ହକି ମହାସମର : ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ, ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ
ରାଉରକେଲା : ବିଶ୍ୱକପ ହକିର ପ୍ରଥମ ଦିନରେ ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ୱେଲ୍ସ ଏବଂ ଦ୍ବିତୀୟ ମ୍ୟାଚ୍ ଭାରତ ଓ ସ୍ପେନ୍ ମଧ୍ୟରେ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ଅପରାହ୍ନରେ ରାଉରକେଲାରେ ପହଞ୍ଚିବାପରେ ଭାରତ-ସ୍ପେନ ମ୍ୟାଚ୍ ଦେଖିବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏବଂ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ଓ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ଣ ୪ଟା ୪୮ ସୁଦ୍ଧା ବିର୍ସା ମୁଣ୍ଡା ଷ୍ଟାଡିୟମ ହକି ଗ୍ରାମରେ ପହଞ୍ଚିବେ । ଦୁଇ ଘଣ୍ଟା ବିଶ୍ରାମ ପରେ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମକୁ ଯିବେ । ଏହାପରେ ରାତି ସାଢ଼େ ୭ଟା ସୁଦ୍ଧା ହକି ଗ୍ରାମକୁ ଫେରିବେ । ସେଠାରେ ରାତ୍ରି ଯାପନ କରିବା ପରେ ଶନିବାର ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।