ହିଜାବ ବିବାଦ : ରାୟ ସଂରକ୍ଷିତ ରଖିଲେ କର୍ଣ୍ଣାଟକ ହାଇକୋର୍ଟ
ବେଙ୍ଗାଲୁରୁ : ଦିନକୁ ଦିନ ହିଜାବ ବିବାଦ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି କର୍ଣ୍ଣାଟକ ହାଇକୋର୍ଟରେ ଆଗତ ମାମଲା ଉପରେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ ।
କର୍ଣ୍ଣାଟକ ହାଇକୋର୍ଟ ରେ ଶୁକ୍ରବାର ଅପରାହ୍ନରେ ହିଜାବ ବିବାଦର ଶୁଣାଣି ପୁନର୍ବାର ଆରମ୍ଭ ହୋଇଥିଲା । ଆବେଦନକାରୀଙ୍କ ଓକିଲ ହାଇକୋର୍ଟଙ୍କ ଖଣ୍ଡପୀଠଙ୍କ ନିକଟରେ ଯୁକ୍ତି ବାଢ଼ିଥିଲେ ଯେ ମୁଣ୍ଡକୁ ଆଚ୍ଛାଦନ କରୁଥିବା ଏକ କପଡା ହେଉଛି ହିଜାବ । ଏହା ମୁହଁକୁ ଢ଼ାଙ୍କିବାକୁ ଉଦ୍ଦିଷ୍ଟ ନୁହେଁ । ତେଣୁ, ଏହାର ବ୍ୟବହାର କରିବାକୁ ଅନୁମତି ଦିଆଯିବା ଉଚିତ । ଗତ ଶୁକ୍ରବାର ଛାତ୍ରମାନଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି ସମୟରେ ସମସ୍ତ ପକ୍ଷର ଓକିଲଙ୍କୁ ଶୁକ୍ରବାର ସୁଦ୍ଧା ସେମାନଙ୍କର ଜବାବ ଦାଖଲ ଶେଷ କରିବାକୁ କହିଥିଲେ । ଆଜି ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଏ ମାମଲାରେ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଗୁରୁବାର, ଏହି ମାମଲା ଶୁଣାଣିର ଦଶମ ଦିନରେ, ତିନି ଜଣିଆ ଖଣ୍ଡପୀଠ ମଧ୍ୟ ଓକିଲମାନଙ୍କ ଯୁକ୍ତି ଶୁଣିଥିଲେ ଯେଉଁମାନେ ହିଜାବ ଅଧିକାର ପାଇଁ ତୀବ୍ର ଚାପ ପକାଇଥିଲେ ।
ସୂଚନା ଯେ, ଉଡୁପି ପ୍ରି-ୟୁନିଭର୍ସିଟି ବାଳିକା ମହାବିଦ୍ୟାଳୟରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ରାଜ୍ୟରେ ସଂପ୍ରତି ଏକ ସଙ୍କଟରେ ପରିଣତ ହୋଇଛି । ଛାତ୍ରମାନେ ବିନା ହିଜାବରେ କ୍ଲାସରେ ଯୋଗଦେବାକୁ ମନା କରିଦେଇଛନ୍ତି ଏବଂ ଏ ସଂପର୍କରେ ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ ନମିଳିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ବୋଲି କହିଥିଲେ । କାରଣ, ଉଚ୍ଚ ନ୍ୟାୟାଳୟ ଶ୍ରେଣୀଗୃହ ଭିତରେ ଉଭୟ ହିଜାବ ଏବଂ ଗେରୁଆ ଶାଲ କିମ୍ବା ସ୍କାର୍ଫ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ମଧ୍ୟବର୍ତୀକାଳୀନ ଆଦେଶ ଜାରି କରିଥିଲେ ।