ଭିଜିଲାନ୍ସ ଜାଲ୍ରେ କୁବେର ପ୍ରାଣୀଧନ ନିରୀକ୍ଷକ ; ୭ କୋଟିରୁ ଅଧିକ ସମ୍ପତ୍ତି ଠାବ
ଭୁବନେଶ୍ୱର : ଭିଜିଲାନ୍ସ ଜାଲ୍ରେ ପଡ଼ିଛନ୍ତି ଜଣେ କୁବେର ପ୍ରାଣୀଧନ ନିରୀକ୍ଷକ। ତାଙ୍କ ପାଖରୁ ମିଳିଛି ଆଖି ଖୋସି ହୋଇଗଲା ଭଳି ସମ୍ପତ୍ତି। ଗୋଟିଏ କି ଦୁଇ କୋଟି ନୁହେଁ, ଏକଥରକେ ୭ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି । ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ବିଭିନ୍ନ ଠିକଣାରୁ ଆଖ ଖୋସି ହୋଇଗଲା ପରି ସଂପତ୍ତି ମିଳିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।
ଆଜି ଦିନ ତମାମର ରେଡ୍ ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥଙ୍କ ସମ୍ପତ୍ତି ତାଲିକାର ହିସାବ ଦିଆଯାଇଛି। ଭିଜିଲାନ୍ସ କହିଛି ଯେ ଜଗନ୍ନାଥଙ୍କ ପାଖରୁ ମୋଟ ୭.୨୧ କୋଟି ଟଙ୍କାର ସମ୍ପତ୍ତି ଏଯାଏ ଠାବ କରାଯାଇଛି। ଏହା ମଧ୍ୟରେ ଭୁବନେଶ୍ୱର ଓ କଟକର ପ୍ରମୁଖ ସ୍ଥାନରେ ୯୧ଟି ପ୍ଲଟ ରହିଛି। ଏହାବାଦ ୫ଟି ବିଲଡିଂ, ୨ଟି ଫ୍ଲାଟ, ବ୍ୟାଙ୍କ ଓ ବିଭନ୍ନ ବୀମା ଆକାଉଣ୍ଟର ଜମା ହୋଇଥିବା ୩୯.୪୮ ଲକ୍ଷ ଟଙ୍କା ଓ ୫୦୦ ଗ୍ରାମ ସୁନା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଜଗନ୍ନାଥ ରାଉତଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଆଜି ସକାଳୁ ଏକକାଳୀନ ରେଡ୍ କରାଯାଇଥିଲା। ଭୁବନେଶ୍ୱରର ରଘୁନାଥପୁରରେ ଥିବା ରୟାଲ ଲଗୁନ୍ ଆପାର୍ଟମେଣ୍ଟ, ରଘୁନାଥପୁର ଗାଁରେ ଥିବା ଏକ ତିନି ମହଲା କୋଠା, ଯାହାର ନାଁ ଗୋବିନ୍ଦ ଭବନ। ଏହି ଗୋବିନ୍ଦ ଭବନ ପଛ ଭାଗରେ ଥିବା ଆଉ ଏକ ୩ ମହଲା କୋଠା, ରଘୁନାଥପୁରରେ ଥିବା ଗୋଟିଏ ଦୁଇ ମହଲା କୋଠା, ଗାଁ ପୋଖରୀ ନିକଟରେ ଥିବା ଗୋଟିଏ ଘର, ଗ୍ରୀନ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ ନମ୍ବର ୩୦୧, ରୟାଲ ଆର୍କେଡରେ ଥିବା ଫ୍ଲାଟ ନଂ ୪୦୧, କଟକର ବାଙ୍କୀ ସ୍ଥିତ ଚାରିଘରିଆରେ ଥିବା ଆଉଟ୍ ହାଉସ୍ ଓ କଳାରାହାଙ୍ଗରେ ଥିବା ଭେଟରନାରୀ ଅଫିସରେ ଅଧିକାରୀମାନେ ଚଢ଼ାଉ କରିଥିଲେ।