ହିଜାବ୍ ନୁହେଁ ଇସଲାମର ଅନିବାର୍ଯ୍ୟ ଅଂଶ ! ଶିକ୍ଷାନୁଷ୍ଠାନର ଡ୍ରେସକୋଡ ନିୟମ ମାନିବାକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ବିବାଦୀୟ ହିଜାବ ମାମଲାରେ ସୁପ୍ରିମକୋର୍ଟରେ ଅଷ୍ଟମ ଦିନରେ ଶୁଣାଣି ହୋଇଛି । କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଏକାଧିକ ସଂଖ୍ୟାଲଘୁ ସଂଗଠନ ଚାଲେଞ୍ଜ କରିଥିଲେ । ଶିକ୍ଷାନୁଷ୍ଠାନରେ ହିଜାବକୁ ନିଷିଦ୍ଧ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ପିଟିସନ ଉପରେ ସର୍ବୋଚ୍ଚ କୋର୍ଟରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟରେ ଶୁଣାଣିର ଅଷ୍ଟମ ଦିନରେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ଉପସ୍ଥାପନ କରିଥିଲେ ।
ଶିକ୍ଷାନୁଷ୍ଠାନରେ ଛାତ୍ରାଛାତ୍ରୀଙ୍କ ମଧ୍ୟରେ ସମାନତା ଓ ଭେଦଭାବ ସୃଷ୍ଟି ନକରିବାକୁ ରାଜ୍ୟ ସରକାର ସମସ୍ତ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷାଗ୍ରହଣ ସମୟରେ ଛାତ୍ରଛାତ୍ରୀ କେଉଁ ସଂପ୍ରଦାୟ ଓ କାହାକୁ ବିଶ୍ୱାସ କରନ୍ତି ଏହାର ପ୍ରଦର୍ଶନ କରିବାର ଆବଶ୍ୟକତା ନାହିଁ । ସ୍ୱତନ୍ତ୍ର ବେଶ ପୋଷାକ, ଆଚ୍ଚରଣ ଓ ଉଚ୍ଚାରଣ ଶିକ୍ଷା ପରିସରରେ ଭେଦଭାବ ସୃଷ୍ଟି କରୁଛି ବୋଲି କର୍ଣ୍ଣାଟକ ସରକାର ଯୁକ୍ତି ରଖିଥିଲେ । ରାଜ୍ୟ ହାଇକୋର୍ଟ ମଧ୍ୟ ଯୁକ୍ତିକୁ ଗ୍ରହଣ କରିଥିଲେ ।
ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ଡ୍ରେସ ସର୍କୁଲାର, ଧର୍ମ ନିରପେକ୍ଷ ନୀତିକୁ ସମର୍ଥନ କରୁଛି । ତେଣୁ ସମସ୍ତ ଧର୍ମର ଛାତ୍ରୀଛାତ୍ରମାନଙ୍କ ଉପରେ ୟୁନିଫର୍ମ ଲାଗୁ କରାଯିବା ଉଚିତ ବୋଲି ସର୍ବୋଚ୍ଚ କୋର୍ଟରେ କର୍ଣ୍ଣାଟକ ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ରଖିଥିଲେ । ଏହାସହିତ କର୍ଣ୍ଣାଟକରେ ୨୦୨୧ ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲ, କଲେଜରେ ଛାତ୍ରୀଛାତ୍ରମାନେ ଶିକ୍ଷାନୁଷ୍ଠାନର ଡ୍ରେସକୋଡ ନିୟମ ବଦଳରେ ନିଜ ସୁବିଧାରେ (ନିଜ ସଂପ୍ରଦାୟକୁ ସୁହାଇବା ପରି) ଡ୍ରେସ୍ କୋଡ ଅନୁସରଣ କରୁଥିଲେ। ଏପରିକି ଡ୍ରେସ୍ କୋଡ ନିୟମ ନମାନିବା ପାଇଁ ସୋସିଆଲ ମିଡିଆରେ ଏଗ ଗୋଷ୍ଠୀ ଅଭିଯାନ ଚଳାଇ ଲୋକଙ୍କୁ ଉସୁକାଉଥିବା ଅଭିଯୋଗ ହୋଇଥିଲା ।
ଧୀରେଧୀରେ ଏହି ଅଭିଯାନ ସାଂପ୍ରଦାୟିକ ସଦଭାବନା ନଷ୍ଟ କରିଥିଲା । ଏପରିକି ଶିକ୍ଷାନୁଷ୍ଠାନରେ ମଧ୍ୟ ଧର୍ମପ୍ରଚାର ପରି ଗୁପ୍ତ ଏଜେଣ୍ଡାକୁ ସାମିଲ କରାଗଲା । ଅନେକ ସଂଖ୍ୟାଲଘୁ ଛାତ୍ରୀ ହିଜାବ ପିନ୍ଧିବା ଆରମ୍ଭ କରିବା ପରେ ଜବାବରେ ହିନ୍ଦୁ ଛାତ୍ରମାନେ ଗୈରିକ କପଡ଼ା ପିନ୍ଧି ଏହାର ପ୍ରତିବାଦ କରିଥିଲେ । ଏପରିତି ରାଜ୍ୟରେ ହିଜାବ ସମର୍ଥନ ଓ ପ୍ରତିବାଦକୁ ନେଇ ଦଙ୍ଗା ସ୍ଥିତି ସୃଷ୍ଟି ହୋଇଥିଲା ।
ଶିକ୍ଷା ଅନୁଶାସନକୁ ଦୃଷ୍ଟିରେ ରଖି ଡ୍ରେସ୍ କୋଡ ନିୟମକୁ କଡାକଡ଼ି ଲାଗୁ କରିବାକୁ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ସୁପ୍ରିମକୋର୍ଟ ମଧ୍ୟ ହିଜାବ୍ ଇସଲାମର ଏକ ଅନିବାର୍ଯ୍ୟ ଅଂଶ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି । ଏପରିକି ବିଶ୍ୱର ଅନେକ ମୁସଲିମ ଦେଶରେ ମଧ୍ୟ ମହିଳାମାନେ ହିଜାବ ବିରେଧରେ ସ୍ୱର ଉଠାଉଥିବା ସର୍ବୋଚ୍ଚ କୋର୍ଟ ଦର୍ଶାଇଛନ୍ତି । ଇରାନ, ଇଣ୍ଡୋନେସିଆ, ସାଉଦି ଆରବ ସମେତ ଅନେକ ଇସଲାମ ଦେଶରେ ମହିଳାମାନେ ହିଜାବ ପ୍ରଥା ଉଠାଇ ଦେବାକୁ ଦାବି କରୁଛନ୍ତି । କୋରାନରେ ହିଜାବର ଉଲ୍ଲେଖ ରହିଥିଲେ ବି ଏହା ଇସଲାମର ଏକ ଅତ୍ୟାବଶ୍ୟକ ଅଂଶ ନୁହେଁ ବୋଲି ମହିଳାମାନେ ଦାବି କରୁଛନ୍ତି ।
ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଜାରି ରହିଛି । ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । ସେପଟେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରେଧରେ ପକ୍ଷ ରଖିଛନ୍ତି ଦୁଶାନ୍ତ ଦାଭେ । ସରକାରଙ୍କ ନିର୍ଦ୍ଦେଶକୁ ସେ ଚାଲେଞ୍ଜ କରିବା ସହ ଧାରା ୨୫ ଏବଂ ୨୬ ଅନୁଯାୟୀ ଧର୍ମର ଅବିଚ୍ଛେଦ୍ୟ ଅଙ୍ଗକୁ ସୁରକ୍ଷିତ ରଖିବା ପାଇଁ ଦାବି ଦୋହରାଇଛନ୍ତି । କର୍ଣ୍ଣାଟକ ହାଇକୋର୍ଟ କେବଳ ଜରୁରୀ ଧାର୍ମିକ ପ୍ରଥା ଉପରେ ଏହି ମାମଲାର ବିଚାର କରିଛନ୍ତି ବୋଲି ଦେଭେ ଯୁକ୍ତି ରଖିଛନ୍ତି । ବୁଧବାର ମଧ୍ୟ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଜାର ରହିବ । କର୍ଣ୍ଣାଟକର ଉଡୁପି ସ୍ଥିତ ସରକାରୀ ପିୟୁ କଲେଜରେ ହିଜାବ୍ ପରିହିତା ଛାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗାଯିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ସୁପ୍ରିମକୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି ।