ଆତ୍ମସମର୍ପଣ କରିବିନି, ଗାର୍ଡକୁ କହିଲେ ମୋତେ ଗୁଳି କରି ଦେବ : ସାଲେହ
ନୂଆଦିଲ୍ଲୀ : ଆଫଗାନିସ୍ତାନର ଉପ ରାଷ୍ଟ୍ରପତି ଥିବା ଅମରୁଲ୍ଲା ସାଲେହ ସଂପ୍ରତି ନିଜ ଦେଶର ଆତ୍ମ ସମ୍ମାନ ପାଇଁ ଲଢେଇ କରୁଛନ୍ତି। ସେ ପଞ୍ଜଶୀର ଘାଟିରେ ତାଲିବାନୀ ବିରୋଧରେ ରେଜିଷ୍ଟାନ୍ସ ଫୋର୍ସର ନେତୃତ୍ଵ କରୁଛନ୍ତି। ଏହା ମଧ୍ୟରେ ସାଲେହ ବ୍ରିଟିଶ ଖବର କାଗଜ ଡେଲି ମେଲ୍ରେ ଏକ ଲେଖା ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି, ଯଦି ପଞ୍ଜଶୀର ଲଢେଇ ବେଳେ ସେ ଆହତ ହୁଅନ୍ତି ତେବେ ସେହି ସମୟରେ କଣ କରାଯିବା ଦରକାର ସେ ନିଜର ଗାର୍ଡମାନଙ୍କୁ ଖାସ୍ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଯଦି ସେ ଆହତ ହୁଅନ୍ତି ତେବେ ଏମିତି ସ୍ଥିତିରେ ଗାର୍ଡ ମୋତେ ଗୁଳି କରି ଦେବ, କାରଣ ମୁଁ ତାଲିବାନ ସାମ୍ନାରେ ଆତ୍ମ ସମର୍ପଣ କରିବାକୁ ଚାହୁଁନାହିଁ।
ନିଜର ପଞ୍ଜଶୀର ପହଞ୍ଚିବା ବିଷୟରେ ସାଲେହ ଲେଖିଛନ୍ତି, ସେ ଦୁଇଟି ସୈନ୍ୟ ଗାଡି ଏବଂ ଦୁଇଟି ପିକଅପ୍ ଟ୍ରକ ସହ ସେଠାରୁ ବାହାରିଥିଲେ। ଟ୍ରକରେ ବନ୍ଧୁକ ଲଦା ହୋଇଥିଲା। ପଞ୍ଜଶୀର ଯିବା ବେଳେ ରାସ୍ତାରେ ଦୁଇ ଥର ତାଙ୍କର ଏହି ଗାଡି ଉପରେ ଆକ୍ରମଣ ହୋଇଥିଲା। ଆମେ ବହୁତ ମୁସ୍କିଲରେ ନଦର୍ଣ୍ଣ ପାସ୍ ଅତିକ୍ରମ କରିଥିଲୁ। ଏଠାରେ ଅନେକ ପ୍ରକାରରେ ବେଆଇନ ଗତିବିଧି ଜାରି ରହିଥିଲା। ଚାରିଆଡେ ଠକ, ଚୋର ଏବଂ ତାଲିବାନର ରାଜ ଥିଲା। ଆମ ଉପରେ ଦୁଇ ଥର ଆକ୍ରମଣ ହୋଇଥିଲେ ହେଁ ଆମେ ବଞ୍ଚି ଯାଇଥିଲୁ। ଆମେ ବହୁତ କଠିନରେ ଏହି ରାସ୍ତା ଅତିକ୍ରମ କରିଥିଲୁ ବୋଲି ସାଲେହ କହିଛନ୍ତି।