ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ନୀଳଗିରିବାସୀଙ୍କ ପାଇଁ ସେବା କରିବି : ଚିତ୍ତ ଷଡ଼ଙ୍ଗୀ
ନୀଳଗିରି : ନୀଳଗିରିର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଚିତ୍ତରଞ୍ଜନ ଷଡ଼ଙ୍ଗୀ ଆଜି ଅପରାହ୍ନରେ ନିଜ ସେନାପତି ପ୍ରେସ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ସମେତ ନୀଳଗିରି ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଦୁର୍ନୀତି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ପାଣି ସମସ୍ୟା, ରେଶନ କାର୍ଡ ଦୁର୍ନୀତି, ବ୍ୟାପକ ଖଣିଜ ସମ୍ପଦ ହରିଲୁଟ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ଆଦି ବିଭିନ୍ନ ବିଷୟ ନେଇ କ୍ଷଭୋ ପ୍ରକାଶ କରିଥିଲେ।
ସାଧାରଣ ଜନତା ଆବାସ ଯୋଜନାରେ ଘର ପାଇବାରେ ପ୍ରକୃତ ହିତାଧିକାରୀ ଚୟନରେ ଦୁର୍ନୀତି ସହିତ ୧୦ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରୁଥିବା ଦେଖିବାକୁ ମିଳିଛି। ନୀଳଗିରି ଭାରତବର୍ଷରେ ପ୍ରଥମ ଗଡ଼ଜାତ ଯିଏକି ନିଜେ ଲଢ଼ାଇ କରି ସାମିଲ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉପଯୁକ୍ତ ସମ୍ମାନ ମିଳିନାହିଁ। ନୀଳଗିରିରୁ ଲକ୍ଷ ଲକ୍ଷ କୋଟି ଟଙ୍କାର ପଥର ଓ କାଠ ଯାଇଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୀଳଗିରିକୁ ଦେଇଛନ୍ତି କେତେ ଓ ନେଇଛନ୍ତି କେତେ ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରଶ୍ନ କରିଥିଲେ। ଏଥି ସହିତ ନୀଳଗିରିକୁ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କରିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବେ ବୋଲି କହିଥିଲେ।ଏହିଭଳି ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରିବା ସହିତ ଏହାର ସମାଧାନ ପାଇଁ ଯୁବ ସମାଜ ଆଗେଇ ଆସିବାକୁ ଅନୁରୋଧ କରିଥିଲେ। ଏତଦ୍ ବ୍ୟତୀତ ଆଗାମୀ ଦିନରେ ଯଦି ସେ ନୀଳଗିରି ମାଟିରୁ ନିର୍ବାଚନ ନ ଲଢନ୍ତି ତାହେଲେ ଆସନ୍ତା ଚନ୍ଦନ ପୂର୍ଣ୍ଣିମାରୁ ତେନ୍ତୁଳିଆ ଠାରୁ ଫତେପୁର ପର୍ଯ୍ୟନ୍ତ ପଦଯାତ୍ରା କରି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବେ ବୋଲି ସୂଚନା ଦେଇଛନ୍ତି।