ଟେନିସ୍ ରାଙ୍କିଂ ଶୀର୍ଷ ସ୍ଥାନ ଦଖଲ ସହ ଇତିହାସ ରଚିଲେ ଇଗା
ନୂଆଦିଲ୍ଲୀ : ପୋଲାଣ୍ଡର ଯୁବ ଷ୍ଟାର୍ ଟେନିସ୍ ଖେଳାଳି ଇଗା ସ୍ୱାତେକ୍ ମିୟାମି ଓପନରେ ଦ୍ୱିତୀୟ ରାଉଣ୍ଡ ଜିତି ଇତିହାସ ରଚିଛନ୍ତି । ୨୦ ବର୍ଷୀୟା ଇଗା ରାଙ୍କିଂ ତାଲିକାରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ସେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇଥିବା ପ୍ରଥମ ପୋଲାଣ୍ଡ ଖେଳାଳି ଓ ବିଶ୍ୱର ୨୮ତମ ମହିଳା ଖେଳାଳି ଅଟନ୍ତି ।
ଅଷ୍ଟ୍ରେଲିଆ ଖେଳାଳି ଏସଲେ ବାର୍ଟି ହଠାତ ଅବସର ନେବା ପରେ ଶୀର୍ଷ ସ୍ଥାନ ଖାଲି ହୋଇଯାଇଥିଲା । ଯାହାର ଫାଇଦା ଦୁଇ ନମ୍ବର ସ୍ଥାନରେ ଥିବା ଖେଳାଳିଙ୍କୁ ମିଳିଥିଲା । ଦୁଇ ନମ୍ବରରେ ଥିବା ଇଗା ପ୍ରଥମ ରାଙ୍କ୍ ହାସଲ କରିଥିଲେ । ଏହାପୂର୍ବରୁ ଶୁକ୍ରବାର ରାତିରେ ମିୟାମି ଓପନର ଦ୍ୱିତୀୟ ରାଉଣ୍ଡରେ ଇଗା ସ୍ୱିଜରଲାଣ୍ଡର ଭିକ୍ଟୋରିଆ ଗୋଲୁବିକଙ୍କୁ ୬-୨,୬-୦ ସେଟରେ ହରାଇଥିଲେ । ଟୁର୍ଣ୍ଣାମେଣ୍ଟ ସରିବା ପରେ ଏପ୍ରିଲ ୪ରେ ରାଙ୍କିଂ ଅପଡେଟ୍ ହେବ । ଏହାପରେ ଏସଲେଙ୍କ ନାଁ ହଟାଇ ବିଧିବଦ୍ଧ ଭାବେ ଇଗାଁଙ୍କ ନାଁ ସ୍ଥାନ ପାଇବ । ଇଗା ଗତ କିଛି ଦିନ ଧରି ଟେନିସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିପାରିଛନ୍ତି । ୨୦୧୬ରେ ତାଙ୍କର ରାଙ୍କ୍ ୯୦୩ ଥିଲା । ଏହାପରେ ୨୦୧୮ରେ ସେ ୫୦୦ ରାଙ୍କରେ ରହିଥିଲେ । ୨୦୨୦ରେ ତାଙ୍କ ରାଙ୍କ୍ ୧୭ ଓ ୨୦୨୧ରେ ୯ ଥିଲା ।