ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା : ୫ ମୃତ, ୪୦ ନିଖୋଜ
ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା କାରଣରୁ ଭୂସ୍ଖଳନ ହେବା ସହ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର କିଶତ୍ୱର ଜିଲାର ଗୁଲବର୍ଗ ଅଞ୍ଚଳର ଏକ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ନିଖୋଜ ରହିଛନ୍ତି । ଏନେଇ ସ୍ଥାନୀୟ ପ୍ରଶାସନର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଜମ୍ମୁ ଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଏହି ଜିଲା ରହିଥିବା ବେଳେ ଏହା ହେଉଛି ଏକ ପାହାଡିଆ ଅଞ୍ଚଳ । ବୁଧବାର ଭୋର ୪ଟା ସମୟରେ ଜିଲାର ଡଚ୍ଚନ ଅଞ୍ଚଳରେ ଥିବା ହଞ୍ଜର ଗାଁରେ ବାଦଲ ଫଟା ବର୍ଷା ହୋଇଥିଲା । ୨୮ ଜଣ ହଠାତ ନିଖୋଜ ହୋଇଯାଇଥିଲେ । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ କାର୍ଯ୍ୟ କରୁ ନାହିଁ । ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ରହିଛି । ଏହି ଘଟଣାରେ ୬ଟି ଘର ସମେତ ଗୋଟିଏ ରାସନ ଡିପୋ କ୍ଷତିଗ୍ରସ୍ତ ହୋଇଛି । ତୁରନ୍ତ ଉଦ୍ଧାରକାରୀ ଦଳ ଓ ସେନା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ୫ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୪୦ ରୁ ଅଧିକ ନିଖୋଜ ରହିଛନ୍ତି ।
ସୂଚନା ଯେ, କିସ୍ତ୍ୱାର୍ ଦଚାନ ତହସିଲ୍ ଅନ୍ତର୍ଗତ ହୋଞ୍ଜାର ଗ୍ରାମରେ ବୁଧବାର ପ୍ରତ୍ୟୁଷରେ ଉପରୋକ୍ତ ବିପର୍ଯ୍ୟୟ ଘଟିଛି। ସେ ଗାଁକୁ ସଡ଼କ ସଂଯୋଗ ନାହିଁ। ଗଣମାଧ୍ୟମକୁ କିସ୍ତ୍ୱାର୍ ଜିଲ୍ଲା ମାଜିଷ୍ଟ୍ରେଟ୍ ଅଶୋକ କୁମାର ଶର୍ମା କହିଛନ୍ତି, ଉଦ୍ଧାର କାର୍ଯ୍ୟ ନିମନ୍ତେ ସମ୍ପୃକ୍ତ ଅଞ୍ଚଳକୁ ସେନା ଓ ପୁଲିସକୁ ପଠାଯାଇଛି। ଗତ ଅଳ୍ପ କେତେ ଦିନ ହେଲା ଜମ୍ମୁର ଅଧିକାଂଶ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ହେଉଛି। ଜୁଲାଇ ଶେଷ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଥିବାରୁ ଜଳାଶୟ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣକୁ ଅଧିକ ସତର୍କ ରହିବା ଲାଗି କିସ୍ତ୍ୱାର୍ ସରକାରୀ କର୍ତ୍ତୃପକ୍ଷ ମଙ୍ଗଳବାର ରାତିରେ ପରାମର୍ଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ମଙ୍ଗଳବାର ରାତିରେ ଜିଲ୍ଲା ପ୍ରଶାସନ ଜାରି କରିଥିବା ସତର୍କ ସୂଚନାରେ ଉଲ୍ଲେଖ ଅଛ, ଆଗାମୀ ଦିନମାନଙ୍କରେ ପ୍ରବଳ ବର୍ଷା ହେବ ଏବଂ ନଈନାଳରେ ବଢ଼ି ଆସିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଫଳରେ ନଈ, ନାଳ ଏବଂ ଅନ୍ୟାନ୍ୟ ଜଳାଶୟ ଓ ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରେ ନିକଟରେ ବାସ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ।