ଗଛମାନଙ୍କର ପୂଜା କଲେ, ଗଛରେ ବହୁତ ଫଳ ହୁଏ ।
ବଉଳ ଅମାବାସ୍ୟା ପାଳନର ବିଧିବିଧାନ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଦେଖାଯାଏ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ସକାଳ ଧୂପରେ ଗଇଁଠା ପିଠା ସହ ବଉଳ ଲାଗିହୁଏ । ଓଡ଼ିଆ ଘରଣୀମାନେ ପବିତ୍ରତାର ସହିତ ଉତ୍ସବଟିକୁ କେତେକ ଅଞ୍ଚଳରେ ପାରମ୍ପରିକ ରୀତିରେ ପାଳନ କରନ୍ତି । ଘରେ ଗଇଁଠା ପିଠା ତିଆରି କରାଯାଏ । ଉକ୍ତଦିନ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, ଗୁଆ, ପିଜୁଳି ଆଦି ଗଛ ମୂଳରୁ ଘାସ, ଅନାବନା ଗଛ ଓ ଲତା ପରିଷ୍କାର କରାଯାଏ । ଗୋବର ପାଣିରେ ଗଛମୂଳକୁ ଲିପାଯାଇଥାଏ । ତା’ପରେ ସେହି ଗଛଗୁଡ଼ିକରେ ଚିତା ପକାଯାଏ । ସନ୍ଧ୍ୟା ହେଲେ ଗଛଗୁଡ଼ିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୂର, ଧୂପଦୀପ ଓ ଗଇଁଠା ପିଠାରେ ପୂଜା କରାଯାଇଥାଏ । କେତେକ ଅଞ୍ଚଳରେ ପୂଜା ପାଇଁ ପ୍ରସ୍ତୁତ ଗଇଁଠା ପିଠାକୁ ବଉଳଗୁଡ଼ ମଧ୍ୟ କୁହାଯାଏ ।
ଆମ୍ବ ବଉଳ ସଂଗ୍ରହ କରି ପିଠା ସହିତ ରଖାଯାଏ । ବଉଳ ଧରିଥିବା ଆମ୍ବଗଛ ମୂଳେ ଗଇଁଠା ପିଠା ଭୋଗ କରାଯାଏ ଏବଂ ଏହି ଭୋଗ ଓ ଆମ୍ବ ବଉଳ ପାଖ ପଡ଼ିଶା ବନ୍ଧୁ କୁଟୁମ୍ବଙ୍କୁ ବାଣ୍ଟି ପର୍ବଟିକୁ ପାଳନ କରାଯାଏ । ଆଉ କେଉଁ କେଉଁ ସ୍ଥାନରେ ଈଷାଣ କୋଣରେ ଓ ରୋଷେଇ ଘରେ ପୂଜା କରି ଭୋଗ ବଣ୍ଟାଯାଏ । ଆଉ କେଉଁ କେଉଁ ସ୍ଥାନରେ ମଧ୍ୟ ଘରେ କ୍ଷୀରପିଠା କରି ନୂଆ ବଉଳ ଆଣି ନିଜ ପରିବାରର ଇଷ୍ଟ ଦେବୀଙ୍କୁ ପୂଜା କରାଯାଏ । ସାଧାରଣତଃ ଗୋଷ୍ଠିଗତ ଭାବେ ରହୁଥିବା କୁଟୁମ୍ବରେ ବୟୋଜ୍ୟେଷ୍ଠ ପୁରୁଖା ବ୍ୟକ୍ତିଙ୍କ ଘରେ ଏହି ପୂଜା ହୋଇଥାଏ ଏବଂ ସମ୍ଭବ ସ୍ଥଳେ ଭାଇ ବିରାଦର ସମସ୍ତେ ଭୋଜିରେ ଏକାଠି ହୋଇ ପ୍ରଥମେ ବଉଳ ମିଶ୍ରିତ ଭୋଗ ସେବନ କରିଥାନ୍ତି ଓ ପରେ ବିଭିନ୍ନ ସୁମିଷ୍ଠ ଭୋଜନରେ ଆପ୍ୟାୟିତ ହୋଇଥାନ୍ତି । ଉକ୍ତ ସାମାଜିକ ପର୍ବଟିର ନାମ ଏବଂ ପାଳନ ବିଧିରୁ ସ୍ପଷ୍ଟ ଅନୁମେୟ ଯେ ନୂତନ ବଉଳକୁ ସ୍ୱାଗତ ଜଣାଇ ଓଡ଼ିଆ ଘରେ ଏହା ପର୍ବ ରୂପେ ସ୍ଥାନ ପାଇଛି ।
ଓଡ଼ିଆ ମାଟି ପାଣି ପବନକୁ ନେଇ ତାର ସଂସ୍କୃତି ବର୍ଷ ବର୍ଷ ଧରି ପାଳି ଆସୁଛି । ସେହିପରି ପାରମ୍ପରିକ ରୀତିକୁ ନେଇ ପୌଷମାସ ଅମାବାସ୍ୟା ଦିନ ବଉଳ ଅମାବାସ୍ୟା ପାଳିତ ହୁଏ । ଓଡ଼ିଆ ପରିବାରର ଏକ ସାମାଜିକ ପୂର୍ବ ରୂପେ ପରିଚିତ ଏହି ଅମାବାସ୍ୟା ଗୁରୁତ୍ୱ ରଖିଥାଏ । ବସନ୍ତର ଆଗମନର ସୂଚନା ଦେଇ ଆମ୍ବ ଗଛ ଗୁଡ଼ିକ କୁସୁମିତ ହୋଇ ଉଠୁଥିବା ସମୟରେ ପ୍ରକୃତି ଯେଉଁ ନୂତନ ପୁଲକରେ ପୁଲକିତ ହୁଏ ବଉଳ ଅମାବାସ୍ୟା ପର୍ବ ପ୍ରକୃତିପ୍ରାଣ ଓଡ଼ିଆ ଜୀବନରେ ତାହାର ଏକ ଜୀବନର ପ୍ରତିଫଳନ କହିଲେ ଅତ୍ୟୁକ୍ତି ହେବନାହିଁ । ଘରର ଘରଣୀ ପବିତ୍ରତାର ସହିତ ଏହି ଦିନରେ ଢ଼ିଙ୍କିକୁଟା ଚାଉଳର ଚୁନାରୁ ଗଇଁଠା ପିଠା ତିଆରି କରିଥାଏ । ବଉଳ ଧରିଥିବା ଆମ୍ବଗଛମୂଳେ ବିଭିନ୍ନ ଭୋଗରାଗ ସହ ବିଶେଷକରି ସ୍ୱତନ୍ତ୍ର ଗଇଁଠା ପିଠା ପ୍ରସ୍ତୁତ ହୋଇ ଭଗବାନଙ୍କୁ ଅର୍ପଣ କରାଯାଇଥାଏ ।
ଓଡ଼ିଶାରେ କିଛି ଘରେ ବଉଳ ପିଠା ସହ ବିଭିନ୍ନ ପ୍ରକାର କ୍ଷୀରି, ପିଠା, କାକରା, ମଣ୍ଡା ପ୍ରଭୃତି ତିଆରି କରାଯାଇଥାଏ । ଘରର ବୟସ୍କ ପୁରୁଖା ବ୍ୟକ୍ତି କର୍ତ୍ତା ହୋଇ ପୂଜା ଦାୟିତ୍ୱ ନିର୍ବାହ କରିଥାନ୍ତି । ଏହିଦିନ ଘରେ ଘରେ ପିଠାପଣା ବଣ୍ଟନ ହୋଇଥାଏ । ଏହି ସାମାଜିକ ପର୍ବଟି ନାମ ଏବଂ ପାଳନ ବିଧିରୁ ସ୍ପଷ୍ଟ କରୁଛି ଯେ, ନୂତନ ବଉଳକୁ ସ୍ୱାଗତ ଜଣାଇ ଓଡ଼ିଆ ଘରେ ଏହା ପର୍ବରୂପେ ସ୍ଥାନ ପାଇଛି । ମହାନ ଭାରତୀୟ ସଂସ୍କୃତି ଏକ ପ୍ରକୃତି ଭିତ୍ତିକ ସଂସ୍କୃତି । ଯାହାର ସଂସ୍କୃତିର ବୈଶିଷ୍ଠ୍ୟ ହେଉଛି ଆଧ୍ୟାତ୍ମିକତା । କେବଳ ଆଧ୍ୟାତ୍ମିକ ନୁହେଁ ସାମାଜିକ ମୂଲ୍ୟବୋଧ ଏବଂ ଆମୋଦ ପ୍ରମୋଦର ବ୍ୟବସ୍ଥା କରି ଗତାନୁଗତିକତାର ନୂତନ ଉତ୍ସାହ ଉଦ୍ଦୀପନା ଦିଗକୁ ନେଇଯିବାକୁ ପର୍ବପର୍ବାଣି ବ୍ୟବସ୍ଥା କରାଯାଇଥାଏ । ପୂର୍ବକାଳରେ ପର୍ବପର୍ବାଣି ପାଳନ ମଧ୍ୟ ରାଜଦରବାରରେ ସ୍ୱୀକୃତି ଏବଂ ପୃଷ୍ଠପୋଷକତା ଉପରେ ନିର୍ଭର କରୁଥିଲା ।
ସୁତରାଂ ଶୀତର ଜଡ଼ତାରେ ନବବକୁଳ ବସନ୍ତ ଆଗମନୀର ସୂଚନା ଦେଇ ନିଶ୍ଚୟ ଯେ ଜନଜୀବନରେ ଉନ୍ମାଦନା ଆଣି ଏକ ଉତ୍ସବ ବା ପର୍ବର ପରିବେଶ ସୃଷ୍ଟି କରୁଥିବ ଏଥିରେ ସନ୍ଦେହର ଅବକାଶ ନାହିଁ । ଓଡ଼ିଆ ଜାତିର ନିଜସ୍ୱ ପର୍ବପର୍ବାଣି ଯଥା ରଜ, ଦୁତିବାହାନ, ଖୁଦୁରୁକୁଣୀ, ବୁଧେଇ ଓଷା, ନିଶା ମଙ୍ଗଳବାର, କାଞ୍ଜିଅଁଳା, ସୁଦଶାବ୍ରତ, ନବାନ୍ନ, ପୁଷପୂନି ଭଳି ବଉଳ ଅମାବାସ୍ୟା ମଧ୍ୟ ଏକ ଆଞ୍ଚଳିକ ପର୍ବ ଏବଂ ଓଡ଼ିଆ ଜୀବନର ସ୍ୱାଭାବିକ ଉତ୍ସାହ ଉଦ୍ଦୀପନା ନେଇ ଅକ୍ଷୟ ତୃତୀୟା, ଅଶୋକାଷ୍ଟମୀ, ଶୀତଳଷଷ୍ଠୀ, ରାଜସଂକ୍ରାନ୍ତୀ, ସୁନିଆଁ, ଗର୍ଭଣା ସଂକ୍ରାନ୍ତି ଭଳି ସମାଜରେ ପ୍ରାକୃତିକ ପରିବର୍ତ୍ତନର ପ୍ରତିକ୍ରିୟା ବହନ କରି ପାଳିତ ହୋଇ ଆସୁଛି । ପୁରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ଏହି ଉତ୍ସବ ପାଳିତ ହୋଇଥାଏ ।