ଶିମିଳିପାଳରେ ଦନ୍ତାକୁ ମାରି ଦାନ୍ତ ନେଇଗଲେ ଶିକାରୀ
ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ପୁଣି ଦନ୍ତା ଶିକାର । ତାଳବନ୍ଧ ରେଞ୍ଜ ଆସାଡଲା ଗ୍ରାମରେ ଦନ୍ତା ହାତୀ ମୃତ୍ୟୁ । ଦନ୍ତାକୁ ଶିକାର ହୋଇଥିବା ସୂଚନା । ହାତୀର ମୃତ ଶରୀରରେ ଦାନ୍ତ ନାହିଁ । ଏଣୁ କେହି ହତ୍ୟା କରି ଦାନ୍ତ କାଟି ନେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ପହଂଚି ତଦନ୍ତ କରୁଛି ।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତର ଡିଭିଜନ ବାଙ୍ଗିରିପୋଷି ଥାନା ଅଧୀନ ତାଳବନ୍ଧ ରେଞ୍ଜର ବାଙ୍କଡିହି ଅଂଚଳରେ ଏକ ଦନ୍ତାର ଗଳିତ ମୃତ ଦେହକୁ ବନବିଭାଗ ରବିବାର ଜବତ କରିଛି । ଶିକାରୀ ମାନେ ହାତୀକୁ ଶିକାର କରି ଦାନ୍ତ କାଟି ନେଇଛନ୍ତି । ପ୍ରାୟ ୨/୩ ସପ୍ତାହ ପୂର୍ବରୁ ଶିକାର କରାଯାଇଛି ବୋଲି ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି କର୍ମଚାରୀ ମାନେ ଅନୁମାନ କରିଛନ୍ତି । ଖବରପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସଟିଆର)ର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ଟି. ଅଶୋକ କୁମାର ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତର ଡିଭିଜନର ଉପ ନିର୍ଦ୍ଦେଶକ ସାଇ କିରଣ ସଦଳବଳେ ପହଂଚି ତଦନ୍ତ ଜାରି ରଖିଛନ୍ତି । ତତ୍ସହିତ ହାତୀର ବ୍ୟବଛେଦ କରିବା ପାଇଁ ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀ ମାନେ ପହଂଚିଛନ୍ତି । ତେବେ ସରକାର ଏବଂ ପ୍ରଶାସନ ପକ୍ଷରୁ ଲଗାତାର ସଚେତନ କରାଯାଉ ଥିବା ବେଳେ ହାତୀ ଶିକାର ସଂଖ୍ୟା କମୁନି । ହାତୀଙ୍କୁ ହତ୍ୟା କରାଯାଇ ତାର ଦାନ୍ତକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଛି ।
ପ୍ରକାଶ ଥାଉକି, ଗତ ପ୍ରାୟ ଦେଢ଼ ମାସ ପୂର୍ବେ ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜ୍ ରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଥିଲା । ମୃତ ହାତୀର ଦାନ୍ତ ଗାୟବ୍ ଥିଲା । ଏପରିକି ଘଟଣାକୁ ଲୁଚାଇବା ପାଇଁ ବନ କର୍ମଚାରୀ ହାତୀକୁ ପୋଡ଼ି ନଦୀରେ ଭସାଇ ଦେଇଥିବା ଅଭିଯୋଗ ହୋଇଥିଲା । ଘଟଣାରେ ଫରେଷ୍ଟରଙ୍କ ସମେତ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ ହୋଇଥିଲେ ।