ଆଇସିସି ପୁରୁଷ ଟି-୨୦ ଫର୍ମାଟ : କ୍ରିକେଟର ଅଫ୍ ଦି ଇଅର ତାଲିକାରେ ସୂର୍ଯ୍ୟକୁମାର ଏକମାତ୍ର ଭାରତୀୟ
![](https://thetruths.in/wp-content/uploads/2022/10/Suryakumar-Yadav-1024x536.jpg)
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପୁରୁଷ ବର୍ଗରେ ଟି-୨୦ ଫର୍ମାଟ ପାଇଁ କ୍ରିକେଟର ଅଫ ଦି ଇୟର ଫାଇନାଲିଷ୍ଟ ତାଲିକା ପ୍ରକାଶ । ଏହି ତାଲିକାରେ ସୂର୍ଯ୍ୟକୁମାର ଯାଦବ ଏକମାତ୍ର ଭାରତୀୟ କ୍ରିକେଟର ଭାବେ ସ୍ଥାନ ପାଇଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟତୀତ ଏହି ତାଲିକାରେ ସିକନ୍ଦର ରଜା, ସାମ୍ କୁରାନ୍ ଏବଂ ମହମ୍ମଦ ରିଜୱାନ୍ ମଧ୍ୟ ସାମିଲ ଅଛନ୍ତି।
ଚଳିତ ବର୍ଷ ଟି-୨୦ ଫର୍ମାଟରେ ସୁର୍ଯ୍ୟକୁମାର ଯାଦବଙ୍କ ପାଇଁ ଏକ ଅବିଶ୍ୱସନୀୟ ବର୍ଷ ରହିଥିଲା। ଏହି ଫର୍ମାଟରେ ସେ ଏକ କ୍ୟାଲେଣ୍ଡର ବର୍ଷରେ ୧ ହଜାରରୁ ଅଧିକ ରନ୍ ସ୍କୋର କରିବାରେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ମୋଟ ୩୧ ଇନିଂସ ଖେଳି ୧୧୬୪ ରନ୍ ସ୍କୋର କରି ହାରାହାରି ୪୪.୫୬ ଏବଂ ଚମତ୍କାର ଷ୍ଟ୍ରାଇକ୍ ରେଟ ୧୮୭.୪୩ ଅଗ୍ରଣୀ ରନ୍ ସ୍କୋରର ଭାବେ ସୂର୍ଯ୍ୟକୁମାର ବର୍ଷ ଶେଷ କରିଥିଲେ। ଏକ କ୍ୟାଲେଣ୍ଡର ବର୍ଷରେ ଟି-୨୦ ଫର୍ମାଟରେ ସେ ୬୮ ଛକା ମାରିଛନ୍ତି। ଯାହା ଚଳିତ ବର୍ଷର ଟି-୨୦ ଫର୍ମାଟରେ ସର୍ବାଧିକ।
ଚଳିତ ବର୍ଷ ଆଇସିସି ପୁରୁଷ ବର୍ଗର ପ୍ରମୁଖ ବ୍ୟାଟ୍ସମ୍ୟାନ ତାଲିକାରେ ସେ ସ୍ଥାନ ପାଇଛନ୍ତି। ତାଙ୍କ ନାମରେ ଦୁଇଟି ଶତକ ସହ ୯ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ରହିଛି। ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟଙ୍କ ବ୍ୟାଟିଂ ପ୍ରଦର୍ଶନ ୨୦୨୨ ଟି-୨୦ ବିଶ୍ୱକପ ଅଭିଯାନର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା। ସେ ୬ ମ୍ୟାଚ ଖେଳି ୨୩୯ ରନ ସଂଗ୍ରହ କରିଛନ୍ତି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ନେଦରଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେ ବିପକ୍ଷରେ ତିନୋଟି ଅର୍ଦ୍ଧଶତକ ହାସଲ କରିଥିଲେ।
ସୂର୍ଯ୍ୟକୁମାର ଯାଦବଙ୍କ ସହ ଜିମ୍ବାୱେ ଦଳର ଅଲରାଉଣ୍ଡର ସିକନ୍ଦର ରଜା, ଇଂଲଣ୍ଡ ଦଳର ଅଲରାଉଣ୍ଡର ସାମ କୁରାନ୍ ଏବଂ ପାକିସ୍ତାନୀ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ୍ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ପୁରୁଷ ବର୍ଗରେ କ୍ରିକେଟର ଅଫ ଦି ଇୟର ତାଲିକାରେ ସାମିଲ ହୋଇଛନ୍ତି।
ଜିମ୍ବାୱେ ଅଲରାଉଣ୍ଡର ସିକନ୍ଦର ରଜାଙ୍କ ପାଇଁ ଚଳିତ ବର୍ଷ ଏକ ଚମତ୍କାର ବର୍ଷ ରହିଛି। ଟି-୨୦ ଫର୍ମାଟରେ ସେ ଉଭୟ ବୋଲିଂ ଏବଂ ବ୍ୟାଟିଂ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବର୍ଷ ୨୦୨୨ ପାଇଁ ସିକନ୍ଦର ରଜା ଜିମ୍ବାୱେ ଦଳର ଅଗ୍ରଣୀ ଟି-୨୦ ରନ୍ ସ୍କୋରର୍ ଭାବେ ଉଭା ହୋଇଛନ୍ତି। ଚଳିତ ବର୍ଷ ସିକନ୍ଦର ରଜା ୨୩ ଇନିଂସ ଖେଳି ୭୩୫ ରନ୍ ସ୍କୋର କରିଛନ୍ତି। ଯେଉଁଥିରେ ପାଞ୍ଚଟି ଅର୍ଦ୍ଧ ଶତକ ରହିଛି। ସେହିପରି ବୋଲିଂ କ୍ଷେତ୍ରରେ ସିକନ୍ଦର ରଜା ୨୫ ୱିକେଟ ନେଇଛନ୍ତି।
ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ତଥା ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ସାମ କୁରାନ୍ ମଧ୍ୟ ଏହି ପୁରସ୍କାର ପାଇଁ ଏକ ଦାବିଦାର। ଏହି ବିଶ୍ୱକପରେ ଇଂଲଣ୍ଡ ପ୍ରମୁଖ ଦ୍ରୁତ ବୋଲରଙ୍କୁ ହରାଇବା ସହିତ କୁରାନ୍ ୧୩ ୱିକେଟ ନେଇଥିଲେ। ୱିକେଟ ନେବା ତାଲିକାରେ ଶ୍ରୀଲଙ୍କା ଖେଳାଳୀ ୱାନିନ୍ଦୁ ହାସାରଙ୍ଗାଙ୍କ ପରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ଇଂଲଣ୍ଡ ଅଲରାଉଣ୍ଡର ୧୯ ଟି-୨୦ ମ୍ୟାଚ ଖେଳି ୨୫ ୱିକେଟ୍ ନେବା ସହ ଏବଂ ୬୭ ରନ୍ ସଂଗ୍ରହ କରିଛନ୍ତି।
ଯଦି ମହମ୍ମଦ ରିଜୱାନଙ୍କ କଥା କୁହାଯାଏ, ତାହେଲେ ଏହି ପାକିସ୍ତାନୀ ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ଚଳିତ ବର୍ଷ ଟି-୨୦ ଫର୍ମାଟରେ ୯୯୬ ରନ ସଂଗ୍ରହ କରିଛନ୍ତି। ରନ ସଂଗ୍ରହ କରିବା ତାଲିକାରେ ମହମ୍ମଦ ରିଜୱାନ ସୂର୍ଯ୍ୟକୁମାର ଯାଦବଙ୍କ ଠାରୁ ପଛରେ ଅଛନ୍ତି। ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ଟି-୨୦ ବିଶ୍ୱକପରେ ୧୭୫ ରନ ସଂଗ୍ରହ କରିବା ସହ ଚଳିତ ବର୍ଷ ୯ ଅର୍ଦ୍ଧଶତକ ହାସଲ କରିଛନ୍ତି।