ହୃଦୟ ବିଦାରକ ଘଟଣା! କରୋନା ଭୟରେ ଗୋଟିଏ ପରିବାରର ୫ ଜଣ ପିଇଲେ ବିଷ
ଚେନ୍ନାଇ : ମାଡ଼ିଆସୁଛି କୋରୋନା ସଙ୍କଟ । କାରଣ ଓମିକ୍ରନ ଯୋଗୁଁ ସାରା ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଦୈନିକ ପଜିଟିଭିଟି ହାର ୧୩.୨୯ ପ୍ରତିଶତକୁ ବଢ଼ିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୯ ହଜାର ୭୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ୧୪୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ୍ ୭,୨୩,୬୧୯ ରହିଥିବା ବେଳେ ୩,୪୫,୦୦,୧୭୨ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। ଅନ୍ୟପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩୩କୁ ପହଞ୍ଚିଛି।
ହେଲେ ଏହାରି ମଧ୍ୟରେ ତାମିଲନାଡୁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । କୋରୋନା ଆକ୍ରାନ୍ତ ହେବେନି ବୋଲି ଘରର ୫ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ତାମିଲନାଡୁର ମଦୁରାଇ ଜିଲ୍ଲାରେ ଘଟିଛି। ମଦୁରାଇ ସ୍ଥିତ ଏକ ଗାଁରେ କୋରୋନା ସଂକ୍ରମଣ ଡ଼ରରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ୨୩ ବର୍ଷୀୟ ଜଣେ ମହିଳା ଓ ତାଙ୍କର ତିନିବର୍ଷର ଶିଶୁପୁତ୍ର ମଧ୍ୟ ରହିଥିଲେ। କୋରୋନା ସଂକ୍ରମଣ ଭୟରେ ପରିବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ପୋଲିସ ସଜାଗ ରହିଛି । ପୋଲିସ ଲୋକମାନଙ୍କୁ ଅନୁରୋଧ କରିଛି ଯେ, ଏମିତି ସମୟ ଆସିଲେ ନଡ଼ରି ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ।
ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମଦୁରାଇର ଏକ ଗାଁରୁ କୋରୋନା ଭୟ ହେତୁ ବିଷ ପିଇବାର ମାମଲା ସାମ୍ନାକୁ ଆସିଛି। ବୃଦ୍ଧା ଲକ୍ଷ୍ମୀ ତାଙ୍କ ପରିବାର ସହିତ ଏଠାରେ ଏକ ଗାଁରେ ରହୁଥିଲେ। ଯାହାର ପରିବାରରେ ଦୁଇ ପୁଅ, ଗୋଟିଏ ଝିଅ ଏବଂ ନାତି ଥିଲେ । ପୋଲିସ କହିଛି ଯେ, ବୃଦ୍ଧା ଲକ୍ଷ୍ମୀଙ୍କ ଝିଅ ଜୋତିକା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ତାଙ୍କ ପୁଅ ସହିତ ବାପଘରେ ରହୁ ଆସୁଥିଲେ। ଏଥି ସହିତ ବୃଦ୍ଧାଲକ୍ଷ୍ମୀଙ୍କ ସ୍ୱାମୀ ଗତ ବର୍ଷ ଡିସେମ୍ବରରେ ଦୂରାରୋଗ୍ୟରୁ ମୃତ୍ୟୁବରଣ କରିଥିଲେ। ସେବେଠାରୁ ସମଗ୍ର ପରିବାର ଶୋକରେ ଥିଲେ। ଏଥି ସହିତ, ଜାନୁଆରୀ ୮ ରେ ଜୋତିକାଙ୍କୁ କୋରୋନା ହୋଇଥିବା ଜଣାପଡ଼ିଥିଲା।
ଖବର ସରବରାହ ସଂସ୍ଥା ଅନୁଯାୟୀ, ଏହାପରେ ଯେତେବେଳେ ଜୋତିକା ତାଙ୍କ ପରିବାରକୁ ଏହି ସୂଚନା ଦେଇଥିଲେ, ଲକ୍ଷ୍ମୀଙ୍କ ସମଗ୍ର ପରିବାର କୋରୋନା ଭୟ ହେତୁ ବିଷ ପିଇଥିଲେ। ଯେଉଁଥିରେ ଜୋତିକା, ଲକ୍ଷ୍ମୀ, ଲକ୍ଷ୍ମୀଙ୍କ ଦୁଇ ପୁଅ ଏବଂ ଜୋତିକାଙ୍କର ତିନି ବର୍ଷର ପୁଅ ରହିଥିଲେ। ରିପୋର୍ଟ ଅନୁଯାୟୀ, ବିଷ ପିଇବାର ପରଦିନ ପଡୋଶୀମାନେ ଏହା ଜାଣିବା ପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ, କିନ୍ତୁ ଜୋତିକା ଏବଂ ତାଙ୍କ ତିନି ବର୍ଷର ପୁଅ ପୋଲିସ ପହଞ୍ଚିବା ପୂର୍ବରୁ ହିଁ ମୃତ୍ୟୁବରଣ କରିଥିଲା। ତେବେ ପୋଲିସ ଉଭୟ ଜୋତିକାଙ୍କ ଭାଇ ଏବଂ ତାଙ୍କ ମାଙ୍କୁ ଡାକ୍ତରଖାନାକୁ ନେଇଥିଲା। ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ବୋଲି କୁହାଯାଇଛି । ପୋଲିସର ସୂଚନାନୁସାରେ ଏହି ଘଟଣାର ତଦନ୍ତ ଚାଲିଛି।