ବନ୍ଧୁକ ସହ ଶିକାରୀ ଗିରଫ, ଦୁଇ ଫେରାର
୩୮ କିଲୋର ମୃତ ସମ୍ବର, ଦେଶୀ ବନ୍ଧୁକ ସହ ଗୁଳି ଜବତ
ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ପରିସରରେ ଜୋଡ଼ାଚୁଆ ଅଞ୍ଚଳରେ ବନକର୍ମଚାରୀମାନଙ୍କ ଦ୍ୱାରା ୩୮କିଲୋର ମୃତ ସମ୍ବର ଓ ଦେଶୀ ବନ୍ଧୁକ ସହ ଜଣେ ଶିକାରୀ ଗିରଫ କରିଛନ୍ତି । ତେବେ ଗୋଟିଏ ପଟେ ଡହ ଡହ ଖରା ସହିତ ନିଆଁର ପ୍ରକୋପରେ କୁଲଡ଼ିହା ଅଭୟାରଣ୍ୟ ଓ ଜନଜୀବନ ଦୁର୍ବିସହ ହୋଇପଡ଼ିଛି । କିଛିଦିନ ତଳେ ଅଭୟାରଣ୍ୟରେ ଲାଗିଥିବା ନିଆଁ ଲିଭାଇ ଦିଆଯାଇଥିବା ବେଳେ ପୁଣି ଥରେ ୩ଦିନ ହେବ ନିଆଁ ଜଳୁଥିବାରୁ ଜଙ୍ଗଲରେ ବନ୍ୟଜନ୍ତୁ ଅଭୟାରଣ୍ୟରେ ଜୀବନ ବିକଳରେ ଘୁରି ବୁଲୁଥିବାରୁ ଏହା ଶିକାରୀମାନଙ୍କୁ ସୁହାଉଛି । ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ବନବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ବୁଧବାର ଅଭୟାରଣ୍ୟର ଜୋଡ଼ାଚୁଆ ଅଞ୍ଚଳରେ କିଛି ଶିକାରୀ ଶିକାର ପାଇଁ ଯାଇଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ କୁଲଡ଼ିହା ରେଞ୍ଜର ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଫରେଷ୍ଟର ଉମାକାନ୍ତ ଜେନା ଫରେଷ୍ଟ ଗାର୍ଡ଼ ଓ ସବୁଜବାହିନୀ ରାତ୍ର ୧୦ଟା ସମୟରେ ଅଚାନକ ଚଢ଼ାଉ କରିଥିଲେ । ଦୁଇ ଶିକାରୀ ଖସି ପଳାଇବାରେ ସମର୍ଥ ହୋଇଥିବା ବେଳେ କେସିପୁର ଗ୍ରାମପଞ୍ଚାୟତର ବେତକଟା ଅଞ୍ଚଳର ବସନ୍ତ ମଢ଼େଇ (୩୫)କୁ ବନବିଭାଗ କାବୁ କରିନେଇଥିଲେ । ତାଙ୍କ ପାଖରୁ ୩୮କିଲୋର ମୃତ ସମ୍ବର ଜବତ ହୋଇଥିବା ବେଳେ ଦେଶୀ ବନ୍ଧୁକ, ବାରୁଦ, ଗୁଳି ଜବତ ହୋଇଛି । ଏନେଇ ଏକ ମାମଲା (ନଂ. ୭୩ ।୨୦/୨୧) ରୁଜୁ କରାଯାଇଥିବା ବେଳେ ଶିକାରୀକୁ ଗିରଫ କରାଯାଇଥିବା ଜଣାପଡ଼ିଛି ।