ହିଜାବ୍ ବିବାଦ: ୧୬ ଯାଏଁ କର୍ଣ୍ଣାଟକରେ କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ
ବେଙ୍ଗାଲୁରୁ : କର୍ଣ୍ଣାଟକରେ ହିଜାବ୍ ବିବାଦ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ଉଡ୍ଡୁପୀ ଜିଲ୍ଲାର ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀଙ୍କ ହିଜାବ୍ ପିନ୍ଧି କ୍ଲାସରୁମ୍ରେ ପ୍ରବେଶକୁ କେନ୍ଦ୍ର କରି ଗତବର୍ଷ ଡିସେମ୍ବର ୩୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ହାଇକୋର୍ଟରେ ଶୁଣାଣି ଚାଲିଛି। କିନ୍ତୁ ବିବାଦ ବଢ଼ିଥିବାରୁ ଚାରିଆଡେ ଉତ୍ତେଜନା ପରିସ୍ଥିତି ମଧ୍ୟ ଦେଖାଯାଇଛି।
ବର୍ତ୍ତମାନ ପରିସ୍ଥିତିରେ ଆଗାମୀ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ, ବିଶ୍ୱବିଦ୍ୟାଳୟ ଓ ପ୍ରଫେସନାଲ କୋର୍ସ ଥିବା ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏହା ପୂର୍ବରୁ ରାଜ୍ୟ ଶିକ୍ଷା ବିଭାଗ ଗତ ୯ ତାରିଖ ଠାରୁ ୧୧ ତାରିଖ ଯାଏଁ ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ନେଇ ଘୋଷଣା ହୋଇଥିଲା।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ସ୍କୁଲକୁ ବନ୍ଦ ନେଇ କୌଣସି ସ୍ପଷ୍ଟତା ନାହିଁ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସୋମବାର ଠାରୁ ଖୋଲୁଥିବା ସ୍କୁଲକୁ ନେଇ ଗାଇଡଲାଇନ ଜାରି କରାଯାଇଛି। ସ୍କୁଲ ଖୋଲିବାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୌଣସି ପ୍ରକାରର ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ। ସେ କହିଛନ୍ତି, ଏସ୍ପି ଓ ଜିଲ୍ଲାପାଳଙ୍କୁ ମଧ୍ୟ ସମ୍ବେଦନଶୀଳ ଅଞ୍ଚଳରେ ପ୍ରମୁଖ ସ୍କୁଲଗୁଡ଼ିକୁ ଗସ୍ତ କରିବାର ଅଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡିସି, ଏସ୍ପି ଓ ଡିଡିପିଆଇଙ୍କୁ ଶିକ୍ଷକ, ଅଭିଭାବକ ଓ ସ୍କୁଲ ପରିଚାଳନା ବୋର୍ଡଙ୍କ ସହିତ ଲଗାତାର ସଂପର୍କ ରଖିବା ଦରକାର।