ଟ୍ରକ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ଉପରେ ଆଜି ତଥା ରବିବାର ଦିନ ଏକ ଟ୍ରକ ଧକ୍କାରେ ସ୍ୱାମୀ ଓ ସ୍ତ୍ରୀ ଙ୍କର ଏକ ଦୁଖଃଦ ମୃତ୍ୟୁ ହୋଇଅଛି । ଏହି ୨୦ ନମ୍ବର ଜାତୀୟ ରାଜପଥଟି କେନ୍ଦୁଝର ଜିଲ୍ଲା ମଧ୍ୟଦେଇ ଯାଇଥିବା ବେଳେ ଏହି ରାସ୍ତାଟି ଜିଲ୍ଲାର ଲାଇଫ ଲାଇନ ଭାବେ ବିବେଚନା କରାଯାଇଥାଏ । କିନ୍ତୁ ଜିଲ୍ଲାର ଏହି ଲାଇଫ ଲାଇନ ୨୦ ନମ୍ବର ଜାତୀୟ ରାଜପଥ ଏବେ ସାଧାରଣଙ୍କ ପାଇଁ ମରଣଯନ୍ତା ପଲଟିଅଛି ।
ରବିବାର ଅପରାହ୍ନରେ ଏହି ରାଜପଥ ଉପରେ ସ୍ୱାମୀ ସ୍ତ୍ରୀ ଏକ ବାଇକ ଯୋଗେ ଯାଉଥିବା ସମୟରେ ଅର୍ଶଳା ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ବହୁତ ଦୃତ ଗତିରେ ଆସି ସେମାନଙ୍କୁ ପଛରୁ ଧକ୍କା ଦେବା ସହ ବାଇକ୍ ସହ କିଛି ବାଟ ଘୋଷାଡି ନେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ ସ୍ୱାମୀ ସ୍ତ୍ରୀ ଦ୍ୱୟ ହେଲେ ତାପସ ଗିରି ଓ କୁମୁଦିନୀ ଗିରି ଏବଂ ସେମାନଙ୍କ ଘର ଢେଙ୍କିକୋଟ ନିକଟସ୍ଥ କେତାଙ୍ଗ ଗ୍ରାମରେ ବୋଲି ଜଣା ପଡିଛି । ଦୁର୍ଘଟଣା ଘଟାଇବା ପରେ ଟ୍ରକଟି ଦୃତଗତିରେ ଖସି ପଳାଇ ଯାଉଥିବା ବେଳେ ବାଲିବନ୍ଧ ନିକଟରେ ସ୍ଥାନୀ ଅଂଚଳର ଲୋକମାନେ ତାକୁ ଅଟକ ରଖି ଝୁମ୍ପୁରା ପୋଲିସକୁ ଖବର ଦେଇଥିଲେ । ଟ୍ରକ ଡ୍ରାଇଭର ଜଣଙ୍କ ପ୍ରଚୁର ମଦ୍ୟପାନ କରି ଗାଡି ଚଲାଇ ଏହି ଦୁର୍ଘଟଣା ଘଟାଇଥିବା ଜଣା ପଡିଛି । ଏହି ରାଜପଥ ଉପରେ ପୋଲିସର ପେଟ୍ରେଲିଂ ପ୍ରାୟ ରହୁ ନଥିବାରୁ ଅନେକ ସମୟରେ ଗାଡି ଚାଳକମାନଙ୍କର ବେପରୁଆ ଗାଡି ଚାଳନା ଯୋଗୁଁ ଅନେକ ସମୟରେ ଏହି ରାଜପଥ ଉପରେ ଦୁର୍ଘଟଣାମାନ ଘଟୁଛି । ଏ ଦିଗରେ ପୋଲିସ ପ୍ରଶାସନ ଅଧିକ ଯତ୍ନବାନ ହେବାର ଆବଶ୍ୟକ ରହିଥିବା ଦୃଢ ମତ ପ୍ରକାଶ ପାଇଛି ।