ଚିଟ୍ ଫଣ୍ଡ ମାମଲାରେ ଶୁଣାଣି, କମ୍ପାନୀର ସମ୍ପତ୍ତି ଓ ଜମି ବାଜ୍ୟାପ୍ତି
ବାଲେଶ୍ୱର : ବାଲେଶ୍ୱର ଓଡ଼ିଶା ପ୍ରୋଟେକ୍ସନ୍ ଇଣ୍ଟରେଷ୍ଟ ଅଫ୍ ଇନ୍ଭେଷ୍ଟର୍ସ ଡିପୋଜିଟର (ଓପିଆଇଡି) କୋର୍ଟରେ ସୋମବାର ଏକ ଚିଟ୍ଫଣ୍ଡ କମ୍ପାନୀର ଶୁଣାଣି ହୋଇଥିଲା । ଓପିଆଇଡି କୋର୍ଟର ସ୍ୱତନ୍ତ୍ର ବିଚାରପତି ବିଶ୍ୱଜିତ୍ ଦାସ ଏହି ମାମଲାର ଶୁଣାଣି କରି ଚିଟ୍ଫଣ୍ଡ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି କରିବା ସହ ସଂସ୍ଥା ଓ ସଂସ୍ଥାର ନିର୍ଦ୍ଦେଶକମାନଙ୍କ ନାମରେ ଥିବା ଜମିକୁ ମଧ୍ୟ ବାଜ୍ୟାପ୍ତି କରିଛନ୍ତି ।
ସୂଚନା ଯେ, ସାଇ ଗାୟତ୍ରୀ ମାକ୍ରୋ ସ୍କାଇକ୍ରାପର ଇଣ୍ଡିଆ ଲିମିଟେଡ଼ କମ୍ପାନୀ ଜିଷ୍ଟରଡ ଅଫିସ୍ ପଶ୍ଚିମବଙ୍ଗ ରାଜ୍ୟ ବେହେଲା ଥାନା ଅନ୍ତର୍ଗତ ବ୍ରଜେନ ମୁଖାର୍ଜୀ ରୋଡ୍ରେ ଥିବା ବେଳେ ଓଡ଼ିଶାରେ ଭଦ୍ରକ ଜିଲା ମାଧବନଗର ସ୍ଥିତ ପୁରୁଷୋତ୍ତମ ବିହାର ବନ୍ତ ଛକରେ ଖୋଲିଥିଲା । ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ପାଖର ଗ୍ରାମର ଲକ୍ଷ୍ମୀକାନ୍ତ ପାଢ଼ୀ ମ୍ୟାନେଜିଂ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ଲୋଭନୀୟ ସ୍କିମ୍ ଦେଖାଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟ୍ କରିନେଇଥିଲେ । ଅଭିଯୋଗ ହେବା ପରେ ଥାନାରେ ମାମଲା ରୁଜୁ କରାଯାଇ କୋର୍ଟରେ ବିଚାରାଧୀନ ଥିଲା । ଉକ୍ତ ମାମଲାକୁ ବିଚାର କରି କମ୍ପାନୀର ୪ଟି ଆକାଉଣ୍ଟରେ ଥିବା ୩୭ ହଜାରରୁ ଉର୍ଦ୍ଧ୍ୱ ଟଙ୍କାକୁ ଫ୍ରିଜ୍ ପାଇଁ ନିର୍ଦ୍ଦେଶ ଦେବା ସହ ସଂସ୍ଥା ଓ ସଂସ୍ଥାର ନିର୍ଦ୍ଦେଶକମାନଙ୍କ ନାମରେ ଥିବା ବାଲେଶ୍ୱର ଓ ଭଦ୍ରକ ଜିଲାର ୫ଏକର ୩୬ ଡିସିମିଲ ଜମିକୁ ବାଜ୍ୟାପ୍ତି କରାଯାଇଛି । ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ନାମରେ ଥିବା ଭଦ୍ରକ ଆଚାର୍ଯ୍ୟ ନଗର ସ୍ଥିତ ଆକ୍ସିସ୍ ବ୍ୟାଙ୍କ୍ ଖାତାରେ ଥିବା ୧୩୭୯ ଟଙ୍କା ୮୮ ପଇସା, ଅଭିଲିପ୍ସା ପ୍ରିୟଦର୍ଶନୀଙ୍କ ନାମରେ ଉକ୍ତ ବ୍ୟାଙ୍କ୍ ଖାତାରେ ଥିବା ୧୩୦୧ ଟଙ୍କା ୨ ପଇସା, ଅବନ୍ତୀଲତା ପାଢ଼ୀଙ୍କ ନାମରେ ଥିବା ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଖାତାରେ ଥିବା ୨୦ହଜାର ୪୯୬ଟଙ୍କା ୬୫ ପଇସା ଏବଂ ସାଇ ଗାୟତ୍ରୀ ମଲ୍ଟି ଷ୍ଟେଟ୍ କୋ-ଅପରେଟିଭ୍ ସୋସାଇଟି ନାମରେ ଉକ୍ତ ବ୍ୟାଙ୍କ ଖାତାରେ ଥିବା ୧୪ହଜାର ୨୦୩ଟଙ୍କା ୬୯ ପଇସା ମୋଟ୍ ଟି ଆକାଉଣ୍ଟରେ ଥିବା ୩୭ ହଜାର ୩୮୧ଟଙ୍କା ୨୪ ପଇସାକୁ ଫ୍ରିଜ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ ।