ହକି ମହାସମର : ରାଉରକେଲାରେ ଭାରତ-ସ୍ପେନ ମୁକାବିଲା
ଭୁବନେଶ୍ୱର : ବାଜି ସାରିଛି ପୁରୁଷ ହକି ବିଶ୍ୱକପ୍-୨୦୨୩ର ବିଗୁଲ । ଶୁକ୍ରବାର ଠାରୁ ଆରମ୍ଭ ହେବ ମୁକାବିଲା । ମ୍ୟାଚ ପାଇଁ ରାଉରକେଲା ଓ ଭୁବନେଶ୍ୱରରେ ଷ୍ଟାଡିୟମ ପ୍ରସ୍ତୁତ ହୋଇ । ବିଶ୍ୱର ସର୍ବବୃହତ୍ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଉଦ୍ଘାଟନୀ ମୁକାବିଲାକୁ ନେଇ ସମସ୍ତେ ବ୍ୟାକୁଳ । ଏଠାରେ ଘରୋଇ ଭାରତ ଭାରତ ସ୍ପେନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏବଂ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ଓ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ଣ ୪ଟା ୪୮ ସୁଦ୍ଧା ବିର୍ସା ମୁଣ୍ଡା ଷ୍ଟାଡିୟମ ହକି ଗ୍ରାମରେ ପହଞ୍ଚିବେ । ଦୁଇ ଘଣ୍ଟା ବିଶ୍ରାମ ପରେ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମକୁ ଯିବେ । ଏହାପରେ ରାତି ସାଢ଼େ ୭ଟା ସୁଦ୍ଧା ହକି ଗ୍ରାମକୁ ଫେରିବେ । ସେଠାରେ ରାତ୍ରି ଯାପନ କରିବା ପରେ ଶନିବାର ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।
ଗ୍ରାହାମ ରିଡ୍ଙ୍କ ପ୍ରଶିକ୍ଷଣ ଓ ହରମାନପ୍ରୀତ ସିଂହଙ୍କ ନେତୃତ୍ବରେ ଭାରତୀୟ ଯୁବ ଦଳ ବିଶ୍ବକପ ଜିତିବାର ୪୮ ବର୍ଷ ପ୍ରତିକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବେ। ଭାରତ ପ୍ରଥମ ତଥା ଏକମାତ୍ର ବିଶ୍ବକପ ୧୯୭୫େର କ୍ବାଲାଲାମ୍ପପୁରରେ ଅଜିତପାଲ ସିଂହଙ୍କ ଅଧିନାୟକତ୍ବରେ ଜିତିଥିଲା। ହକି ବିଶ୍ବକପ ଭାରତରେ ୪ର୍ଥ ଥର ଆୟୋଜିତ ହେଉଥିବାବେଳେ ଓଡ଼ିଶା କ୍ରମାଗତ ଦ୍ବିତୀୟ ଥର ପାଇଁ ଆୟୋଜନ କରୁଛି। ଭୁବନେଶ୍ବରରେ ୨୦୧୮ରେ ବିଶ୍ବକପ ଖେଳାଯାଇଥିବାବେଳେ ଚଳିତ ଥର ଭୁବନେଶ୍ବର ସମେତ ହକିର ଅନ୍ତୁଡିଶାଳ ସୁନ୍ଦରଗଡ ଜିଲାର ରାଉରକେଲାରେ ଆୟୋଜିତ ହେଉଛି। ହକି ବିଶ୍ବକପ ପାଇଁ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡ଼ିୟମ ନିର୍ମିତ ହୋଇଥିବାବେଳେ ହକି ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।
୧୯୭୫ ମସିହା ସଂସ୍କରଣରେ ଭାରତ ଚାମ୍ପିଅନ ହୋଇଥିଲା । ଏହାପର ଠାରୁ ଭାରତ କୌଣସି ସଂସ୍କରଣରେ ପଦକ ହାସଲ କରିପାରିନାହିଁ । ୨୦୧୮ରେ ଭୁବନେଶ୍ୱରରେ ଆୟୋଜିତ ବିଶ୍ୱକପରେ ଭାରତ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲା ।