ମାଲକାନଗିରି ଜିଲାରେ ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି

ମାଲକାନଗିରି : ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ବିଭିନ୍ନ ଜିଲାରେ ଜାରି ରହିଛି ବର୍ଷା । ଏହି ପରିପ୍ରେକ୍ଷୀରେ ପ୍ରବଳ ବର୍ଷା କାରଣରୁ ମାଲକାନଗିରି ଜିଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରେ ହାରାହାରି ୬୩.୧୯ ମିଲିମିଟର ତଥା ମୋଟରେ ୪୪୨.୩ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ଜିଲା ଜରୁରୀକାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ଖଇରିପୁଟ ବ୍ଲକରେ ସର୍ବାଧିକ ୧୦୭ ମିମି, ମାଥିଲିରେ ୯୮, କୋରକୁଣ୍ଡାରେ ୬୨, ଚିତ୍ରକୋଣ୍ଡାରେ ୬୦, ମାଲକାନଗିରିରେ ୫୬, କାଲିମେଳାରେ ୩୦ ଓ ପଡ଼ିଆ ବ୍ଲକରେ ୨୯.୩ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି। ସାବେରୀ ଓ ସିଲେରୁ ନଦୀ ଜଳସ୍ତର ବୃଦ୍ଧି ପାଇଛି। ଅଧିକ ବର୍ଷା ଲାଗି ରହିଲେ ବନ୍ୟା ପରିସ୍ଥିତି ଗମ୍ଭୀର ହେବ। ପୋଲ ଓ ରାସ୍ତା ଉପରେ ପ୍ରବଳ ସୁଅରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ। ଜିଲାର କେତେକ ସ୍ଥାନରେ ଘର ଉପରେ ଗଛ ଉପୁଡି ପଡିଛି। ତେବେ ମୃତାହତ ଖବର କିଛି ନାହିଁ। ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।