ଆଜିଠୁ ବଢ଼ିବ ତାତି, ଆସନ୍ତାକାଲି ଠାରୁ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲା ପାଇଁ ‘ଉଷ୍ମ ରାତି’ ଆଲର୍ଟ ଜାରି
ଭୁବନେଶ୍ୱର : ଆଜିଠୁ ପୁଣି ବଢ଼ିବ ତାତି । ଗୋଟିଏ ଦିନର ବିରତି ପରେ ସୋମବାର ଠାରୁ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇବ। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟରେ ୪-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସହ ପାରଦ ପୁଣି ୪୦ ଡିଗ୍ରୀ ଛୁଇଁବ।
ଛତିଶଗଡ଼ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟର କିିଛି ସ୍ଥାନରେ ରବିବାର ପାଗ ମେଘୁଆ ରହିଥିଲା। ଏହାଫଳରେ ଅଧିକାଂସ ସ୍ଥାନରେ ତାପମାତ୍ରା ହ୍ରାସ ହୋଇଥିଲା। ଶୁକ୍ରବାର ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସହ ଶନିବାର ରାଜ୍ୟର ୫ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଥିଲା। ମାତ୍ର ରବିବାର ମେଘୁଆ ପାଗ ହେତୁ ରାଜ୍ୟର ସମସ୍ତ ସହର ୪୦ ଡିଗ୍ରୀ ତଳେ ରହିଥିଲା। ତେବେ ସୋମବାର ଠାରୁ ପୁଣି ଥରେ ତାପମାତ୍ରା ବଢ଼ିବା କାରଣରୁ ତାତି ପୁଣି ଫେରିବ ବୋଲି ଆକଳନ କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଓ ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ରେ ୨ ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଅନକେ ସ୍ଥନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ରହିଛି। ଅନ୍ୟପଟେ ଦିନ ସହିତ ରାତିରେ ମଧ୍ୟରେ ଅଧିକ ତାତି ଜାରି ରହିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ମଙ୍ଗଳବାରଠାରୁ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାତିର ତାପମାତ୍ରା ସ୍ୱାଭାବିକ ତୁଳନାରେ ସାଢେ଼ ୪ ଡିଗ୍ରୀରୁ ଅଧିକ ରହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଠାରୁ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲା ପାଇଁ ପାଣିପାଗ କେନ୍ଦ୍ର ‘ଉଷ୍ମ ରାତି’ ଆଲର୍ଟ ଜାରି କରିଛି।
ପାଣିପାଗ କେନ୍ଦ୍ର କହିଛି ଯେ ରାଜ୍ୟରେ ୨ ରୁ ୪ ତାରିଖ ଯାଏଁ ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ସ୍ଥିତିି ତଥା କିଛି ଜିଲ୍ଲାରେ ଉଷ୍ମ ରାତି ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨ ଏପ୍ରିଲରେ ସମ୍ଭାବ୍ୟ ଉଷ୍ମରାତ୍ରି ପରିସ୍ଥିତି ପାଇଁ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ଦିନ ତାପମାତ୍ରା ଅତିକମ୍ରେ ୪୦ ଡିଗ୍ରୀ ରହିବା ସହ ରାତିର ତାପମାତ୍ରା ଏହି ତାରିଖରେ ଅତି କମରେ ସ୍ୱାଭାବିକ ଠାରୁ ୪.୫ ଡିଗ୍ରୀ କିମ୍ୱା ଅଧିକ ରହିବାର ସମ୍ଭାବନା ରହିଛି। ମଙ୍ଗଳବାର ଉଷ୍ମ ରାତି ପାଇଁ ଚେତାବନୀ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ମାଲକାନଗିରି ପ୍ରମୁଖ ଜିଲା ସାମିଲ୍ ରହିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ଓ ଉପକୂଳରେ ଗୁଳୁଗୁଳି ଆଶଙ୍କା ରହିଥିବା ବେଳେ ୬ ତାରିଖ ଉପରବେଳା କିଛି ଜିଲାରେ କାଳବୈଶାଖୀ ଜନିତ ବର୍ଷା ଆଶଙ୍କା ରହିଛି। ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଗୋଟିଏ ଦୁଇ ଦିନ ବର୍ଷା ହେବାର ଆଶଙ୍କା ଥିବାରୁ ଏହି ସମୟରେ ହୁଏତ କିଛି ପରିମାଣରେ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି।