ଆଇସିସି ଟେଷ୍ଟ ରାଙ୍କିଂ : ନବମକୁ ଖସିଲେ କୋହଲି, ଚତୁର୍ଥ ସ୍ଥାନରେ ବୁମରା
ଦୁବାଇ: ଆଇସିସି ପକ୍ଷରୁ ବୁଧବାର ନୂଆ ଟେଷ୍ଟ ରାଙ୍କିଂ ଜାରି ହୋଇଛି । ନୂଆ ମାନ୍ୟତା ଅନୁଯାୟୀ ଭାରତୀୟ ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଚତୁର୍ଥ ସ୍ଥାନରେ ପହଂଚିଛନ୍ତି । ସେ ଛଅଟି ସ୍ଥାନ ଉନ୍ନତି ଘଟାଇ ୮୩୦ ପଏଂଟ ସହ ଚତୁର୍ଥ ସ୍ଥାନରେ ପହଂଚିଛନ୍ତି । ଏହା ପୂର୍ବରୁ ସେ ଦଶମ ସ୍ଥାନରେ ଥିଲେ । ଏହି ତାଲିକାର ଶୀର୍ଷରେ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ପ୍ୟାଟ କମିନ୍ସ ଶୀର୍ଷରେ ରହିଥିବା ବେଳେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ବ୍ୟାଟିଂ ମାନ୍ୟତାରେ ବିରାଟ କୋହଲିଙ୍କ ଅବନ୍ନତି ଘଟିଛି । ସେ ୪ଟି ସ୍ଥାନ ତଳକୁ ଖସି ନବମରେ ପହଂଚିଥିବା ବେଳେ ଅଲରାଉଣ୍ଡର ରାଙ୍କିଙ୍ଗରେ ରବୀନ୍ଦ୍ର ଜାଡେଜା ଦ୍ୱିତୀୟକୁ ଖସିଛନ୍ତି ।
ଶ୍ରୀଲଙ୍କା ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ବୁମରା ଘରୋଇ ମାଟିରେ ପ୍ରଥମ ଥର ୫ ୱିକେଟ୍ ହାସଲ କରି ମୋଟ୍ ୮ ୱିକେଟ୍ ନେଇଥିଲେ । ସେ ପାକିସ୍ତାନର ଶାହିନ ଆଫ୍ରିଦି, କାଇଲ୍ ଜେମିସନ, ଟିମ୍ ସାଉଦି, ଜେମ୍ସ ଆଣ୍ଡରସନ, ନିଲ ୱାଗନର ଏବଂ ଜୋସ୍ ହେଜେଲଉଡଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ପହଂଚିଛନ୍ତି । ଅନ୍ୟପଟେ ବ୍ୟାଟସମ୍ୟାନ ମାନ୍ୟତାରେ ଶ୍ରୀଲଙ୍କାର ଅଧିନାୟକ ଦିମୁଥ କରୁଣାରନେô ତିନୋଟି ସ୍ଥାନ ଉପରକୁ ଉଠି ଟପ୍ ୫ରେ ପହଂଚିଛନ୍ତି । କରୁଣାରତନେ ଭାରତ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରିଥିଲେ । ମାତ୍ର ଦଳକୁ ପରାଜୟରୁ ରକ୍ଷା କରି ପାରିନଥିଲେ । ଏହା କରୁଣାରନେôଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ୍ । ସେ ବର୍ତମାନ ମାର୍ନସ ଲାବୁସେନ, ଜୋ ରୁଟ୍, ଷ୍ଟିଭ୍ ସ୍ମିଥ ଏବଂ କେନ ୱିଲିୟମସନଙ୍କ ସହିତ ଶୀର୍ଷ ୫ରେ ଅଛନ୍ତି । ୱେଷ୍ଟଇଣ୍ଡିଜର ନକ୍ରମା ବୋନର ଏବଂ ଭାରତର ଶ୍ରେୟସ ଆୟର ବଡ ଲମ୍ଫ ମାରି କ୍ରମଶଃ ୨୨ ଏବଂ ୪୦ଟି ସ୍ଥାନ ଉପରକୁ ଉଠି ୨୨ତମ ଏବଂ ୩୭ତମ ସ୍ଥାନରେ ପହଂଚିଛନ୍ତି । ଆୟର ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ୯୨ ଏବଂ ୬୭ ରନର ଇନିଂସ ଖେଳିଥିଲେ । ତାଙ୍କୁ ଏହି ଇନିଂସର ଫାଇଦା ମିଳିଛି । ଅନ୍ୟପଟେ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି । ସେ ବେଙ୍ଗାଲୁରୁ ଟେଷ୍ଟର ଉଭୟ ଇନିଂସରେ ୨୩ ଏବଂ ୧୩ ରନ କରିଥିଲେ । ଫଳରେ ତାଙ୍କୁ ୪ଟି ସ୍ଥାନ ହରାଇବାକୁ ପଡିଛି । ସେହି ପରି ଅଲରାଉଣ୍ଡର ମାନ୍ୟତାରେ ଜାସନ ହୋଲଡର ରବୀନ୍ଦ୍ର ଜାଡେଜାଙ୍କୁ ପଛରେ ପକାଇ ପୁଣି ଥରେ ପ୍ରଥମ ସ୍ଥାନକୁ ଉଠିଛନ୍ତି । ହୋଲଡର ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟରେ ୮୨ ରନ କରିବା ସହିତ ୩ଟି ୱିକେଟ୍ ହାସଲ କରିଥିଲେ ।