ଆଜି ନୂଆ ସଂସଦ ଭବନରେ ତ୍ରିରଙ୍ଗା ପତାକା ଉତ୍ତୋଳନ
ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ପ୍ରଥମ ଦିନ ପୁରୁଣା ସଂସଦ ଭବନରେ ଗୃହକାର୍ଯ୍ୟ ଚାଲିବ । ପରେ ଗଣେଶ ଚତୁର୍ଥୀରୁ ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରୁ ନୂଆ ସଂସଦ ଭବନରେ ଅଧିବେଶନ ଶୁଭାରମ୍ଭ ହେବ ।
ଏହା ପୂର୍ବରୁ ରବିବାର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ନୂଆ ସଂସଦ ଭବନରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ । ସଂସଦର ଗଜଦ୍ୱାର ଉପରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଭି ମୁରଲୀଧରନ ଏବଂ ଲୋକସଭା ଓ ରାଜ୍ୟସଭାରେ ଥିବା ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ରହିବେ ।
ଅମୃତ କାଳ ସମୟରେ ଡକାଯାଇଥିବା ସଂସଦର ବିଶେଷ ଅଧିବେଶନ ପୂର୍ବରୁ ସରକାର ଗତ ୩ ଦିନ ହେଲା ନୂଆ ଓ ପୁରୁଣା ଉଭୟ ସଂସଦ ଭବନରେ ରିହର୍ସଲ କରୁଛନ୍ତି। ସରକାରୀ ସୂତ୍ର ଅନୁସାରେ ବିଶେଷ ସଂସଦ ଅଧିବେଶନ ନିମନ୍ତେ ପୁରୁଣା ବିଲ୍ଡିଂରେ ଦିନେ ଓ ନୂଆ ବିଲ୍ଡିଂରେ ଦୁଇ ଦିନ ରିହର୍ସେଲ କରାଯାଇଛି । ଅନ୍ୟପଟେ ସ୍ବତନ୍ତ୍ର ଅଧିବେଶନ ପାଇଁ ଆଜି ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ଏଥିରେ ସମସ୍ତ ବିରୋଧୀ ଦଳର ସାଂସଦଙ୍କ ସହିତ ସରକାରୀ ଦଳର ସାଂସଦ ମଧ୍ୟ ଉପସ୍ଥିତ ରହିବେ ।