ଆଜିଠୁ ୧୨ ଯାଏଁ ପ୍ରବଳ ବର୍ଷା, ଏହି ସବୁ ଜିଲା ହେବ ପ୍ରଭାବିତ
ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତ ଗୁରୁବାର ଏକ ଲଘୁଚାପବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ ଉପରେ ରହିବ। ଲଘୁଚାପ ଓଡ଼ିଶା ମୁହାଁ ହେବା ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ଆଜି ସନ୍ଧ୍ୟାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବିଶେଷ କରି ୧୦ ଓ ୧୧ ତାରିଖରେ ଲଘୁଚାପର ପ୍ରଭାବ ସର୍ବାଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ଶୁକ୍ରବାର ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଶନିବାର (୯ ତାରିଖ) ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ମାଲକାନଗିରି ଓ ନୂଆପଡ଼ାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । ରବିବାର ଅଧିକାଂଶ ଜାଗାରେ ବର୍ଷା ହେବ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଢେଙ୍କାନାଳ, ନୂଆପଡ଼ା, ମୟୂରଭଞ୍ଜ, ବୌଦ୍ଧ, ସୋନପୁର ଓ ବଲାଙ୍ଗିରରେ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ୧୧ ତାରିଖ (ସୋମବାର) ଅଧିକାଂଶ ସ୍ଥାନରେ ବର୍ଷା ହେବ । କେତେକ ଜାଗାରେ ପ୍ରବଳରୁ ପ୍ରବଳତର ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଆସନ୍ତା ୩ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଲଘୁଚାପ ଦକ୍ଷିଣ ଓଡ଼ିଶା ଉପକୂଳ ପାଖେ ପାଖେ ସମୁଦ୍ରରେ ଗତି କରିବ। ତା’ପରେ ଉତ୍ତର ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ଅଛି । ଏହା ପ୍ରଭାବରେ ଶୁକ୍ରବାର ରାତିରୁ ବର୍ଷା ବଢ଼ିବ। ରବିବାର ସକାଳ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଉପକୂଳ ଅଞ୍ଚଳରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ଖୋର୍ଦ୍ଧା, କଟକ, ନୟାଗଡ଼, ଅନୁଗୁଳ, ଗଞ୍ଜାମ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ପୁରୀ ଓ ଜଗତସିଂହପୁରରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ୧୧ରୁ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବ । ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ, ସମ୍ବଲପୁର ଓ ଜଗତସିଂହପୁରରେ ୧୧ରୁ ୧୨ ତାରିଖ ପର୍ଯ୍ୟନ୍ତ ଅଧିକ ବର୍ଷା ହେବ । କଟକ ଓ ଭୁବନେଶ୍ୱରରେ ୧୦ ଓ ୧୧ରେ ଅତି ପ୍ରବଳ ବର୍ଷା ହୋଇପାରେ ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଓଡ଼ିଶା ଉପକୂଳକୁ ଆସିବ। ୧୧ ତାରିଖ ସକାଳବେଳା ଦକ୍ଷିଣ ଓଡ଼ିଶା ଉପକୂଳ (ଗୋପାଳପୁରରୁ ପାରାଦୀପ) କିମ୍ବା ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବେଶ କରିପାରେ । ଏହା ପ୍ରଭାବରେ ୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପ (୧୫ରୁ ୨୦ ମିମି) ବର୍ଷା ହେବ । ଶୁକ୍ରବାର ରାତିିରୁ ବର୍ଷା ବଢ଼ିବ । ୧୦ରେ ଉପକୂଳ ଓଡ଼ିଶାରେ ମଧ୍ୟମ ବର୍ଷା ଥିବାବେଳେ ଗଞ୍ଜାମ, ନୟାଗଡ଼, ଭଦ୍ରକ, ବାଲେଶ୍ୱରରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ । ୧୧ରେ ଗଞ୍ଜାମ ଓ ନୟାଗଡ଼ର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ପୁରୀ ଓ ଖୋର୍ଦ୍ଧାରେ ପ୍ରାୟତଃ ପ୍ରବଳ ବର୍ଷା ହୋଇପାରେ । ଅନ୍ୟାନ୍ୟ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ମଧ୍ୟମ ବର୍ଷା ହେବ । ବାକି ଅଞ୍ଚଳରେ ଅପରାହ୍ଣରେ ବର୍ଷା ବଢ଼ିପାରେ । ୧୧ ତାରିଖ ସନ୍ଧ୍ୟା ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଓ ସ୍ଥାନେ ସ୍ଥାନେ ଭାରି ବର୍ଷା ହୋଇପାରେ । ୧୨ରେ ଉତ୍ତର-ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣରେ ବର୍ଷା ଲାଗିପାରେ ।