ବାଲେଶ୍ୱର : ଜୁଆ ଆଡ୍ଡାରେ ଚଢାଉ ବେଳେ ମହିଳା ଥାନା ଅଧିକାରିଣୀ ଓ ଡ୍ରାଇଭରଙ୍କୁ ଆକ୍ରମଣ, ୨୦ ଅଟକ
ଭୋଗରାଇ : ଅଭାବନୀୟ ଘଟଣା। ବାଲେଶ୍ୱର ଜିଲା ଜଳେଶ୍ୱରରେ ମହିଳା ଥାନା ଅଧିକାରୀଙ୍କୁ ଆକ୍ରମଣ। ନାଇଟ ପେଟ୍ରୋଲିଂ ବେଳେ ଉଦୟପୁର ଗାଁରେ ଜୁଆ ଖେଳ ଚାଲୁଥିବାର ଜାଣି ପହଞ୍ଚିଥିଲା ପୋଲିସ। ଜୁଆ ଖେଳକୁ ବିରୋଧ କରିବାରୁ ତାଳସାରୀ ମେରାଇନ ଥାନା ଅଧିକାରୀଣି ଚମ୍ପାବତୀ ସୋରେନ ଏବଂ ତାଙ୍କ ଡ୍ରାଇଭର ସୁଧାଂଶୁ ମହାନ୍ତିଙ୍କୁ ଆକ୍ରମଣ ସହ ଦୋକାନ ଘରେ ପୁରାଇ ଦୁର୍ବୃତ୍ତ ମାନେ ନିର୍ଧୁମ ମାଡ ମାରିଛନ୍ତି । ଖବର ପାଇ ଜଳେଶ୍ୱର ଏସ୍ଡିପିଓ, ଚନ୍ଦନେଶ୍ୱର ଫାଣ୍ଡି ଓ ଭୋଗରାଇ ଥାନା ପୋଲିସ ପହଞ୍ଚି ସେମାନଙ୍କୁ ଦୋକାନରୁ ଉଦ୍ଧାର କରିଥିଲେ।
ସୂଚନା ଯେ, ଭୋଗରାଇ ବ୍ଲକ ସାହାବାଜପୁର ପଞ୍ଚାୟତ ଉଦୟପୁର ଗାଁ ମଧ୍ୟ ଦେଇ ରବିବାର ରାତିରେ ସାମୁଦ୍ରିକ ଥାନା ଅଧିକାରିଣୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଉଦୟପୁର ଗାଁର ଜନୈକ ବ୍ୟକ୍ତିଙ୍କ ଘରେ ଜୁଆ ଖେଳ ଚାଲିଥିବାର ଜାଣି ଏହାକୁ ବନ୍ଦ କରିବାକୁ କହିଥିଲେ । ହେଲେ ଅଚାନକ ବ୍ୟକ୍ତି ତାଙ୍କୁ ଜବରଦସ୍ତ ଧରି ଦୋକାନ ପରେ ପୁରାଇ ଦେଇଥିଲେ । ଏମିତିକି କିଛି ମହିଳା ପହଞ୍ଚି ତାଙ୍କ ୟୁନିଫର୍ମ ମଧ୍ୟ ଛିଣ୍ଡାଇ ଦେଇଥିଲେ । ଗାଡି ଚାଳକ ସୁଧାଂଶୁ ମହାନ୍ତି ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ ମାରି ଲହୁଲୁହାଣ କରିଥିଲେ। ନିରୂପାୟ ହୋଇ ଥାନା ଅଧିକାରିଣୀ ସହାୟତା ପାଇଁ ସାମ୍ବାଦିକଙ୍କ ଠାରୁ ଆରମ୍ଭ ବିଭାଗ ପର୍ଯ୍ୟନ୍ତ ସମସ୍ତଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ । ଶେଷରେ ପୋଲିସ ପହଞ୍ଚି ଥାନା ଅଧିକାରୀଙ୍କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି । ଖବର ପାଇ ଜଳେଶ୍ବର ଏସ୍ଡିପିଓ ଦିଲ୍ଲୀପ କୁମାର ସାହୁ, ତାଳସାରୀ ସାମୁଦ୍ରିକ ଥାନାର ଅନ୍ୟ କର୍ମଚାରୀଙ୍କ ସହ ଭୋଗରାଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସକୁ ଦେଖି ଆକ୍ରମଣକାରୀମାନେ ସେଠାରୁ ଚମ୍ପଟ ମାରିଥିଲେ। ଘଣ୍ଟାଏ ପରେ ଘର ଭିତରୁ ଆଇଆଇସିଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା । ଖବର ପାଇବା ପରେ ଜିଲା ପୋଲିସର କିଛି ବରିଷ୍ଠ ପଦାଧିକାରୀ ଫୋର୍ସଙ୍କୁ ନେଇ ରାତିରେ ଘଟଣାସ୍ଥଳକୁ ଯାଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ପୋଲିସ ମୋଟ ୨୦ ଜଣଙ୍କୁ ଅଟକ ରଖିଛି ।