ହୋଲି ଓ ଓଡ଼ିଶା
ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ। ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ । ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ । ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ । ପ୍ରାୟତଃ ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ମଧ୍ୟ ଦକ୍ଷିଣା ଦିଆଯାଇଥାଏ । ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ । ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ । ସେହି ମଣ୍ଡପର ନାମ ଦୋଳ ମଣ୍ଡପ । ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ ।
ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହ ଉଦ୍ଦୀପନାରେ ଝୁମି ଉଠେ । ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିରରେ କିମ୍ବା ଶ୍ରୀଜଗନ୍ନାଥ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଦୋଳା ବା ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ ଏବଂ ଦୁଆର ଦୁଆର ବୁଲି ଭୋଗ ଖାଆନ୍ତି ଠାକୁରେ । ଏହା ଏପରି ଏକ ସାମୁହିକ ଉତ୍ସବରେ ପରିଣତ ହୋଇଛି ଯେ ଖୋର୍ଦ୍ଧା ନିକଟବର୍ତ୍ତୀ କେତେକ ଗ୍ରାମରେ ଯଥା- ଗଡ଼ବାଣି, ମାଣିକଗୋଡାରେ – ଯେଉଁଠାରେ ମୁସଲମାନ ଦଳବେହେରା ରାଜାଙ୍କଦ୍ୱାରା ନିଯୁକ୍ତ ହେଇଥିଲେ ବା ହିନ୍ଦୁ ଦଳବେହେରା ପରବର୍ତ୍ତୀ ସମୟରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ – ସେମାନଙ୍କୁ ଦୁଆରେ ମଧ୍ୟ ପ୍ରଭୁ ଭୋଗ ଖାଇଥାନ୍ତି ।
ସେହିପରି ଶୈବପୀଠ ସହିତ ବୈଷ୍ଣବ ଭକ୍ତ ଓ ପୀଠର ସୌହାର୍ଯ୍ୟ ବୃଦ୍ଧିରେ ଦୋଳ ମେଲଣ ଓ ଦୋଳ ମଣ୍ଡପ ସାହାଯ୍ୟ କରିଥାଏ । ସାଧାରଣତଃ ଶୈବ, ଶାକ୍ତ କିମ୍ବା ଅନ୍ୟ ନିର୍ବିବାଦୀୟ ପୀଠରେ ବା ତାଙ୍କ ନିକଟରେ ଆୟୋଜିତ ହୋଇଥାଏ ଦୋଳ ମେଲଣ । ସେଠାରେ ପଞ୍ଚରାତ୍ର ବ୍ୟାପୀ ଚାଚେରୀରେ ସନ୍ଧ୍ୟାଠାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଗ୍ରାମ ପରିକ୍ରମା ଓ ପରିଭ୍ରମଣ କରୁଥିବା ରାଧାକୃଷ୍ଣଙ୍କ ବିମାନ ଆସି ସାମୟିକ ରହିଥାଏ । ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ମେଲଣର ଅନନ୍ୟ ପରମ୍ପରା, ଐତିହ୍ୟ ଓ ନାମକରଣ ରହିଛି ।
ତେବେ ମୁଖ୍ୟତଃ ଏହି ଦୋଳ ମେଲଣ ତିନି ଭିନ୍ନ ଭିନ୍ନ ପ୍ରକାରର :
ଫାଲଗୁନର ରାଜଦୋଳ ମେଲଣ, ଅର୍ଥାତ ଫଗୁ (ଶୁକ୍ଳପକ୍ଷ) ଦଶମୀଠାରୁ ଫଗୁଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ।
ପଞ୍ଚୁଦୋଳ ମେଲଣ, ପାଞ୍ଚଦିନ ଅର୍ଥାତ ଫଗୁଣ ପୂର୍ଣ୍ଣିମାଠାରୁ ଚୈତ୍ରମାସ କୃଷ୍ଣ ପଞ୍ଚମୀ ପର୍ଯ୍ୟନ୍ତ ।
ଦଶଦୋଳ, ଦଶଦିନ ବ୍ୟାପୀ ମେଲଣ ଅର୍ଥାତ ଫଗୁଣ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ନବମୀ ପର୍ଯ୍ୟନ୍ତ ।
ବାସ୍ତବରେ କହିବାକୁ ଗଲେ ଏହି ରାଜଦୋଳ ଉତ୍ସବ ଅର୍ଥାତ ଫଗୁଦଶମୀଠାରୁ ସମସ୍ତ ସମସ୍ତ ବୈଷ୍ଣବ ପୀଠରେ ଝୁଲଣ ମଣ୍ଡପରେ ଦୋଳିରେ ଝୁଲନ୍ତି କିମ୍ବା ସୁସଜ୍ଜିତ ବିମାନରେ ବିଜେ କରନ୍ତି ଶ୍ରୀରାଧାକୃଷ୍ଣ ଯୁଗଳ ମୂର୍ତ୍ତି ।
ଓଡ଼ିଶାର ବହୁ ପର୍ବ ପରି ଦୋଳ ଚାଚେରୀ ଆଉ ମେଲଣ ଉଭୟ ଯାତ୍ରା ଓ ସ୍ଥାନୀୟ ସମାବେଶର ଉଲ୍ଲେଖଯୋଗ୍ୟ ସମ୍ମିଶ୍ରଣ। ଶ୍ରୀ ଚୈତନ୍ୟ ଜୟନ୍ତୀ ଭାବରେ ସଂକୀର୍ତ୍ତନ, ଖୋଳ, କରତାଳର ଏହା ମହାଉତ୍ସବ ରୂପେ ପରିଗଣିତ । ଅବଶ୍ୟ, ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଅଭେଦ୍ୟତା ସ୍ଥାପିତ ହୋଇଥିବାରୁ କେତେକ ଝୁଲଣ ମଣ୍ଡପ ବା ପୀଠରେ ଶ୍ରୀକୃଷ୍ଣଙ୍କ ସ୍ଥାନରେ ଜଗନ୍ନାଥଙ୍କ ମୂର୍ତ୍ତି ଶୋଭାପାଇଥାଏ ।