ତାତିଲାଣି ଫେବୃଆରୀ, ମାର୍ଚ୍ଚ ବେଳକୁ ୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା
ଭୁବନେଶ୍ୱର : ବଦଳୁଛି ଜଳବାୟୁ । ଏବେଠାରୁ ପାରଦ ଉପର ମୁହାଁ । ଆଗକୁ ତା’ହେଲେ ବର୍ଷିବ ନିଆଁ । ଶୀତର ବେଳ କାଳ ସରିନି। ମାଡ଼ି ଆସିଲାଣି ଟାଏଁ ଟାଏଁ ଖରା । ଫେବ୍ରୁଆରୀରେ ଗ୍ରୀଷ୍ଣ ଅନୁଭୂତି । ମାଘରେ ଥଣ୍ଡା ଗାଏବ, ବଢୁଛି ପାରଦ । ରାଜ୍ୟରେ ଦିନ ତାପମାତ୍ରାରେ ବୃଦ୍ଧି । ଦିନରେ ତାତି ୩୫ ଡିଗ୍ରୀ ଛୁଇଁଥିବା ବେଳେ ରାତିରେ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ରହୁଛି । ଯେଉଁ ସମୟରେ ରାତିରେ କମ୍ବଳ ଘୋଡ଼ାଇ ଶୋଇବା କଥା, ସେତେବେଳେ ଲୋକ ଫ୍ୟାନ୍ ଲଗାଇ ଶୋଉଛନ୍ତି । ସକାଳ ୧୧ଟା ବେଳକୁ ଟାଣ ଖରା । ଉପାନ୍ତରୁ ଉପକୂଳ ଯାଏ ରାଜ୍ୟରେ ଏଭଳି ସ୍ଥିତି । ମାଘ ମାସରୁ ଏମିତି ଗ୍ରୀଷ୍ମପ୍ରବାହ ଚିନ୍ତା ବଢ଼ାଇଲାଣି ।
ପାଣିପାଗ ବିଭାଗ କହିଛି, ଓଡ଼ିଶାକୁ ଥଣ୍ଡା ପବନ ଆସୁ ନଥିବାରୁ ଅଧିକ ରହୁଛି ତାପମାତ୍ରା । ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୫ ଡିଗ୍ରୀ ଯାଏ ବଢିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରେକର୍ଡ ହୋଇଛି ୩ରୁ ୭ ଡିଗ୍ରୀ ଅଧିକ ତାପମାତ୍ରା । ଆଗାମୀ ୩ ଦିନ ଯାଏ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଗତକାଲି ୧୩ ସହରରେ ଦିନ ତାପମାତ୍ରା ୩୩ ଡିଗ୍ରୀ ପାର କରିଥିଲା । ପାରଳାଖେମୁଣ୍ଡି ଓ ଭବାନୀପାଟଣାରେ ସର୍ବୋଚ୍ଚ ତାପମାତ୍ରା ରହିଥିଲା ୩୫ ଡିଗ୍ରୀ ସେଲସିୟସ୍ । ଟିଟିଲାଗଡ଼ ଓ ମାଲକାନଗିରିରେ ପାରଦ ୩୪.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ଭୁବନେଶ୍ବରରେ ଦିନ ତାପମାତ୍ରା ୩୪.୪ ଡିଗ୍ରୀ ଓ କଟକରେ ୩୩ ଡିଗ୍ରୀ ସେଲସିୟସ୍ ରହିଥିଲା ପାରଦ। ମାଘ ମାସରେ ପ୍ରବଳ ଥଣ୍ଡା ପଡ଼େ । କିନ୍ତୁ ଏବର୍ଷ ଫେବ୍ରୁଆରୀ ଆରମ୍ଭରୁ ଦିନ ତାପମାତ୍ରା ବଢିଲାଣି । ଏମିତି ସ୍ଥିତି ହେଲେ ମାର୍ଚ୍ଚ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯାଇପାରେ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁନାହିଁ । ଅସ୍ୱାଭାବିକ ଭାବେ ତାପମାତ୍ରା ବଢ଼ିଛି । ଭୁବନେଶ୍ୱର ତାପମାତ୍ରା ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ ରହିଛି । ସମଗ୍ର ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଛି । ୧୦ରୁ ପାଗ ବଦଳିବା ସମ୍ଭାବନା ଅଛି । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ପାଣିପାଗରେ ଅଚାନକ ଅସ୍ୱାଭାବିକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ ନାହିଁ । ମାଟି ପୂରା ଶୁଖିଲା । ଉତ୍ତର-ପଶ୍ଚିମରୁ ପବନ ନାହିଁ । ଦକ୍ଷିଣ-ପଶ୍ଚିମ ଦିଗରୁ ଦିଗରୁ ପବନ ଆସୁଛି । ତେଣୁ ଦକ୍ଷିଣ ଓଡ଼ିଶାରେ ଉତ୍ତର ତୁଳନାରେ ଗରମ ଅଧିକ ଅନୁଭୂତ ହୋଇପାରେ ।
ଆସନ୍ତା ୯/୧୦ରୁ ଗରମ କମିବା ସହ ପାଗ ବଦଳିବା ସମ୍ଭାବନା ଅଛି । ଓଡ଼ିଶା ଓ ଆନ୍ଧ୍ର ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଗୁରୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ପବନ ପ୍ରବାହ ବଢ଼ିବ । ଜଳୀୟବାଷ୍ପ ଆସିବ ଓ ପାଗ କୁହୁଡ଼ିଆ ରହିପାରେ । କେବଳ ଏହି ବର୍ଷ ନୁହେଁ, ପୂର୍ବରୁ ମଧ୍ୟ ଫେବ୍ରୁଆରୀରେ ଏମିତି ଅସ୍ୱାଭାବିକ ଗରମ ଅନୁଭୂତ ହୋଇଛି । ୨୦୧୨, ୨୦୧୩, ୨୦୧୪ରେ ମଧ୍ୟ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଏଭଳି ଗରମ ହୋଇଥିଲା । ୨୦୧୬ରେ ଫେବ୍ରୁଆରୀ ୨୦ରେ ପାରଦ ୪୦ ଟପିଥିଲା । ୨୦୧୯ରେ ମଧ୍ୟ ଏଭଳି ଗରମ ହୋଇଥିଲା । ରାତିର ତାପମାତ୍ରା ପୁରୀରେ ୨୪ ଡିଗ୍ରୀ ଥିବାବେଳେ ପାରାଦୀପରେ ୨୩.୬, କେନ୍ଦ୍ରାପଡ଼ାରେ ୨୨.୪, ଗୋପାଳପୁରରେ ୨୧.୯, ଚାନ୍ଦବାଲିରେ ୨୧.୯, ବାଲେଶ୍ୱରରେ ୨୧.୭, ଭୁବନେଶ୍ୱରରେ ୨୧.୭, ଟିଟିଲାଗଡ଼ରେ ୨୧, ଢେଙ୍କାନାଳରେ ୨୧, ଭଦ୍ରକରେ ୨୧, ଯାଜପୁରରେ ୨୧, ମାଲକାନଗିରିରେ ୨୦.୫, ତାଳଚେର ଓ କଟକରେ ୨୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।