ସଂଘର୍ଷର ଅନ୍ତ ଘଟାଇବାକୁ ଚାହୁଁଛୁ, କେବେବି ଯୁଦ୍ଧ ଚାହିଁ ନାହୁଁ : ଋଷ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଜୋରଦାର ଲଢ଼େଇ ଜାରି ରହିଛି । ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ଯିବା ସହ ବହୁତ ଧନ ସମ୍ପତ୍ତିର କ୍ଷୟକ୍ଷତି ଘଟିଛି । ଋଷ ସେନା ଲଗାତର ୟୁକ୍ରେନର ରାଜଧାନୀ କୀଭ ଉପରେ ଆକ୍ରମଣ ଜାରି ରଖିଛି । କିନ୍ତୁ ଋଷକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବଡ଼ ସଫଳତା ମିଳିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଥିବା ଯୁଦ୍ଧକୁ ନେଇ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋବ କହିଛନ୍ତି ଯେ, ଆମେ ବର୍ତ୍ତମାନର ସଂଘର୍ଷର ଅନ୍ତ ଘଟାଇବାକୁ ଚାହୁଁଛୁ, କେବେବି ଯୁଦ୍ଧ ଚାହିଁ ନାହୁଁ ।
ଋଷର ସରକାରୀ ଖବର ସରବରାହ ସଂସ୍ଥା ଟାସ ଲାଭରୋଭଙ୍କ ବୟାନକୁ ନେଇ ଏହି ରିପୋର୍ଟ କରିଛି । ଟାସ ଅନୁଯାୟୀ, ସରୋଜ ଲାଭରୋଭ କହିଛନ୍ତି ଯେ ମସ୍କୋ କେବେବି ଯୁଦ୍ଧ ଚାହିଁ ନାହିଁ ଓ ବର୍ତ୍ତମାନର ସଂଘର୍ଷକୁ ଶେଷ କରିବାକୁ ଚାହୁଁଛି । ସେପଟେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଋଷର ନେତାମାନଙ୍କୁ କହିଛନ୍ତି ଯେ, ତାଙ୍କ ଦେଶ ଦ୍ୱାରା ୟୁକ୍ରେନ ଉପରେ କରାଯାଇଥିବା ଆକ୍ରମଣର ସେମାନଙ୍କୁ ଭାରି ମୂଲ୍ୟ ଦେବାକୁ ପଡ଼ିବ ଓ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ତାଙ୍କ ଲୋକମାନେ ସେମାନଙ୍କୁ ଘୃଣା କରିବେ । ଭୋଲୋଡିମିର ଜେଲେନସ୍କି ଗୁରୁବାର ଏକ ଭିଡିଓରେ କହିଛନ୍ତି, ଆପଣ (ଋଷ) ଙ୍କ ଉପରେ ନିଶ୍ଚିତ ଭାବେ ଯୁଦ୍ଧ ଅପରାଧରେ ଜଡ଼ିତ ପାଇଁ ମକଦ୍ଦମା ଚାଲିବ ।
ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି ଯେ, ଏହି ଆକ୍ରମଣ ଯୋଗୁଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଋଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି, ଯାହାର ପରିଣାମ ସମସ୍ତ ଋଷୀୟ ଲୋକ ଅନୁଭବ କରିବେ । ଋଷର ନାଗରିକମାନେ ଋଷର ନେତାମାନଙ୍କୁ ଘୃଣା କରିବେ, ଯାହାଙ୍କୁ ସେମାନେ ଦୀର୍ଘ ବର୍ଷ ଧରି ପ୍ରତିଦିନ ଠକି ଆସୁଛନ୍ତି । ଏଥି ସହିତ ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ମସ୍କୋ ଓ କୀଭର ବରିଷ୍ଠ କୂଟନୀତିଜ୍ଞଙ୍କ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଉପରେ ହୋଇଥିବା ଆଲୋଚନାର କୌଣସି ଫଳାଫଳ ବାହାରି ନାହିଁ । ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି ଯେ ଗୁରୁବାର ତୁର୍କୀରେ ସେ ଋଷର ପ୍ରତିପକ୍ଷ ସର୍ଗେଇ ଲାଭରୋଭଙ୍କ ସହ ମାନବିକ କରିଡର ତଥା ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କରେ ଆଲୋଚନା କରିଛନ୍ତି ।