ନୀଳଗିରିରୁ ଶିକାରୀ ଗିରଫ : ୨ ଗୁରାଣ୍ଡି ଓ ଗୋଟିଏ ଦେଶୀ ବନ୍ଧୁକ ସହ ଯନ୍ତ୍ରାଂଶ ଜବତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ ପ୍ରକୃତିରାଣୀ କୁଲଡ଼ିହା ଅଭୟାରଣ୍ୟ ଏବେ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି । କ୍ରମାଗତଭାବେ କୁଲଡିହା ଅଭୟାରଣ୍ୟରେ ଚଳିତବର୍ଷ ତିନିମାସ ମଧ୍ୟରେ ୩ଟି ହାତୀଙ୍କ ମୃତ୍ୟୁ ଘଟଣା ସହ ଶୀକାରୀ ଅବୈଧ ଶୀକାର ବନାଞ୍ଚଳ ବାସୀଙ୍କୁ ବ୍ୟଥିତ କରିଛି । ଏହି ପରିପ୍ରେକ୍ଷୀରେ କୁଲଡ଼ିହା ବନବିଭାଗ ଦ୍ୱାରା ଜଣେ ଶିକାରୀ ଗିରଫ ହୋଇଥିବା ବେଳେ ତା’ ନିକଟରୁ ୨ ଗୁରାଣ୍ଡି ଓ ଗୋଟିଏ ଦେଶୀ ବନ୍ଧୁକ ସହ ଯନ୍ତ୍ରାଂଶ ଜବତ କରାଯାଇଛି ।
ସୁଚନା ଯେ, କୁଲଡ଼ିହା ଅଭୟାରଣ୍ୟରେ ୨ ଜଙ୍ଗଲି ଗୁରାଣ୍ଡି ଶୀକାର ହୋଇଥିବା ନେଇ ରେଞ୍ଜର ଅନନ୍ତ କୁମାର ଜେନା ବିଶେଷ ସୂତ୍ରରୁ ଖବର ପାଇଥିଲେ । ପରେ ସଦଳବଳେ ସିଆଡ଼ିମାଳ ପଞ୍ଚାୟତରେ ଚଢ଼ାଉ କରିଥିଲେ । ଉକ୍ତ ପଞ୍ଚାୟତର ଭୁଟାସିମିଳି ଗାଁର ୰ରୂପା ସିଂର ପୁଅ ମଧୁ (୨୫)ଙ୍କ ଘରେ ମୃତ ୨ ଗୁରାଣ୍ଡି ଓ ମାଂସ ଜବତ କରିବା ସହ ମଧୁ ସିଂଙ୍କୁ ଗିରଫ କରିବା ସହ ତା’ ଠାରୁ ଏକ ଦେଶୀ ବନ୍ଧୁକ, ଟର୍ଚ୍ଚ ଲାଇଟ୍, ବ୍ଲକ ଗନ ପାଉଡ଼ର ୧୫ଗ୍ରାମ୍, ରେଡ୍ ଗନ ପାଉଡ଼ର ୫ ଗ୍ରାମ, ୨୩ଟି ଗୁଳି ବନବିଭାଗ ଜବଦ କରିଥିଲା । ଉକ୍ତ ଘଟଣାରେ ସେହି ପଞ୍ଚାୟତରେ ବଡ଼ନାଳ ଗାଁର ଟୁଙ୍ଗୁ ସିଂର ପୁଅ ରୂହିଯା ସିଂ ଫେରାର ହୋଇଯାଇଛି । ଏନେଇ କୁଲଡ଼ିହା ବନବିଭାଗ ପକ୍ଷରୁ ଏକ ମାମଲା ନଂ (୧ / ୨୨-୨୩) ରୁଜୁ କରି ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି ।