ବର୍ଷା ବିଭୀଷିକା ଉତ୍ତରବାଲେଶ୍ୱର ଜଳାର୍ଣ୍ଣବ
ପାଣିରେ ପଡ଼ି ଶିଶୁ ଓ ବିଦ୍ୟୁତ୍ ସ୍ପର୍ଶରେ ଯୁବକ ମୃତ
ଭୋଗରାଇ : ଗଭୀର ଅବପାତ ପ୍ରଭାବରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମେତ ଉତ୍ତରବାଲେଶ୍ୱରରେ ଶୁକ୍ରବାର ମଧ୍ୟାହ୍ନରୁ ଶନିବାର ପୂର୍ବାହ୍ନ ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ଓ ଝଟ୍କା ବତାଶ ବହୁଥିବା ବେଳେ ଜଳେଶ୍ୱର, ବାଲିଆପାଳ ଓ ବସ୍ତା ବ୍ଲକ ଜଳାର୍ଣ୍ଣବ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଗଭୀର ଲଘୁଚାପ ଯୋଗୁଁ ଜନଜୀବନ ଠପ୍ ହୋଇଥିବା ବେଳେ ଶନିବାର ସକାଳ ଠାରୁ ପାଗର ଉନ୍ନତି ଦେଖାଦେଇଛି । ତୁହାକୁ ତୁହା ବର୍ଷା ଓ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦କିମି ବେଗରେ ପ୍ରବାହିତ ହେବାରୁ ୪ଟି ବ୍ଲକରେ ବହୁ କଞ୍ଚା ମାଟିଘର, ଟିଣ ଓ ଏଜବେଷ୍ଟସ୍ ଛପର ଉଡ଼ାଇ ନେଇଥିବା ବେଳେ ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପାନବରଜ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ପବନ ମାଡ଼ରେ ଗଛ ଭାଙ୍ଗି ପଡ଼ିବା ସହିତ ବିଦ୍ୟୁତ୍ ଖୁଣ୍ଟି କେତେକ ସ୍ଥାନରେ ନଇଁପଡ଼ି ଥିବାରୁ ଶୁକ୍ରବାର ୯ଟା ଠାରୁ ଶନିବାର ୩ଟା ପର୍ଯ୍ୟନ୍ତ ଭୋଗରାଇରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ହଜାର ହଜାର ଚାଷଜମି ଜଳମଗ୍ନ ହୋଇ ଧାନ ଗଛ ଉପରେ ୨ଫୁଟ୍ରୁ ୩ଫୁଟ୍ ପର୍ଯ୍ୟନ୍ତ ପାଣିର ଲହଡ଼ି ଭାଙ୍ଗୁଛି । ବହୁ ତଳିଆ ସ୍ଥାନରେ ବର୍ଷା ପାଣି ଜମି ରହିଥିବାର ଲୋକମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଭୋଗରାଇ ବ୍ଲକ ଆରୁହାବୃତ୍ତି ସାହାବନ୍ଦର ଗ୍ରାମର ସେକ୍ ଜାଫରଙ୍କ ୨ବର୍ଷର ପୁଅ ସେକ ଜମିନ ପାଖ ପାଣିପୂର୍ଣ୍ଣ ବିଲରେ ବୁଡ଼ିଯାଇ ମୃତ୍ୟୁ ହୋଇଥିବା ବେଳେ ବିରଜା ଗ୍ରାମର ସୁକୁମାର ପ୍ରଧାନ ଚିଙ୍ଗୁଡ଼ି ଘେରିରେ ବିଦ୍ୟୁତ୍ ସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ଅଞ୍ଚଳରେ ଶତାଧିକ ଗ୍ରାମ ଜଳବନ୍ଦୀ ହୋଇ ଜୀବନଜୀବିକାକୁ ପ୍ରଭାବିତ କରିଛି ।
ଭୋଗରାଇରେ ଜିଲାର ସର୍ବାଧିକ ୨୨୬ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଥିବା ବେଳେ ଜିଲାରେ ମୋଟ୍ ୧୧୬୫ ମିମି ବର୍ଷା ହୋଇଥିବାର ଜିଲା ଜରୁରୀକାଳୀନ ଦପ୍ତର ପ୍ରକାଶ କରିଛନ୍ତି । ଅପରପକ୍ଷରେ ଗଭୀର ଲଘୁଚାପ ଝାଡ଼ଖଣ୍ଡ ଅଞ୍ଚଳରେ ଶନିବାର ସକାଳରୁ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ଦେଖାଦେଇଛି । ସୁବର୍ଣ୍ଣରେଖା ଉପରମୁଣ୍ଡା ଜାମ୍ସେଦ୍ପୁରରେ ୧୨୨.୫୦୦ମିମି, ଘାଶଶିଳାରେ ୭୯.୮୦୦ମିମି, ଫେକଘାଟରେ ୪୪.୧୬ମିମି, ଜାମଶୁଳାରେ ୪୮.୩୦୦ ମିମି, ଆଦିତ୍ୟପୁରରେ ୧୩୪.୦୦ ମିମି ବର୍ଷା ହୋଇଥିବାର ସିଡବ୍ଲୁସିର ଅଧିକାରୀ ପ୍ରତ୍ୟୁତ୍ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି । ସୁବର୍ଣ୍ଣରେଖାର ଉପରମୁଣ୍ଡା ଗାଲୁଡ଼ିହିରେ ୭ଟା ଗେଟ୍ ଖୋଳାଯାଇ ସେକେଣ୍ଡକୁ ୬୩ହଜାର କ୍ୟୁସେକ୍ ଘନଫୁଟ୍ ପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ ହେଉଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି । ଦୀଘା ଉପକୂଳ ଗଭୀର ସମୁଦ୍ରରେ ଶୁକ୍ରବାର ଫସି ରହିଥିବା ଏକ ମାଛଧରା ଟ୍ରଲର ବୁଡ଼ି ଯାଇଥିବାରୁ ସେଥିରେ ଥିବା ୧୮ଜଣ ମତ୍ସ୍ୟଜୀବୀ ମଧ୍ୟରୁ ୧୩ଜଣଙ୍କୁ ତଟରକ୍ଷୀ ବାହିନୀ କାକଦ୍ୱୀପ ଅଞ୍ଚଳରୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୫ଜଣ ଜୀବନକୁ ବାଜି ଲଗାଇ ଲାଇଫ୍ ଜାକେଟ୍ ସାହାଯ୍ୟରେ କୂଳରେ ଲାଗିଥିବାର ସୂଚନା ମିଳିଛି । କ୍ଷୟକ୍ଷତି ସମ୍ପର୍କରେ ସେଚ ବିଭାଗର ଅଧିକାରୀ ସହିତ ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ସମୁଦ୍ରକୂଳ ଓ ପାଣି ଘେରରେ ଥିବା ଲୋକଙ୍କ ଅବସ୍ଥା ଅନୁଧ୍ୟାନ କରୁଛନ୍ତି ।