ହକି ଉଦ୍ଘାଟନୀ ଉତ୍ସବ : ଝୁମିଲା ବାରବାଟୀ, କମ୍ପିଲା ଜୟ ଜଗନ୍ନାଥ ଧ୍ବନୀ
ମୋଦିଙ୍କୁ କୃତଜ୍ଞତା ଜଣାଇଲେ ନବୀନ
ସର୍ବୋତମ ଭବ୍ୟ ଆୟୋଜନ : ଠାକୁର
କଟକ : ଉଦଘାଟନ ହେଲା ପୁରୁଷ ହକି ବିଶ୍ୱ କପ୍ ୨୦୨୩ । ଜୟ ଜଗନ୍ନାଥ ଧ୍ବନୀରେ କମ୍ପିଲା ବାରବାଟୀ ଷ୍ଟାଡିୟମ୍ । ବିଶ୍ୱ ଦେଖିଲା ହକି ବିଶ୍ୱକପର ଭବ୍ୟ ଉଦ୍ଘାଟନୀ ଉତ୍ସବ । କଟକର ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଭବ୍ୟ ଉତ୍ସବ ମଧ୍ୟରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ହକି ବିଶ୍ୱ କପ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ରେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ହକି ମହାକୁମ୍ଭର ଶୁଭାରମ୍ଭ ହୋଇଛି । ଏହି ଅବସରରେ ହକି ଇଣ୍ଡିଆ ସଭାପତି ଦୀଲିପ ତିର୍କୀ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଇଣ୍ଟରନ୍ୟାସନାଲ ହକି ଫେଡେରେସନ ଅଧ୍ୟକ୍ଷ ତୟବ ଇକ୍ରାମ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଓଡ଼ିଶାର ଆଦିବାସୀ ଲୋକନୃତ୍ୟ ପରିବେଷିତ ହୋଇଥିଲା । ପରେ ଓଡ଼ିଶୀ ନର୍ତ୍ତକୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଛି । ଏହା ମଧ୍ୟରେ ବିଭିନ୍ନ ଲାଇଟ୍ ଶୋ ମଧ୍ୟ ଦେଖିବାକୁ ମିଳିଛି ।
ଏହି ଅବସରରେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଏହି ଆୟୋଜନରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ।ହକି ବିଶ୍ୱକପ୍ ଆୟୋଜନ ନେଇ ଓଡ଼ିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ଓଡ଼ିଶାରେ ସବୁଠାରୁ ଭବ୍ୟ ଆୟୋଜନ ହୋଇଥିବା କହିଲେ ଠାକୁର । ଯେତେ ବି ବିଶ୍ୱକପ୍ ହୋଇଛି, ଓଡ଼ିଶାରେ ସବୁଠାରୁ ଭବ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ହଜାର ହଜାର ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣ ସାଜିଛନ୍ତି ଓଲିଉଡ୍ ଓ ବଲିଉଡ୍ ଷ୍ଟାରଙ୍କ ମ୍ୟୁଜିକ୍ ଓ ଡ୍ୟାନ୍ସ ସୋ । ଏହି ଗ୍ରାଣ୍ଡ ସେଲିବ୍ରେସନ୍ର ଜଲ୍ୱା ଦେଖାଉଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନୀ । ଏହାଛଡ଼ା ସଂଗୀତ ପରିବେଷଣ କରୁଛନ୍ତି ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ପ୍ରୀତମ ଓ ବ୍ଲାକ ସ୍ୱାନ୍ ଗ୍ରୁପ୍ ।
ନାମୀ କଳାକାରଙ୍କ ପ୍ରଦର୍ଶନରେ ବାରବାଟୀ ଏବଂ ଦର୍ଶକ ଝୁମି ଉଠିଛନ୍ତି । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକ୍ରେ ଦର୍ଶକ ଝୁମି ଉଠିଛନ୍ତି । ପ୍ରଥମ ଥର କଟକରେ ଦେଖିବାକୁ ମିଳିଛି ଅତ୍ୟାଧୁନିକ ଡ୍ରୋନ୍ ଶୋ । କଟକ ଆକାଶରେ ଏକକାଳୀନ ୫ଶହ ଡ୍ରୋନ୍ ଉଡ଼ିବା ସହ ଚିକମିକ୍ ଆଲୁଅରେ ହକି ବିଶ୍ୱକପ୍ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶନ କରାଯାଇଛି । ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନୀ ଆକର୍ଷଣ ସାଜିବେ । ଉଦଘାଟନୀ ଉତ୍ସବରେ ପ୍ରଥମେ ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ନେତୃତ୍ୱରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଛି । ପରେ କଣ୍ଠଶିଳ୍ପୀ ସ୍ମିତି ମିଶ୍ରଙ୍କ ସଂଗୀତରେ ଝୁମି ଉଠିଥିଲେ ସମବେତ ଦର୍ଶକ । ପରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି ର ଷ୍ଟାର ତଥା ଓଡିଆ ପୁଅ ଋତୁରାଜ ମହାନ୍ତି ନିଜ ସ୍ୱରରେ ଉଦଘାଟନୀ ଉତ୍ସବ ମାହୋଲକୁ ଆହୁରି ରଙ୍ଗୀନ କରିଥିଲେ । ତାଙ୍କ ପରେ ଲିସା ମିଶ୍ରଙ୍କ ନିଜର ପ୍ରସ୍ତୁତି ଦେଇଥିଲେ । ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାରବାଟୀ ଷ୍ଟାଡିୟମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଏଥିରେ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଏବଂ ୨ଶହ ସୁରକ୍ଷା ଅଧିକାରୀ ନିୟୋଜିତ ହୋଇଛନ୍ତି । ସେହିପରି ହକି ବିଶ୍ୱକପ୍?ର ଉଦଘାଟନୀ ଉତ୍ସବ ପାଇଁ ବୁଧବାର ଦିନ ୧ଟାରୁ ପରଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି କରାଯାଇଥିଲା । ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିଛି । ଛାତ୍ରଛାତ୍ରୀ ମାନେ ଉଦଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ରାଜ୍ୟ ସରକାର ସ୍କୁଲ ଛୁଟି ନିଷ୍ପତ୍ତି ନେଇଥିଲେ ।