ଆଖି ବୁଜିଲେ ଯୁବ ଶିକ୍ଷକ ବର ହୋଇ ଯାଇଥାନ୍ତେ, ଶବ ହୋଇ ଫେରିଲେ
- ଛତିଶଗଡ଼ ସୀମାନ୍ତରେ କୋଭିଡ୍ ଡ୍ୟୁଟିରେ ଥିଲେ
- ଆଂଟିିଜେନ ରିପୋର୍ଟ ଆସିଥିଲା ନେଗେଟିଭ୍
ଝାରସୁଗୁଡ଼ା : ବିବାହ ଉତ୍ସବ ପାଇଁ ପରିବାର ଓ ବନ୍ଧୁବାନ୍ଧବଙ୍କ ଉତ୍ସାହ ଭରି ରହିଥିଲା । ତେବେ, ନିୟତିର ନିର୍ଦେଶ ଥିଲା ଅଲଗା । ଯେଉଁଦିନ ଗାଁରୁ ବର ବେଶରେ ବାହାରିଥାନ୍ତେ ସେହିଦିନ ହିଁ ଯୁବ ଶିକ୍ଷକ ନେପାଳ ପ୍ରଧାନଙ୍କ ବିୟୋଗ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ମୌଜାର କଣ୍ଢେଇକେଲା ଗ୍ରାମରେ । ଶନିବାର ବର ହୋଇ ଯାଇଥାନ୍ତେ, କିନ୍ତୁ ଘରକୁ ଶବ ହୋଇ ଫେରିଲେ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ୧୯ ଖଣ୍ଡ ମୌଜା ଜଣ୍ଢେଇକେଲା ଗ୍ରାମର ଯୁବ ଶିକ୍ଷକ ନେପାଳ ପ୍ରଧାନ ନିଜ ବାହାଘର ଦିନ ଆଖୁ ବୁଜିଛନ୍ତି । ନେପାଳଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁନଥିବା ବେଳେ ଏହି ଖବର ସମସ୍ତଙ୍କୁ ହତବାକ କରି ଦେଇଛି । ନେପାଳଙ୍କ ବାହାଘର ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ବଙ୍ଗାପାଲି ଗ୍ରାମରେ ସ୍ଥିର ହୋଇଥିଲା । ବାହାଘର ଲଗ୍ନ ଶନିବାର ରହିଥିଲା । ସେ ବରବେଶରେ ସଜ୍ଜିତ ହୋଇ କନ୍ୟାଘରକୁ ଯାଇଥାନ୍ତେ । ହେଲେ ଦଇବ ସହିଲାନାହିଁ । କନ୍ୟାଘରକୁ ବରବେଶରେ ଯିବା ପରିବର୍ତେ ତାଙ୍କ ମୃତ ଶରୀର ସବାରୀରେ ଶ୍ମଶାନକୁ ଗଲା । ତିନି ଚାରି ଦିନ ପୂର୍ବରୁ ନେପାଳ ଅସୁସ୍ଥ ଅନୁଭବ କରୁଥିଲେ ।ନେପାଳଙ୍କର କୋଭିତ ଲକ୍ଷଣ ଥିବାରୁ ସେ ଆଂଟିଜେନ ଟେଷ୍ଟ ମଧ୍ୟ କରାଇଥିଲେ । ରିପୋର୍ଟ ନେଗେଟିଭ ଆସିଲା । ହେଲେ ଶୁକ୍ରବାର ସଂଧ୍ୟାରେ ସେ ଘରେ ହୋଇଥିବା ବେଳେ ହଠାତ୍ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା ।ପରିବାର ଲୋକେ ପ୍ରଥମେ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲ, ସେଠାରୁ ବୁର୍ଲାକୁ ସ୍ଥାନାନ୍ତର କରିଥିଲେ । ବୁର୍ଲାରେ ତାଙ୍କୁ ଆଇସିୟୁରେ ରଖୁବା ପରେ ବରଗଡ଼ ବିକାଶ ହସ୍ପିଟାଲକୁ ନେଇଥିଲେ । ହେଲେ ମଲ୍ଟି ଅର୍ଗାନ ଡ୍ୟାମେଜ ଯୋଗୁଁ ହଠାତ୍ ନେପାଳଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିବା ପ୍ରକାଶ । ସୂଚନାଯୋଗ୍ୟ, ନେପାଳଙ୍କ ବାପା ବୃଷଭଙ୍କ କିଛି ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଛି । ନେପାଳ ୬ଜଣ ଭାଇ ଭଉଣୀ ମଧ୍ୟରେ ଛୋଟ ଥିଲେ । ଘରର ଏକମାତ୍ର ରୋଜଗାରିଆ ସଦସ୍ୟ । ଜଣେ ଛାତ୍ରବତ୍ସଳ ଶିକ୍ଷକ ସହ ମେଳାପି, ସାମାଜିକ ଓ ଖେଳ ସଂଗଠକ ଭାବରେ ଅଂଚଳରେ ଖୁବ୍ ଜଣାଶୁଣା ଥିଲେ ନେପାଳ । ତାଙ୍କ ବିୟୋଗରେ ୧୯ ଖଣ୍ଡ ମୌଜାରେ ଶୋକର ଛାୟା ଖେଳିଯାଇଛି ।